Unknown

 

 

 

 

 

 

 

 

 

 

 

ଏଗାରଟା

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

 

 

 

 

 

 

 

 

ଗଳ୍ପଗୁଡ଼ିକ ସ୍ୱନାମ ତଥା ‘ଅନିରୁଦ୍ଧ ମହାନ୍ତି’ ଓ ‘ଅବଧୂତ’ ଛଦ୍ମ ନାମ ଦେଇ ‘ନବଭାରତ’ରେ ବିଭିନ୍ନ ସମୟରେ ପ୍ରକାଶିତ ହୋଇଛି । ପୁନଃ-ପ୍ରକାଶର ଅନୁମତି ନିମନ୍ତେ ସମ୍ପାଦକଙ୍କଠାରେ କୃତଜ୍ଞ ରହିଲି ।

 

–ଲେଖକ

 

ସୂଚୀପତ୍ର

 

୧.

ଏଗାରଟା

୨.

ଖୁଡ଼ୀ

୩.

ପରିବର୍ତ୍ତନ

୪.

ରୁକ

୫.

ଜୀବନ୍ତ ପାଷାଣ

୬.

ଅଦିନ ବଉଦ

୭.

ଗରିବର ଦେବତା

୮.

ଦୂର ଓ ନିକଟ

୯.

ସାଧନ

୧୦.

ଦୋକାନଦାର

୧୧.

ସ୍ମୃତି

Image

 

ଏଗାରଟା*

 

ମୁଁ ଠିକ୍‌ ସେହି ସମୟରେ ଟାଇଫଏଡ୍‍ରୁ ଭଲ ହୋଇଥାଏଁ । ବିଛଣାରୁ ଉଠି ପାରୁଥିଲେ ବି ଚାଲିବାର ଶକ୍ତି ହେଇ ନଥିଲା ମୋର ।

 

ରବିବାର ଦିନ ବିଛଣା ପାଖ ଖଟିଆକୁ ଆଉ ଗୋଟିଏ ରୋଗୀ ଆସିଲା । ମୁଁ ହଠାତ୍‌ ତାକୁ ଚିହ୍ନିପାରି ନଥିଲି । କିନ୍ତୁ କେତେକ୍ଷଣ ପରେ ତା’ର ମଥା ଉପରେ ଗୋଟାଏ ଦାଗ ଦେଖି ମୋର ସବୁ କଥା ମନେ ପଡ଼ିଗଲା—ମୁଁ ତାକୁ ବେଶ୍‌ ଚିହ୍ନି ପାରିଲି—ସେ ରହିମ୍‌ ।

 

ରହିମ୍‌ ସହିତ ମୋର ପରିଚୟର ଗୋଟିଏ କ୍ଷୁଦ୍ର ଇତିହାସ ଅଛି । ଗୋଟିଏ ମୁହୂର୍ତ୍ତର ପରିଚୟ । କିନ୍ତୁ ସେହି ମୁହୂର୍ତ୍ତଟି ଏଡ଼େ ଜ୍ୱଳନ୍ତ ଯେ, ତାହା ଜୀବନରେ ଆଦୌ ଭୁଲିବାର ନୁହେଁ ।

 

ରହିମ୍‌ ଥିଲା ପୋଲିସ ସବ୍‌ଇନସ୍‌ପେକ୍ଟର । ବାଲେଶ୍ୱରରେ ଲବଣ ସତ୍ୟାଗ୍ରହ ଚାଲିଥିଲା ସେତେବେଳେ । ଗୋଟିଏ ଦିନର କଥା । ସେଦିନ ଶ୍ରୀଜଙ୍ଗ, ଭୀମପୁର, ପଦ୍ମପୁର ଆଉ ରଣସାହୀ ପ୍ରଭୃତି ସ୍ଥାନମାନଙ୍କରୁ ବେଆଇନ (Contraband) ମରା ଲୁଣ ଘେନି କେତେକ ଗ୍ରାମବାସୀ ଗୋଟିଏ ଗୋଟିଏ ଯଥା (batch) ସଜାଇ ବାଲେଶ୍ୱର ସହରରେ ପ୍ରକାଶ୍ୟରେ ବିକ୍ରୟ କରି ଆଇନ ଅମାନ୍ୟ କରିବା ନିମନ୍ତେ ଆସୁଥିଲେ । ସୁନ୍ଦରୀଠାରୁ ସେମାନଙ୍କୁ ଏକତ୍ରିତ କରିବା ନିମନ୍ତେ ଆସୁଥିଲେ । ସୁନ୍ଦରୀଠାରୁ ସେମାନଙ୍କୁ ଏକତ୍ରିତ କରି ଆଣିବାର ଭାର ମୋ ଉପରେ ଥିଲା । ଭାର ବହନ କରି ଆଣିବାକୁ ସମସ୍ତଙ୍କୁ ବାରଣ କରାଯାଇଥିଲା । ସମସ୍ତେ ବସ୍ତାରେ ଲୁଣ ଭର୍ତ୍ତିକରି ମୁଣ୍ତ ଉପରେ ବୋଝ ରଖି ଆସୁଥାନ୍ତି । ପୁଲିସ୍‍ର ଲାଠିମାଡ଼ ଏପରି କି ଗୁଳିବର୍ଷଣ ସତ୍ତ୍ୱେ କିପରି ଅହିଂସ ଭାବରେ ନିଜର ଲୁଣ ଟିକକ ରକ୍ଷା କରିବାକୁ ହେବ, ସେ ବିଷୟରେ ସମସ୍ତ ଶିକ୍ଷା, କେନ୍ଦ୍ରମାନଙ୍କରୁ ଦିଆ ଯାଇଥିଲା । କେବଳ ସେ ସବୁକୁ ଆଉ ଥରେ ପଇଟାଇ ନେବା ଓ ସେମାନଙ୍କୁ ସଂଘବଦ୍ଧ କରିବାର ଭାର ମୋ ଉପରେ ଥିଲା ।

 

ସମସ୍ତେ ଏକଜୁଟ ହେଲା ପରେ ଗୋଟିଏ ବ୍ୟୂହ ରଚନା କରି, ଆମ୍ଭେମାନେ ସହର ଅଭିମୁଖରେ ଅଗ୍ରସର ହେଲୁଁ । ଚାରିପାଖରେ ସତ୍ୟାଗ୍ରହୀ ଓ ନିରସ୍ତ୍ର ଗ୍ରାମବାସୀମାନେ ମଝିରେ ଲୁଣ ବୋଝ ମୁଣ୍ତାଇଥିବା ଲୋକଙ୍କୁ ଘେରି ଚାଲିଥାନ୍ତି ।

 

ବାଲେଶ୍ୱର ସହରରେ ପ୍ରବେଶ କରିବାକୁ ଅଳ୍ପ ଦୂର ଅଛି, ଆମ ଭିତରେ ଗୋଟାଏ ସତର୍କସୂଚକ ରୋଳ ଉଠିଲା—ପୁଲିସ୍‍—ପୁଲିସ୍‍ !! ମାତ୍ର କେତୁଟା ମୁହୂର୍ତ୍ତପରେ ଭୟଙ୍କର ସଂଘର୍ଷ ହେଲା । ଗ୍ରାମବାସୀ ସତ୍ୟାଗ୍ରହୀମାନେ ସେମାନଙ୍କର ଦାନା—ସେମାନଙ୍କର ନିମକକୁ ମରିଗଲେ ମଧ୍ୟ ଛାଡ଼ିବେ ନାହିଁ ବୋଲି ପଣ କରି ଶେଷକୁ ତା’ ଉପରେ ଶୋଇ ପଡ଼ିଲେ । ପୁଲିସ୍‍ର ଲାଠି ଘୁସା, ଜୋତା ମାଡ଼ ସେମାନଙ୍କୁ ହଟାଇ ପାରିଲା ନାହିଁ । ମୁଁ ସେଇଠି ଠିଆ ହୋଇ ସେମାନଙ୍କୁ ଉତ୍ସାହ ଦେଉଥାଏ— ‘ମର ପଛେ ଛାଡ଼ ନାହିଁ ।’

 

ମୁଁ ଯେତେବେଳେ ମହାମାନବ ମହାତ୍ମା ଗାନ୍ଧିଙ୍କର ତପସ୍ୟା ନିବନ୍ଧନ ଭଗବାନଙ୍କର ଅଦୃଶ୍ୟ ପ୍ରେରଣା ପାଇ ଚିତ୍କାର କରି ଉଠେଁ—ବୋଲେ ଭାଇ ମହାତ୍ମା ଗାନ୍ଧିଙ୍କି, — ଭାରତମାତାକି, ଲବଣ ସତ୍ୟାଗ୍ରହକି—ଜାତୀୟ ପତାକାକି,–ସେତେବେଳ ‘ଜୟ ଜୟ’ ନାଦରେ ଆକାଶ ପାତାଳ ଫାଟି ପଡ଼ୁଥାଏ । ଯେଉଁମାନ କେବେ ସେ ଅଭିନୟରେ ନଟୀ ହୋଇନାହାନ୍ତି, ସେମାନେ ବୁଝି ପାରିବେ ନାହିଁ ଯେ, ମାଡ଼ ପ୍ରହାର ତ ଦୂରର କଥା, ମନୁଷ୍ୟ ଜୀବନରେ ଏପରି ମଧ୍ୟ ଗୋଟାଏ ଗୋଟାଏ ମୁହୂର୍ତ୍ତ ଆସେ, ଯେତେବେଳେ ମରଣ ମଧ୍ୟ ତା’ ପକ୍ଷରେ ଗୋଟାଏ କୌତୁକ ଆଉ କୁତୂହଳର କାରଣ ହୋଇପଡ଼ ।

 

ପରିଶେଷରେ ପୁଲିସ୍‍ ଫୌଜର ଆଖି ପଡ଼ିଲା ମୋ ଉପରେ । ମୋର ଉତ୍ସାହ ଫଳରୁ ସେ ସଂଗ୍ରାମ ଦୁର୍ଜୟ ହୋଇ ପଡ଼ୁଛି ବୋଲି ସେମାନଙ୍କୁ ଗୋଟାଏ ଭ୍ରାନ୍ତି ଧାରଣା ହେଲା । ଲୁଣ ଆଇନ ବା କର ଯୋଗୁଁ ଏ ଦେଶବାସୀଙ୍କ ବୁକୁରେ ଯେ କେଡ଼େ ବଡ଼ କ୍ଷତ, ତା’ ଇଂରେଜ ସରକାଙ୍କୁ ମଧ୍ୟ ବୁଝିବାପାଇଁ ସେତେବେଳକୁ ଅନେକ ବାକି ଥିଲା—ଆଉ ସେ ମୂର୍ଖ ସିପାହୀଗୁଡ଼ାକ ନ ବୁଝିବା ତ ନିତାନ୍ତ ସ୍ୱାଭାବିକ ।

 

ଫଳରେ ସେମାନେ ମୋ’ରି ଉପରେ ସେମାନଙ୍କର ରାଗ ସୁଝାଇ ନେବାକୁ ଧାଇଁ ଆସିଲେ । ଗୋଟାଏ ସିପାହୀ ମୋର ଠିକ୍‌ ମଥା ଉପରକୁ ଲକ୍ଷ୍ୟକରି ପ୍ରହାର କରୁଛି, ଏପରି ସମୟରେ ଜଣେ ଲୋକ ଆସି ଆଗରେ ଠିଆ ହୋଇଯାଇ— ‘ହାଁ ହାଁ—’ ବୋଲି ଚିତ୍କାର କଲା । ପ୍ରହରଟା ମୋ ଉପରେ ନ ବସି ବସିଲା ତା’ଉପରେ । ସେ ଥିଲା ପୁଲିସ୍‍ ସବ୍‌ଇନ୍‌ସପେକ୍ଟର ରହିମ୍‌ ।

 

ମୋର ବିଚାର ହୋଇ ମୁଁ ଛଅ ମାସ ଜେଲ ଗଲି । ମୁଁ ଯେଉଁଦିନ ଖଲାସ ହେଲି ସେଦିନ ଶୁଣିଲି ଯେ ରହିମ୍‌ ସବ୍‌ଇନ୍‌ସପେକ୍ଟର ଚାକିରି ଛାଡ଼ିଛି—ଆଉ ତା’ର ବିଚାର ହୋଇ ସେ ସେହି ଦିନ ଦୁଇବର୍ଷ ପାଇଁ ମାମୁଁ ଘର ଗଲା । ତା’ପରେ ତା’ ସହିତ ଦେଖା ହୋଇ ନାହିଁ । ଏଇ ଆଜି ଦେଖା ହେଲା । ତା’ର ଚିହ୍ନିବାର ଶକ୍ତି ନ ଥିଲା । କିନ୍ତୁ ମୁଁ ତାକୁ ଚିହ୍ନି ନ ପାରନ୍ତି କିମିତି । ସେ ଯେ ରହିମ୍‌ ଆଉ ସବ୍‌ଇନ୍‌ସପେକ୍ଟର ରହିମ୍‌, ଏଥିରେ ମୋର ଅଣୁମାତ୍ର ସନ୍ଦେହ ନଥିଲା ।

 

ତା’ର ରକ୍ତଚାପ ଯେତେବଳେ ବଢ଼ୁଥାଏ, ସେ ମୂର୍ଚ୍ଛା ହୋଇପଡ଼ୁଥାଏ । ରକ୍ତଚାପ ସାମାନ୍ୟ ହ୍ରାସ ହେବାକ୍ଷଣି ସେ କେବଳ ପ୍ରଳାପରେ ବକୁଥାଏ—‘ଭୁଲ୍‍—ଭୁଲ୍‍—ପ୍ରତାରଣା—ପ୍ରତାରଣା ।’ ଟିକିଏ ତାର ଜ୍ଞାନ ହେବାକ୍ଷଣି ଯେ ପାଖରେ ଥାଏ ତାକୁ ପଚାରେ— ‘ଏଗାରଟା ବାଜିଗଲା ?’ ଏତକ କହି ସେ ପୁଣି ମୂର୍ଚ୍ଛା ହୋଇଯାଏ । ତା’ ଦେହରେ ଜର ଥିଲା—ଭୟଙ୍କର ଜର । ଡାକ୍ତରମାନେ ରୋଗ ନିର୍ଣ୍ଣୟ କରି ପାରୁ ନଥିଲେ । କେତେକ Cerebral Malaria ବୋଲି ମତ ଦେଉଥିଲେ, ଆଉ କେତେକ blood pressure ଓ କେହି କେହି ଅନ୍ୟାନ୍ୟ କେତେ ରୋଗର ନାମ ଧରୁଥିଲେ । କିନ୍ତୁ କୌଣସି ଚିକିତ୍ସକ ତାର ଜୀବନ ସମ୍ୱନ୍ଧରେ ସନ୍ଦିହାନ ନ ଥିବାର ଦେଖିଲି ନାହିଁ ।

 

ମୋର ବଡ଼ କଷ୍ଟ ହେଲା । ମୁଁ ତା’ ମୁହଁକୁ ଚାହିଁ ପାରୁ ନଥାଏ । ସବୁବେଳେ ତା’ର ଶେଷ ମୁହୂର୍ତ୍ତର ଦାରୁଣ କ୍ଷଣର ବିଭୀଷିକାରେ ମୁଁ ଆତଙ୍କିତ ରହି ଆଖି ବୁଜି ପଡ଼ିଥାଏ ।

 

ରବିବାର ଗଲା । ସୋମବାର ଦିନ ରାତିର ଘଟଣା । ମତେ ମୋଟେ ନିଦ ହେଉ ନ ଥାଏ । ଖାଲି ଆଖି ବୁଜି ପଡ଼ିଥାଏଁ ଯାହା ସେତିକି । ବେଳେ ବେଳେ ରହିମ୍‌ ଆଡ଼କୁ ଚାହିଁ ପୁଣି ମୁହଁ ଫେରାଇ ଆଣେ ।

 

ଠିକ୍‌ ରାତି ଦୁଇଟା ହେବ—ମୁଁ ଚାହିଁ ଦେଲାବେଳକୁ ଦେଖିଲି ଯେ, ସେ ଆପେ ଆପେ ଉଠି ବସିଛି; ତା’ ପାଖରେ କେହି ଆଟେଣ୍ତେଣ୍ଟ ନାହିଁ । ମୁଁ ଉଠିପଡ଼ି ତା’ ପାଖକୁ ଯାଇ କହିଲି, ‘‘ରହିମ୍‌ ଭାଇ, ଶୋଇପଡ଼, ଦେହ ଖରାପ ହେବ ।’’

 

ମୁଁ ମନେ କରିଥିଲି ରହିମ୍‌ ମୋତେ ଚିହ୍ନିପାରି କୁଣ୍ଢାଇ ପକାଇବ । କିନ୍ତୁ ଘଟିଲା ତା’ର ଠିକ୍‌ ଓଲଟା ।

 

ରହିମ୍‌ ମତେ ଚିହ୍ନିଲା । ପଚାରିଲା ‘କିଏ, ମହାପାତ୍ର ?’

 

ତା’ପରେ ମୋଆଡ଼ୁ ବିରକ୍ତିପୂର୍ଣ୍ଣ ମୁଖଟାକୁ ଫେରା–ପ୍ରତାରଣା ।’

 

ଗୋଟାଏ ନର୍ସ ଆସି ପହଞ୍ଚି ମତେ ମୋର ବିଛଣାକୁ ଯିବାକୁ ଅନୁରୋଧ କଲା ।

 

ମୁଁ ତାକୁ ପଚାରିଲି, ‘‘ଆପଣ କ’ଣ ବର୍ତ୍ତମାନ ଜଗିବେ ୟାଙ୍କୁ ?’’

 

ସେ ‘ହଁ’ ମାରିବାରୁ ମୁଁ ଉଠିବାକୁ ଆରମ୍ଭ କଲି । କିନ୍ତୁ ରହିମ୍‌ ମୋ ହାତଟାକୁ ଧରିପକାଇ ତା’ରି ଖଟ ଉପରେ ବସାଇ ଦେଲା । ଏ ଅବସ୍ଥାରେ ତା’ ଦେହରେ ଯେ ଏତେ ଜୋର, ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି । ସେ ସେହି ନର୍ସକୁ କହିଲା—ବହ ୟହିଁ ରହେ ।

ନର୍ସ ଆଉ ସେଥିରେ ଆପତ୍ତି କରିବାର ଦେଖିଲି ନାହିଁ । ବୋଧହୁଏ ତା’ ପ୍ରତି ସେହିପରି ଆଦେଶ ଥିଲା—ରୋଗୀର ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିବାକୁ ବାରଣ ଥିଲା ।

 

ମୁଁ ରହିମ୍‌ ପାଖରେ ବସିଲି । ନର୍ସ ଅନତିଦୂରରେ ଗୋଟିଏ ଟୁଲ ଉପରେ ବସିଲା ।

 

ରହିମ୍‌ ମୋ ଆଡ଼କୁ କଡ଼ ଲେଉଟାଇ ତା’ର ଦୁର୍ବଳ ହାତକୁ ମୋ କୋଳରେ ରଖି କହିଲା— ‘‘ମହାପାତ୍ର, ମୁଁ ତମକୁ ମନେ ମନେ ବହୁତ ଖୋଜିଛି । ବୋଧହୁଏ ଭଗବାନ ମୋତେ ଏ ଦଗାବାଜ୍‌ ଦୁନିଆରୁ ନେଇଯିବା ପୂର୍ବରୁ ତମ ସହିତ ସାକ୍ଷାତ୍‌ କରାଇ ମୋର ପ୍ରାର୍ଥନା ପୂରଣ କରିଛନ୍ତି ।’’

 

ରହିମ୍‌ ଖୁବ୍‌ ସ୍ପଷ୍ଟ ଭାବରେ ସଚେତ ରହି କହୁଥାଏ । ତାର ସେ କଥା ଶୁଣି କେହି ବିଶ୍ୱାସ କରିବ ନାହିଁ ଯେ ଏହି ରହିମ୍‌ ଦଣ୍ତକଆଗରୁ ପ୍ରଳାପ କରୁଥିଲା ଓ ଜ୍ଞାନଶୂନ୍ୟ ହୋଇ ପଡ଼ିଥିଲା ।

 

ରହିମ୍‌ ପୁଣି କହିବାକୁ ଆରମ୍ଭ କଲା । ନର୍ସ ବିଚରା ବଡ଼ ଧୀର ଓ ବିନତିଭରା ସ୍ୱରରେ ତାକୁ ଅନୁରୋଧ କଲା—ବେହତର ହୈକେ ଆପ୍‌ ଇସ୍‌ ବଖତ୍‌ ଜ୍ୟାଦାବାତ୍‌ ନ କରେଁ । ଯୋ କୁଛ କହନା ହୈ କାଲ କହିୟେଗା ।

 

ରହିମ୍‌ ସଙ୍ଗେ ସଙ୍ଗେ ତାର ଉତ୍ତର ଦେଲା—ମେରେ ଲିଏ କ୍ୟା ଆଚ୍ଛା ଆଉର କ୍ୟା ବୁରା ୟହ ସବାଲ ଆପକୋ କରନା ନହି ଚାହିୟେ ।

 

ନର୍ସ ନୀରବ ରହିଲା । ରହିମ୍‌ ଆରମ୍ଭ କଲା—ସଂସାର ସମ୍ୱନ୍ଧରେ ମୋର ଯେଉଁ ଅଭିଜ୍ଞତା ସେଉଟା ଯଦି ସଂସାରକୁ ମୁଁ ଦେଇ ନ ଯାନ୍ତି, ମୋର ବୋଧହୁଏ କର୍ତ୍ତବ୍ୟରେ ତ୍ରୁଟି ହୁଅନ୍ତା । ହୁଏତ ଅଭିଜ୍ଞତା କାହାରି ଜୀବନରେ କୌଣସି କାମରେ ଲାଗିପାରେ ।

 

‘‘ମହାପାତ୍ର’’, ତା’ର କଣ୍ଠସ୍ୱର ଆହୁରି ସ୍ପଷ୍ଟତର ମନେ ହେଲା, ‘‘ମୁଁ ତମର ଚେହେରା ଦେଖି, ସେ ଦିନ ମୋର କାହିଁକି ମନେ ହେଲା କେଜାଣି, ଯେ ତମେ ଜଣେ ସଂସାରରୁ ବାହାର । ତମେ ଭଣ୍ତ ନୁହଁ, ପ୍ରତାରକ ନୁହଁ । ତମେ ଯାହା ଅନୁଭବ କରୁଛ, ତାହା କହୁଛ—ତାହା କରୁଛ । ଭିତରେ ଦେଶପ୍ରତି ଭକ୍ତି ଥିଲେ ମଧ୍ୟ ସରକାରର ଚାକର ହୋଇ ଦେଶଦ୍ରୋହିତା କରିବା ପ୍ରତାରଣା ନୁହେ ତ ଆଉ କ’ଣ? ମୁଁ ସେତେବେଳେ ନିଜକୁ ପ୍ରତାରକ ବୋଲି ମନେ କରୁଥିଲି । କିନ୍ତୁ ତମେ ଯେପରି ମୋଠାରୁ ସ୍ୱତନ୍ତ୍ର । ଏହି ଦୃଷ୍ଟିରେ ମୁଁ ତମର ଜୀବନ ରକ୍ଷା କରିବାକୁ ଯାଇ ନିଜକୁ ବିପଦରେ ପକାଇଥିଲି । ସେଥିପାଇଁ ମୁଁ ଗୌରବ କରୁନାହିଁ, କିମ୍ୱା ସେଥିପାଇଁ ତମର ମତେ ପ୍ରଶଂସା କରିବାର ନାହିଁ । ବରଂ ତମେ ଯଦି ମୋତେ ଧନ୍ୟବାଦ ଦିଅ, ତେବେ ତହିଁରେ ମୋର କଷ୍ଟ ହେବ, ଆଉ ତମକୁ ମଧ୍ୟ ଭଣ୍ତ, ଦଗାବାଜ୍‌ ବୋଲି ମୁଁ ସନ୍ଦେହ କରିବି ।’’

 

‘‘ଆପଣ ମଧ୍ୟ ଶୁଣି ପାରନ୍ତି, ମୋର କିଛି ଆପତ୍ତି ନାହିଁ ।’’ ରହିମ୍‌ ନର୍ସକୁ କହିଲା ।

 

‘‘କୁହନ୍ତୁ’’ ବୋଲି କହି ନର୍ସ ନୀରବ ରହିଲା ।

 

‘‘ବର୍ତ୍ତମାନ ତିନିଟା ସମୟ ହେବ । ଏଗାରଟା ବାଜିବାକୁ ଆଉ କେତେ ଘଣ୍ଟା ରହିଲା-? ୮ ଘଣ୍ଟା—ନୁହେଁ ? ହଁ, ଯଥେଷ୍ଟ ସମୟ ଅଛି । ମୋର ଯାହା କହିବାର ଅଛି କହି ମୁଁ ସେହି ସମୟ ମଧ୍ୟରେ ପ୍ରସ୍ତୁତ ହୋଇପାରିବି ତ ?’’

 

‘କେଉଁଥିପାଇଁ?’ ମୁଁ ପଚାରିଲି ।

 

‘ମରିବା ପାଇଁ ।’ ସେ ଉତ୍ତର କଲା ।

 

ମୁଁ କହିଲି ‘‘ଯାଃ, ସେମିତି କୁହ ନାହିଁ । ତମେ ଭଲ ଅଛ—ଭଲ ହୋଇଯିବ ।’’ ‘‘ମହାପାତ୍ର, ଏ ଦୁନିଆରେ ଯେଉଁଟା ଏକମାତ୍ର ସତ୍ୟ, ସେଇଟାକୁ ତମେ ଘୋଡ଼ାଇ ରଖିବାକୁ ଚେଷ୍ଟା କର କାହିଁକି ? ମରିବା ସମସ୍ତେ । ମରଣଟାକୁ ଅଶୁଭ ବୋଲି କହ କାହିଁକି ? ତଦ୍ଦ୍ୱାରା ତମେ ନିଜକୁ ପ୍ରତାରିତ କର ।’’

 

ମୁଁ କିଛି କହିଲି ନାହିଁ—ତୁନି ରହିଲି ।

 

ସେ ପୁଣି ଆରମ୍ଭ କଲା— ‘‘ଏହି ଦିନ ଏଗାରଟା, ମୋ ଜୀବନର ଗୋଟାଏ ଗୋଟାଏ ପଟ୍ଟ ପରିବର୍ତ୍ତନର ସମୟ । ମୁଁ ସେତେବେଳେ କଲେଜରେ ପଢ଼ୁଥାଏ, ହଠାତ୍‌ ଦିନେ ତା’ର ପାଇଲି, ମୋର ବାପ ଓ ମା ଉଭୟେ କଲେରାରେ ମରିଗଲେ—ସେତେବେଳେ ଠିକ୍‌ଦିନ ଏଗାରଟା ।

 

‘‘ମୋର ମନେ ଅଛି ମହାପାତ୍ର, ମୁଁ ଯେତେବେଳେ ପାଗଳ ପରି ହୋଇ ଘରେ ପହଞ୍ଚିଲି ସେତେବେଳକୁ ବାପ ମା’ଙ୍କର କବର ଦିଆ ସରିଲାଣି । ମୋର ଚାଚ୍ଚି ମୋତେ କୁଣ୍ତାଇ ପକାଇ କହିଲେ— ‘ମେଁ ତେରି ମାଁ ହୁଁ ।’

 

ରହିମ୍‌ର ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । କିଛି ସମୟ ରହି ସେ କହିଲା, ‘‘ଚାଚ୍ଚା ବି ମୋତେ ବୁଝାଇ କହିଲେ, ତାଙ୍କ ଆଖିରେ ତାଙ୍କ ପୁଅ ଅବ୍‌ଦୁଲ ଯେମିତି ମୁଁ ବି ସେମିତି । ପ୍ରକୃତ କଥା, ମୁଁ ବି କେବେ ତାଙ୍କଠାରୁ ହେଲେ ଇତର ବ୍ୟବହାର ପାଇ ନଥିଲି । ଘରେ ଥିବାବେଳେ ମୁଁ ନ ଖାଇଲା ଯାଏ ଚାଚ୍ଚି ଖାଆନ୍ତି ନାହିଁ । ମୁଁ ପଢ଼ା ଛାଡ଼ି ଚାକିରି କଲା ପର୍ଯ୍ୟନ୍ତ ଅନେକଥର ଚାଚ୍ଚି ମୋତେ ନିଜ ହାତରେ ଶରଧାରେ ପହିଲି ଗୁଣ୍ତାଟି ଖୋଇ ଦିଅନ୍ତି । ତାଙ୍କ ମୁହଁକୁ ଚାହିଁଲେ ମୁଁ ମା’ ବାପ ସମସ୍ତଙ୍କୁ ଭୁଲିଯାଏ । ତାଙ୍କ ସ୍ନେହକୁ ମୁଁ ଭଗବାନଙ୍କର ଆଶୀର୍ବାଦ ମନେ କରୁଥିଲି । ତାଙ୍କ ପାଦତଳେ ମୋର ଯେମିତି କୋଟିଏ ମକ୍‌କା ମଦିନା ଠୁଳ ହୋଇଥାଏ । କିନ୍ତୁ, କିନ୍ତୁ—’’

 

ରହିମ୍‌ର ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ସେ ଆଉ କଥା କହି ପାରିଲା ନାହିଁ । ଗଳା ତାର ରୁନ୍ଧି ହୋଇ ଆସିଲା । ଅନେକ ସମୟ ପରେ ସେ ଶୁଣି ଆରମ୍ଭ କଲା— ‘‘ହଁ, ମୁଁ ଛାଡ଼ିଗଲି । ପଢ଼ାସାରି ମୁଁ ଚାକିରି କଲାକ୍ଷଣି ଅନେକ ଆଡ଼କୁ ମୋର ବିବାହର ପ୍ରସ୍ତାବ ଯାଇଥିଲା । ସମସ୍ତେ ମତେ ଦାମାଦ୍‌ କରିବାକୁ ବଡ଼ ଆଗ୍ରହ ପ୍ରକାଶ କରିଥିଲେ । କାରଣ ତମେ ବେଶ ବୁଝି ପାରୁଥିବ ମହାପାତ୍ର, କିନ୍ତୁ ମୋର ମନ ଥିଲା ଗୋଟାଏ ଜାଗାରେ । ଆମ ଜାତିରେ ଯେ କେଡ଼େ କଡ଼ା ପର୍ଦ୍ଦା ତା’ ତମେ ତ ଜାଣ ମହାପାତ୍ର ? ମୁଁ ତାକୁ ଆଖିରେ ଦେଖି ନଥିଲି । କିନ୍ତୁ ତାର ଫଟୋ ମୁଁ ଦେଖିବାକୁ ପାଇଥିଲି ବଡ଼ ପରିଶ୍ରମ କରି । ତାର ମାମୁଁ ପୁଅ ଭାଇ ମୋ ସାଙ୍ଗରେ ପଢ଼ୁଥିଲା । ତାରି ଜରିଆରେ ମୁଁ ତା’ ପାଖୁ ନାନାଦି ଉପହାର ମଧ୍ୟ ପଠାଉଥିଲି । ତାଙ୍କ ଘରେ ତା’ ଜାଣିଲେ ମଧ୍ୟ ପଠାଉଥିଲି । ତାଙ୍କ ଘରେ ତା’ ଜାଣିଲେ ମଧ୍ୟ ମୋ ପରି ଜଣେ ଜୁଆଇଁ ପାଇବା ଆଶାରେ ସେମାନେ କୌଣସି ବାଧା ଦେଉ ନଥିଲେ । ଫାତିମା ମୋ ପାଖକୁ ଚିଠି ମଧ୍ୟ ଦେଉଥିଲା । ଆମ ଜାତିରେ ଏଭଳି କାହାଣୀ ବିରଳ । କିନ୍ତୁ ଫାତିମା ଆଉ ମୋର ଲୌକିକ ବିବାହ ନ ହୋଇଥିଲେ ମଧ୍ୟ ମାନସିକ ବିବାହ ହୋଇ ଯାଇଥିଲା ।

 

‘‘ମୁଁ ଯେତେବେଳେ ଚାକିରି ଛାଡ଼ିଲି ସେତେବେଳେ କିଛି ଶୁଣି ନାହିଁ । ମୁଁ ଜେଲ ଗଲି । ତମେ ସେ ସବୁ ଶୁଣିଥିବ ବୋଧହୁଏ । ତା’ ପରେ ଅନେକ ଦିନ ଗଲା । ଦିନେ ହଠାତ୍‌ ମୁଁ ଖାଇ ବସିଛି ମୋର ଖଣ୍ତେ ଚିଠି ଆସି ପହଞ୍ଚିଲା । ଜେଲ ଭିତରେ ଚିଠିଟାଏ ପାଇଲେ ସମସ୍ତେ ଖୁସି ହୁଅନ୍ତି । କିନ୍ତୁ ମୁଁ ଚିଠିଟା ଦେଖି କାହିଁକି କେଜାଣି ଥରି ଉଠିଲି । ଚିଠିଟା ପଢ଼ିଗଲି ମୂଳରୁ ଶେଷଯାଏ ମେଟ୍‌ କେତେବେଳେ ଚିଠିଟାକୁ ମୋ ହାତରୁ ନେଇ ଅଫିସରେ ଦେଲା ତା’ ମୁଁ ଜାଣେ ନାହିଁ । ମୁଁ ଭାତଖାଇ ଥାଳି ଧୋଇ ଯାଇ ବିଶ୍ରାମ କଲି ଗୋଟାଏ ଯନ୍ତ୍ରଚାଳିତ ପରି ।

 

‘‘ଫାତିମାର ମାମୁଁ ପୁଅ ଭାଇ ଲେଖିଥିଲା—ଫାତିମାର ତା’ର ବିବାହ ହୋଇଯାଇଛି ।’’

 

ରହିମ୍‌ ଗୋଟାଏ ଦୀର୍ଘ ନିଶ୍ୱାସ ଛାଡ଼ିଲା । ଏତେ ବଡ଼ ଜୋର ନିଶ୍ୱାସ ଯେ ମୋର ଡର ହେଲା ତା’ର କଅଣ ଖରାପ ହେବ କି ଏଥିରେ ?

 

‘‘ତା’ ପରେ ମୁଁ ପଡ଼ିଲି ବେମାର । ସାଂସାରିକ ଜୀବନର ନିତାନ୍ତ ବିୟୋଗାନ୍ତ ଦୃଶ୍ୟ ଏଇଠ । ମୋର ଜୀବନର ଆଶା ନଥିଲା । ଜେଲରୁ ଖବର ଗଲା ଘରକୁ । କାଲି ମଙ୍ଗଳବାର ହେବ ନା ?’’

 

ମୁଁ କହିଲି, ‘‘ହଁ, କାଲି ମଙ୍ଗଳବାର ।’’ ମୁଁ ଆଶ୍ଚର୍ଯ୍ୟ ହେଲି ସେ ଏପରି ଅବସ୍ଥାରେ ବାର ପର୍ଯ୍ୟନ୍ତ କିପରି ମନେ ରଖିଛି ।

 

‘‘ଠିକ୍‌ ସେଇ ମଙ୍ଗଳବାର ଏଗାରଟା ଭିତରେ ମୋର ମୃତ୍ୟୁ ନିଶ୍ଚିତ ବୋଲି ଡାକ୍ତରମାନେ ଘୋଷଣା କରି ଦେଇ ଚାଲିଗଲେ ।

 

‘‘କିନ୍ତୁ ଠିକ୍‌ ଏଗାରଟାବେଳେ ମୋର ଜ୍ଞାନ ହେଲା । ମୁଁ କଥା କହିବାକୁ ଆରମ୍ଭ କଲା ମାତ୍ରେ ମୋର କେତେକ ବନ୍ଧୁ ମୋତେ ଜଣେ ଲୋକକୁ ଦେଖାଇ କହିଲେ—ତୁମ୍‌ହାରା ଚଚ୍ଚା ଖଡ଼େ ହୈଁ !

 

‘‘ଡାକ୍ତରମାନେ ‘ମତ୍‌ କହୋ, ମତ୍‌ କହୋ’ ବୋଲି ରଡ଼ି ଛାଡ଼ିଲେ । କାରଣ ଚଚ୍ଚାକୁ ଦେଖିଲେ ଏପରି ଅବସ୍ଥାରେ ପୁଣି ଛାଡ଼ିଲେ । କାରଣ ଚଚ୍ଚାକୁ ଦେଖିଲେ ଏପରି ଅବସ୍ଥାରେ ପୁଣି ରୋଗ ବଢ଼ି ଯାଇପାରେ ଏହି ଭୟ ଥିଲା ସେମାନଙ୍କର ଆଶଙ୍କା ଯେ ଅମୂଳକ ତା’ ନୁହେଁ । ମୁଁ ପରେ ବୁଝିପାରିଲି ଯେ ଚଚ୍ଚାଙ୍କୁ ସେ ଅବସ୍ଥାରେ ଦେଖିଥିଲେ ନିଶ୍ଚୟ ମୋ ହୃତ୍‌ପିଣ୍ତର କ୍ରିୟା ବନ୍ଦ ହୋଇଯାଇ ଥାଆନ୍ତା ।’’

 

‘‘ତମର ଦାଦା କଅଣ ଆସି ନ ଥିଲେ ତେବେ?’’ ମୁଁ ପଚାରିଲି ।

 

ସେ ଉତ୍ତର କଲା ‘ନା’ ।

 

‘ତେବେ ତମର ଚଚ୍ଚା ବୋଲି କାହାକୁ—’

 

ସେ ମୋତେ କହିବାକୁ ନଦେଇ କହିଲା— ‘‘ମୁଁ କହୁଛି ଶୁଣ ।

 

‘‘ବାରଟା ଭିତରେ ମୁଁ ମରିଗଲେ ମୋ ଶବ ସଂସ୍କାର କରିବା ପାଇଁ ଜଣେ ଆତ୍ମୀୟକୁ ବଡ଼ ଦୟାକରି ପଠାଇ ଦେଇଥିଲେ । ତାକୁଇ ସମସ୍ତେ ମୋର ଚଚ୍ଚା ବୋଲି ମନେ କରୁଥିଲେ—ଭୁଲ୍‍ରେ ।’’

 

‘ସେ ଅସୁସ୍ଥ ଥିଲେ ବୋଧହୁଏ ?’ ମୁଁ ପଚାରିଲି ।

 

‘‘ଶାରୀରିକ ସୁସ୍ଥ ଥିଲେ । ବୋଧହୁଏ ମାନସିକ ଅସୁସ୍ଥତା ହେତୁ ସେ ଜଣେ ରାଜଦ୍ରୋହୀ ନିକଟକୁ ଆସିବାକୁ ଭୟକଲେ । ସେ ଜଣେ ଖାଁ ବାହାଦୂର । ସରକାରଙ୍କର ନିତାନ୍ତ ବିଶ୍ୱସ୍ତ । ନିଜର ପୁଅ ପୁତୁରାଙ୍କଠାରୁ ବି ସରକାର ତାଙ୍କ ପକ୍ଷରେ ବିଶ୍ୱସ୍ତ । ନିଜର ପୁଅ ପୁତୁରାଙ୍କଠାରୁ ବି ସରକାର ତାଙ୍କ ପକ୍ଷରେ ବଡ଼ ।’’

 

‘ଅଦ୍ଭୁତ’! ମୁଁ ଟିପ୍‌ପଣୀ ଦେଲି ।

 

‘‘ଅଦ୍ଭୁତ ନୁହେଁ, ନିତାନ୍ତ ସ୍ୱାଭାବିକ । ଦୁନିଆଟା ଶଠତା ଆଉ ପ୍ରବଞ୍ଚନା ଉପରେ ତିଷ୍ଠିଛି-। ମହାପାତ୍ର, ସଂସାରିକ ସୁଖ-ସ୍ୱପ୍ନ ମୋର ସେହିଦିନଠୁଁ ଭାଙ୍ଗିଯାଇଛି-।’’

 

କିଛି ସମୟ ନୀରବ ରହି ସେ ପୁଣି ଆରମ୍ଭ କଲା— ‘‘ମହାପାତ୍ରେ, ଯାହାସବୁ କହିଗଲି ତାର ମୂଲ୍ୟ ମୋ ପକ୍ଷରେ ଯେତେ ବେଶୀ ଅନ୍ୟ ପକ୍ଷରେ ସେପରି ନୁହେଁ । ଏଣିକି ଯାହା କହିବି ତାହା ମୋ ପକ୍ଷରେ ଯେପରି ମୂଲ୍ୟବାନ ତୁମ୍ଭେମାନଙ୍କ ପକ୍ଷରେ ମଧ୍ୟ ଠିକ୍‌ସେହିପରି ମୂଲ୍ୟବାନ । ମୋର ପାରିବାରିକ ଜୀବନୀ ମୁଁ କାହାପାଖରେ କହିବାକୁ ସୁଖ ପାଏ ନାହିଁ । ତମ ପାଖରେ କହିବାର ଅଭିପ୍ରାୟ ମଧ୍ୟ ନଥିଲା । କେବଳ ଏହି ଏଗାରଟା ସମୟର ବିଶିଷ୍ଟତା ଦେଖାଇବା ପାଇଁ ମୁଁ କହିଲି । ତମେ ବର୍ତ୍ତମାନ ବିଶ୍ୱାସ ନ କରି ପାର । କିନ୍ତୁ କାଲି ଏଗାରଟା ପରେ—ହିଁ ଠିକ୍‌ ମଙ୍ଗଳବାରଦିନ ଏଗାରଟା ପରେ, ଯାହା ଦେଖିବ, ତା’ ଫଳରେ ତମେ ମତେ କଦାପି ମିଥ୍ୟାବାଦୀ କହିବାକୁ ସାହସ କରିବ ନାହିଁ ।

 

‘‘ଗାନ୍ଧି—ଇରୁଇନ ଯେତେବେଳେ ମୁଁ ଖଲାସ ହେଲି, ସେତେବେଳେ ସମୟ କେତେ ହୋଇଥିଲା ଜାଣ ?’’

 

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି— ‘‘କଣ ଏଗାରଟା ?’’

 

‘‘ହଁ ଠିକ୍‌ ଏଗାରଟା । ପୁଣି ୧୯୩୨ ରେ ସତ୍ୟାଗ୍ରହ ଆରମ୍ଭରେ ମୁଁ ଯେତେବେଳେ ଧରା ହେଲି ସେତେବେଳେ ମଧ୍ୟ ସେଇ ଏଗାରଟା ।’’

 

ମୋତେ ହସ ମାଡ଼ିଲା । କିନ୍ତୁ ହସଟାକୁ ଚାପିରଖି ଶୁଣିଲି । ସେ କହିବାରେ ଲାଗିଥାଏ–‘‘ଦୁଇବର୍ଷ ପରେ ଅଳ୍ପ କେତେ ଦିନ ପାଇଁ ବାହାରକୁ ଆସିଥିଲି । ତା’ପରେ ପୁଣି ତିନି ବର୍ଷ ପାଇଁ ମାମୁଁଘରକୁ ଯିବାକୁ ପଡ଼ିଲା ।’’

 

‘‘ଖଲାସ ହେବାକୁ ଅଳ୍ପ କେତେ ଦିନ ବାକି ଥାଏ । ଏହି କେତେ ଦିନ ମୋର ଦିନ ଯେ କେଡ଼େ ସୁଖରେ କଟିଛି ତା’ କହି ପାରିବି ନାହିଁ, ମହାପାତ୍ର ! ନିତି ମୁଁ ନୂଆ ନୂଆ ରଙ୍ଗିନ ସ୍ୱପ୍ନ ଦେଖେଁ । ଦେଖେଁ, କୋଟି, କୋଟି ସଂଖ୍ୟାରେ ସତ୍ୟାଗ୍ରହୀ ଆସି କାରାରୁଦ୍ଧ ହୋଇଛନ୍ତି । ଦେଖେଁ, ଶତ ଶତ ସତ୍ୟାଗ୍ରହୀ ଗୁଳି ଚୋଟରେ ପ୍ରାଣତ୍ୟାଗ କରୁଛନ୍ତି । ଏ ଦେଶର ସ୍ୱାଧୀନତା’ ମୁଁ କେବଳ ସ୍ୱପ୍ନ ଦେଖିଛି, ମହାପାତ୍ର ! ଯେଉଁ ସ୍ୱପ୍ନ କେବଳ ଶଠତା—ପ୍ରତାରଣା-ଦଗାବାଜି ।’’

 

ରହିମ୍‌ ଏଥର ଭୋ ଭୋ କାନ୍ଦିବାକୁ ଲାଗିଲା ।

 

‘‘ଗୋଟି ଗୋଟି କରି ମୋରି ଆଗରେ ସମସ୍ତେ ଜେଲ ଭିତରୁ ଖଲାସ ହୋଇଗଲେ—ମୁଁ ହସ ହସ ମୁଖରେ ସେମାନଙ୍କୁ ବିଦାୟ ଦେଇଛି—ସେମାନେ ପୁଣି ଫେରି ଆସିବେ ଏଇ ଆଶାରେ, କିନ୍ତୁ ମହାପାତ୍ର, ଗୋଟିଏ ହେଲେ କେହି ଆଉ ଫେରିଲେ ନାହିଁ । ଜେଲ ଭିତରକୁ କୌଣସି ଖବର ଆସେ ନାହିଁ । କିନ୍ତୁ ଥରେ ଶୁଣିବାକୁ ପାଇଲି ଯେ ମହାତ୍ମା ଗାନ୍ଧି ଦଳଗତ ଆଇନ ଅମାନ୍ୟ ଉଠାଇ ବ୍ୟକ୍ତିଗତ ଆଇନ ଅମାନ୍ୟ ଚଳାଇଛନ୍ତି । କିନ୍ତୁ ତଥାପି ଗୋଟିଏ ମଧ୍ୟ ବ୍ୟକ୍ତି ଦେଖିଲି ନାହିଁ, ଯେ କି ସତ୍ୟାଗ୍ରହ କରି ପୁଣି କାରାବରଣ କଲା । ଦେଶପ୍ରେମଟା ମଧ୍ୟ କେବଳ ଗୋଟାଏ ଶଠତା—ପ୍ରତାରଣା! ହାୟରେ ହତଭାଗା ଦେଶ ! ଏ ଦେଶ କ’ଣ ସ୍ୱାଧୀନ ହେବ ନାହିଁ, ମହାପାତ୍ର ?

 

‘‘ତୁମ୍ଭମାନଙ୍କ ସମୟରେ ଯେଉଁ ଜେଲ ଥିଲା, ପରବର୍ତ୍ତୀ ସମୟରେ ଆଉ ତା’ ରହିଲା ନାହିଁ । ବେଶୀ ଲୋକଥିବାରୁ ଯେଉଁ ସବୁ ସୁବିଧା ମିଳୁଥିଲା, ତାହା କ୍ରମେ କ୍ରମେ କାଢ଼ି ନିଆଗଲା । ପ୍ରତିଦିନ ‘ସରକାର ସଲାମ’ ପାଇଁ ମତେ ମାଡ଼ ଖାଇବାକୁ ହେଉଥିଲା । ସେଥିପାଇଁ ମୁଁ ତିଳେ ଦୁଃଖିତ ନୁହେଁ ମହାପାତ୍ର—ମୋର ଖାଲି ଦୁଃଖ ହେଉଛି ସେଇମାନଙ୍କ ପାଇଁ—ଯେଉଁମାନେ ‘ହା ଦେଶ ହା ଦେଶ’ କହି କାନ୍ଦି କାନ୍ଦି ଗଡ଼ି ଯାଉଥିଲେ । କୁଆଡ଼େ ଗଲା, ସେ ଉତ୍ସାହ ତାଙ୍କର ?

 

‘‘କ୍ଷମାକର ମହାପାତ୍ର, ମୁଁ ଯଦି କହିବି ମହାମାନବ ମହାତ୍ମା ଗାନ୍ଧିଙ୍କର କାର୍ଯ୍ୟବିଧିରେ ମୋର ମଧ୍ୟ ସନ୍ଦେହ ହେଲା । ଗାନ୍ଧିଙ୍କର କାର୍ଯ୍ୟବିଧିରେ ମୋର ମଧ୍ୟ ସନ୍ଦେହ ହେଲା । ସ୍ୱାଧୀନତା ଦିଗରେ ଅଗ୍ରସର ହେଉଛି ବୋଲି କହି ସେ ମଧ୍ୟ ହରିଜନ ସେବାର ବାହାନା ଦେଖାଇ ଗତ୍ୟନ୍ତର ଅନୁମୋଦନ କଲେ ।

 

‘‘ଦିନେ ହଠାତ୍‌ ଦିନ ଏଗାରଟାବେଳେ ମୁଁ ଶୁଣିଲି ଯେ, କଂଗ୍ରେସ ସରକାର ସମସ୍ତ ରାଜବନ୍ଦୀଙ୍କୁ ମୁକ୍ତ କରିଦେଲେ । ମୁଁ ମଧ୍ୟ ମୁକ୍ତ ହେବି । ମହାପାତ୍ର, ଏଟା ସତ୍ୟ କି ସ୍ୱପ୍ନ ତା’ ମୁଁ କଳ୍ପନା କରିପାରିଲି ନାହିଁ । ସେ ସମୟରେ ମୋର ଯେଉଁ ଅନୁଭୂତି ତାକୁ ମୁଁ ପ୍ରକାଶ କରିପାରୁ ନାହିଁ । ବିନାଯୁଦ୍ଧରେ ଭାରତ ସ୍ୱାଧୀନ ହେଲା—ଏ କେବଳ ମହାତ୍ମା ଗାନ୍ଧିଙ୍କର ହିଁ ତପସ୍ୟାର ଫଳ ବୋଲି କହି ମୁଁ ଖୁଦାଙ୍କୁ ଶହେ ସଲାମ କରି ମହାତ୍ମାଜୀଙ୍କ ଦୀର୍ଘ ଜୀବନ ପ୍ରାର୍ଥନା କଲି ।’’

 

ଏତିକି କହି ସେ ଚମକି ପଡ଼ିଲା ପରି ହୋଇ ପଚାରିଲା—‘‘ଦେଖ ମହାପାତ୍ରେ, ୧୧ଟା ବାଜି ନାହିଁ ତ ।’’

 

ମୁଁ କହିଲି— ‘ନା, ଛ’ଟା ବାଜିବ ।’

 

ସେ ପୁଣି ଆରମ୍ଭ କଲା— ‘‘ମହାପାତ୍ର, ମୋର ସୁଖ ସ୍ୱପ୍ନ ଏପରି ଦାରୁଣ ଭାବରେ ଭାଙ୍ଗିଯିବ ବୋଲି ମୁଁ କଳ୍ପନା ମଧ୍ୟ କରି ନଥିଲି । ମତେ ସମସ୍ତେ ଫୁଲମାଳ ଦେଇ ପଟୁଆରରେ ଜେଲ ଫାଟକରୁ ଘେନି ଗଲେ । ହଜାର ହଜାର ଲୋକ ସେଦିନ ରୁଣ୍ତ ହୋଇଛନ୍ତି । ମହାତ୍ମା ଗାନ୍ଧି କି ଜୟ, କଂଗ୍ରେସ ସରକାର କି ଜୟ, ସ୍ୱାଧୀନ ଭାରତ କି ଜୟ ନାଦରେ ଆକାଶ ପାତାଳ କମ୍ପି ଉଠୁଛି । ସେବାଦଳ ସୈନିକମାନେ ବେଣ୍ତ୍‌ବାଜା ଆଗରେ ଚାଲିଛନ୍ତି । ହଠାତ୍‌ ସେକ୍ରେଟାରୀଏଟ୍‌ ସାମନାରେ ସମସ୍ତେ ଅଟକି ଗଲେ । ସେହିଠାରେ ବିରାଟ ସଭା ହେବ—ପ୍ରଧାନ ମନ୍ତ୍ରୀ ଭାଷଣ ଦେବେ ।

 

‘‘କିନ୍ତୁ ମହାପାତ୍ର—କି ଦଗାବାଜି—ମୁଁ ଚାହିଁ ଦେଖିଲି, ସେକ୍ରେଟରୀଏଟ ପଛରେ ତେବେ ବି—ତେବେ ବି ସେଇ ଇଉନିୟନ୍‌ ଜେକ୍‌ ଉଡ଼ୁଥିଲା—

 

‘‘ଓଃ—କି ଶଠତା—କି ଦଗାବାଜି!

 

ଏତକ କହି ରହିମ୍‌ ଛାଟିପିଟି ହେବାକୁ ଲାଗିଲା । ଗଁ, ଗଁ ଶବ୍ଦ କରି ସେ କହୁଥାଏ— ‘ଦୁନିଆ ଦଗାବାଜ—ଦୁନିଆ ଦଗାବାଜ’ ।

 

ତା’ପରେ ସେ ମୂର୍ଚ୍ଛା ଗଲା । ଠିକ୍‌ ଏଗାରଟା ବାଜିଲାକ୍ଷଣି ତାର ଜୀବନ ପ୍ରକୃତରେ ବାହାରିଗଲା ।

 

ସେହି ଦିନ ପାଖରୁ ଯେତେବେଳେ ଘଡ଼ିର ଏଗାରଟା ବାଜେ, ମୋର ମନେହୁଏ, ରହିମ୍‌ ଯେପରି ମୋ କଲିଜାରେ ଆସି ଏଗାର ଥର ବାଡ଼େଇ ଦେଇଯାଏ । କହେ— ‘‘ତୁ ବି ଦଗାବାଜ ।’’

 

* ଗଳ୍ପଟି ଇଂରାଜୀ ଏବଂ ଫରାସୀ ଭାଷାରେ ଅନୁଦିତ ଏବଂ ଉଚ୍ଚ ପ୍ରଶଂସିତ ।

Image

 

ଖୁଡ଼ୀ

–୧–

 

‘ଦାଦା, ଦାଦା, ଗୁତେ ମତଲ ଗାଲି ଆନିବ ।’

 

‘ମଟରଗାଡ଼ି କ’ଣ କରିବୁ ରେ ?’

 

‘ଚଲିକି ବୁଲିବି ।’

 

‘ଏକା–ଏକା?’

 

‘ନା, ତମକୁ ନେବି ଯେ ସାଙ୍ଗରେ!’

 

‘ଆଉ କାହାକୁ ନବୁ କହିଲୁ?’

 

‘ଆଉ ଛୁଆ ପୁଅକୁ ନେବି ।’

 

‘ଖୁଡ଼ୀକି?’

 

‘ନା—ଖୁଲିକି ନେବି ନାହିଁ ।’

 

‘କିରେ ଖୁଡ଼ୀକି ନବୁ ନାଇଁ ବୁଲେଇବାକୁ ତୋ ସାଙ୍ଗରେ?’

 

‘ନା—’

 

‘ସେ ପରା ତୋ ଖୁଡ଼ୀ—ତାକୁ ନବୁ ନାହିଁ ସାଙ୍ଗରେ?’

 

‘ନା—ସେ କାହିଁକି ମୋତେ ସୁଖ ପାଏ ନାହିଁ?’

 

ମହେନ୍ଦ୍ର ବାବୁ ପାନବଟାଟା ଭୁଲ୍‍ରେ ଛାଡ଼ି ଦେଇ ବାହାରି ପଡ଼ୁଥିଲେ । ଦୁଆର ପାଖରେ ହୋଇଛନ୍ତି ମନେ ପଡ଼ିଗଲା, ‘ହଇ ହୋ ପାନବଟାଟା ଆଣିଲ’, ବୋଲି ସହଧର୍ମିଣୀଙ୍କୁ ବରାଦ୍‌ କରି ଠିଆ ହୋଇଗଲେ । କୀଣୁ ଆସି ତାଙ୍କ ଲୁଗାକାନିକୁ ଧରି ସବୁଦିନ ପରି ଅଝଟ କରି ବସିଲା ।

 

ଏତିକିବେଳେ କୀଣୁର ଖୁଡ଼ୀ ଆସି ପହୁଞ୍ଚିଲେ ।

 

ମହେନ୍ଦ୍ର ବାବୁ ତାଙ୍କ ହାତରୁ ପାନବଟାଟା ନେଇ କହିଲେ, ‘ଶୁଣିଲଣି, କୀଣୁ ଲାଗି ଆଜି ଯେଉଁ ମଟରଗାଡ଼ି ଆସିବ ସେ ସେଥିରେ ତମକୁ ବୁଲେଇବବାକୁ ନେବ ନାହିଁ । ତମେ କାଳେ ତାକୁ ସୁଖ ପାଅ ନାହିଁ ସେଇଲାଗି ।’

 

‘ନ ନେଲେ ନ ନଉ । ବାପ ଗୋସାପ ତ ଦିହକେ ଶଗଡ଼ ଦେଖି ନଥିଲେ; ଆଉ ପୁଅ ଚଢ଼ିବେ ମ-ଟ-ର । ଲାଜ ନାହିଁ । ଆହୁରି କହୁଛୁ, ମୁଁ ତୋତେ ସୁଖ ପାଏ ନାହିଁ ବୋଲି ?’

 

କୀଣୁର ମୁହଁ ଫିକା ପଡ଼ିଗଲା । ଦାଦାର କୁଞ୍ଚକାନିରେ ଲୁଚି ଯିବାକୁ ମନ ହେଉଥିଲା ତା’ର । ଏଣେ ଖୁଡ଼ୀଙ୍କ ରାଗ ଗର ଗର ମୁହଁକୁ ଚାହିଁ କାବା ହୋଇଗଲାଣି ସେ ।

 

ମହେନ୍ଦ୍ର ବାବୁ କହିଲେ—‘ଛି, ଛୁଆଟାକୁ ଇମିତି କଥାଗୁଡ଼ାକ କହୁଛ ନା ?’

 

‘ଛୁଆଟାର ଆଉ କିଛି ଗୁଣ ନାହିଁ ? ତା’ ନାଁରେ ଖାଲି ମିଛରେ କହନ୍ତି ସମସ୍ତେ—ନୁହେଁ-? ଏତିକି ବକଟେ ନା’କୁ ଛୁଆ, ଗାଲ ଟିପିଦେଲେ ଦୁଧ ବାହାରି ପଡ଼ିବ—ତା’ କଥାରେ ତ ମଣିଷ କାନରେ ଆଙ୍ଗୁଳି ଦେଇ ବସିବ ଲୋ ମା ।’

 

ମହେନ୍ଦ୍ରବାବୁ—‘ଛୁଆଟେ ସେ ଜାଣିଚି କଅଣ ? ତା’ର କି ଦୋଷ ! ସେ ତମକୁ ଆମକୁ ଯିମିତି ଦେଖିବ ସିମିତି ଶିଖିବ । ତମର ସିମିତି କିଛି ବ୍ୟବହାର ଦେଖି ନଥିଲେ, କି ତମଠୁଁ ସିମିତି ହତାଦର ପାଇ ନଥିଲେ ସେ କହନ୍ତା କାହିଁକି ଏମିତି ?’

 

ଖୁଡ଼ୀ ରାଗରେ ଲାଲ ପଡ଼ିଯାଇ କହିଲେ—‘ତମେ ଖୁଡ଼ୁତା’ ପୁତୁରା ଦିହେଁ ଏକଯୋଟ ହୋଇଯାଅ । ମୁଁ ତ ସବୁ ଦୋଷ କରିଛି ପରଘର ଝିଅ ହେଇ !’

 

ମହେନ୍ଦ୍ର ବାବୁ ଉଁ କି ଚୁଁ କିଛି ନ କହି ମୁହଁ ଫେରାଇ ଚାଲିଗଲେ । କୀଣୁ ଅନିଚ୍ଛାରେ ତାଙ୍କ ଲୁଗା କାନି ଛାଡ଼ିଦେଇ କାଠ ପରି ଠିଆ ହୋଇ ରହିଲା ।

 

–୨–

 

ମହେନ୍ଦ୍ରବାବୁ ଅଦାଲତର ହେଡ଼୍‌କିରାନି । ଦରମା ତ ଦରମା, ତା’ ଛଡ଼ା ଉପୁରି ଅନେକ-। କୁଟୁମ୍ୱ ଭିତରେ ସେ, ତାଙ୍କ ସ୍ତ୍ରୀ, ତିନିଚାରି ବରଷର ବାପ ମା ଛେଉଣ୍ତ ପୁତୁରାଟି, ଆଉ ପୁଅଟିଏ ପାଞ୍ଚ ଛଅ ମାସର ହେବ । ସେଥିଲାଗି ଅଭାବ କଅଣ ଜାଣନ୍ତି ନାହିଁ ସେ ଦିନେ । ପରିବାରଟି ବେଶ ସୁଖ ଶାନ୍ତିରେ ଥାନ୍ତି ।

 

କୀଣୁ ଦୁଇବରଷବେଳରୁ ବାପ ମାଙ୍କୁ ଖାଇ ବସିଛି । କିନ୍ତୁ ମହେନ୍ଦ୍ର ବାବୁଙ୍କ ଯୋଗୁଁ ସେ ଅଭାବଟାକୁ ସିମିତି ବୁଝି ପାରିନାହିଁ । ଖୁଡ଼ୀ ବି ତା’ର ତାକୁ ଯେ ସୁଖ ନ ପାନ୍ତି ଇମିତି କଥା ନୁହେଁ-। ଅନ୍ତତଃ ବାପ ମା ଛେଉଣ୍ତ ଛୁଆଟି ପ୍ରତି ଦୟା ତ ଥିଲା ତାଙ୍କର । କିନ୍ତୁ ପିଲାଟି ଜନ୍ମ ହେଲା ଦିନରୁ କୀଣୁ ପ୍ରତି ଆଉ ସିମିତି ଦୃଷ୍ଟି ରହିଲା ନାହିଁ । କୀଣୁ ବୁଝିପାରେ ଯେ ଖୁଡ଼ୀ ତାକୁ ଆଉ ତେତେ ସୁଖ ପାଉ ନାହିଁ । ପିଲା ପ୍ରାଣ ଆଦରର ବଶ । ସ୍ନେହର ଅଭାବ ସେ ନ ବୁଝନ୍ତା କିମିତି-? ତେବେ କାରଣ କଅଣ ସେ ଜାଣିବ କିପରି ?

 

କୋଡ଼ରେ ପିଲାଟି ପିଛା ଦିନରାତି ଲାଗି ଲାଗି, ଖୁଡ଼ୀ କ୍ରମେ କୀଣୁର ଆବଦାର ସହ୍ୟ କରି ପାରିଲେ ନାହିଁ । ମଣିଷ ଜୀବନ ତ, କେତେ ସହିବ ? ଘରର ଯାବତ ଜଞ୍ଜାଳ, ତା’ପରେ ଶେଯ ଛୁଆଟାର କିଛି ନା କିଛି ଦିହ ବାଧିକି ସବୁଦିନ ଲାଗି ରହିଛି । ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । କୀଣୁର ଅଝଟ ତାଙ୍କୁ ଆଉ ସୁଖ ଲାଗିଲା ନାହିଁ ସେମିତି । କଥାରେ କଥାରେ ସେ ବେଳେ ବେଳେ କହନ୍ତି—ମାରିବାଲାଗି । ଯେଉଁଦିନ ପାଖରୁ ଖୁଡ଼ୀଙ୍କ ମନରୁ କୀଣୁ ପର ହୋଇଛି କୀଣୁର ଅଳି ଅରଦଳି ସେଇଦିନଠୁଁ ସରିଛି । କୀଣୁ କେବଳ କାନ୍ଦେ, ଆଉ ବେଳେ ବେଳେ ନୁଖୁରା ରାଗ ଦେଖାଏ—ଭାରି ବିରକ୍ତ ହୁଏ । ତା’ ଦ୍ୱାରା ଖୁଡ଼ୀ ଆହୁରି ଅଧିକା ଚିଡ଼ି ଉଠନ୍ତି । ସେ କୀଣୁର ଦୁର୍ଭାଗ୍ୟ ।

 

–୩–

 

କୀଣୁର ଦାଦା କିନ୍ତୁ କୀଣୁକୁ ଖୁବ୍‌ ସୁଖ ପାଉଥିଲେ । କଚେରୀରୁ ଫେରିଲାବେଳକୁ କୀଣୁ ପାଇଁ କିଛି ନା କିଛି ଜିନିଷ ଆଣନ୍ତି । ବେଶୀ ଦିନ ଜଳଖିଆ । ସେଦିନ କୀଣୁ ଗୋଟାଏ ମଟର ଗାଡ଼ି ପାଇଁ ଦାଦାଙ୍କୁ କହିଲା । ମହେନ୍ଦ୍ର ବାବୁ କଚେରୀ ଗୋଟାକ ଖୋଜି ଖୋଜି ଛୁଆ ଖେଳନା ମଟର ଗାଡ଼ି ଆଉ ପାଇଲେ ନାହିଁ । ସେଥିପାଇଁ ତା’ ବଦଳରେ ଖୁବ୍‌ ଭଲ ଭଲ ଜଳଖିଆ ଆଣିଲେ । ଘରେ ଗୋଡ଼ ଦେଇଛନ୍ତି କି ନାହିଁ କୀଣୁ ଦୌଡ଼ି ଦୌଡ଼ି ଯାଇ କହିଲା— ‘ମତଲ କାହିଁ, ମତଲ ?’

 

‘‘ଆ, ଘରକୁ ଆ—ନବୁ’’ କହି ମହେନ୍ଦ୍ରବାବୁ ଘର ଭିତରକୁ ଗଲେ । କୀଣୁ ତାଙ୍କ ପଛରେ ‘ମୋ ମତଲ ମୋ ମତଲ’ କହି ଗୋଡ଼େଇ ଗୋଡ଼େଇ ଗଲା । ଘରକୁ ଗଲାରୁ ମହେନ୍ଦ୍ରବାବୁ ଜଳଖିଆ ଠୋଲାଟା ତା’ ହାତକୁ ବଢ଼ାଇ ଦେଇ କହିଲେ— ‘ହେଇଟି ଦେଖିଲୁ କି ସୁନ୍ଦର ମିଠେଇ ।’ କୀଣୁ ଠୋଲାଟା ହାତକୁ ନେଇ ଭଲ କରି ଦେଖିଲା । ମଟର ନ ପାଇ ସେ ମିଠାଇ ଠୋଲାକୁ ତଳେ ଫୋପାଡ଼ି ଦେଇ କାନ୍ଦି ଉଠିଲା । — ‘ମତଲ କାହିଁ ମତଲ? —ମତେ ମତଲ ଦିଅ—ଏଁ-ଏଁ-ଏଁ ।’ ମହେନ୍ଦ୍ରବାବୁ ବୁଝେଇଲେ, — ‘ତୁ ଆଗ ଖା’ କି ତା’ପରେ ମଟର ନବୁ-।’ ସେ କିନ୍ତୁ ସହଜରେ ଭୁଲିଯିବା ଛୁଆ ନୁହେଁ । ସେମିତି ଅଝଟ ଧରି ବସିଲା । ଖୁଡ଼ୀ ଟିକିଏ ବିରକ୍ତ ହେଇ କହିଲେ, ‘ନ ଖାଇଲା ତ ନାହିଁ । ତାକୁ ଛାଡ଼ିଦିଅ । ସତେ ଯେମିତି ଆମକୁ ସରଗକୁ ନବ । ଇୟା ଖାଇବାଲାଗି ପୁଣି ଏତେ ଚିନ୍ତା !’

 

କୀଣୁ କଳାକାଠ ପଡ଼ିଗଲା । ଡରରେ ଆଉ ଉଁ କି ଚୁଁ କିଛି କହିଲା ନାହିଁ । ତା’ ଦେଖି ମହେନ୍ଦ୍ରବାବୁଙ୍କର ଛେଉଣ୍ତ ପୁତୁରାଟି ପ୍ରତି ବଡ଼ ଦୟା ହେଲା । ସେ ତାକୁ କାଖକୁ ନେଇ କହିଲେ–‘ନା-ନା-କାନ୍ଦନା, ମଟରବାଲାକୁ କହି ଆସିଛି, କାଲି ମଟରଗାଡ଼ି ଆଣି ଆମ ଦାଣ୍ତରେ ପହୁଞ୍ଚେଇ ଦେବ । ତୁ ଖାଇଦେ, —ସୁନା ପୁଅଟା ପରା, ମୋର ସାଙ୍ଗରେ ଖାଇବୁ ?’

 

କୀଣୁ ସକ୍‌ସକ୍‌ ହୋଇ ମୁଣ୍ତ ଟୁଙ୍ଗାରିଲା । ମହେନ୍ଦ୍ରବାବୁ ଜଳଖିଆ ଆଣିବାକୁ ବରାଦ୍‌ କଲେ । ଖୁଡ଼ୀ ଗୋଟିଏ ଥାଳିରେ ନିମିକି, ରସଗୋଲା ବାଢ଼ିଆଣି ଥୋଇ ମୁହଁଟାକୁ ଫଣ ଫଣ କରି କହିଲେ— ‘ଛୁଆଟାକୁ ମୁହଁ ଦେଇ ଦେଇ ମାଟି କରି ଦେବେ । ସେ ତ ଆଉ କାହାରିକୁ ମଣିଷ ବୋଲି ଗଣୁ ନାହିଁ । କର ବାବା ତମର ଯାହା ଇଚ୍ଛା—ମୁଁ କହିଲେ ତ ଏଇଲେ.....’

 

ଠିକ୍‌ ଏତିକିବେଳ କୀଣୁର ଗୋଡ଼ ବାଜି କାଚ ଗିଲାସଟି ତଳେ ପଡ଼ି ଭାଙ୍ଗିଗଲା । ଆଉ ଖୁଡ଼ୀଙ୍କୁ ସମ୍ଭାଳେ କିଏ ? ରାଗରେ ପଞ୍ଚମ ହୋଇ କୀଣୁର ଦୁଇ ଗାଲକୁ ଦୁଇ ଥାପଡ଼୍‌ ଲଗାଇ ଦେଇ କହିଲେ— ‘ସାଇଲା-ସାଇଲା-ସବୁ ସତ୍ୟାନାଶ କଲା । ମୁଁ ଏବେ କରିବି କଅଣ ତାକୁ ? ତମେ କିଛି ବୋଲି କିଛି କହିବ ନାହିଁ । ଇଃ—ବାପା ମାଲ ଥୁଆ ହୋଇଥିଲା ପରି ଭାଙ୍ଗି ଦେଉଛି ।’ କହି ପୁଣି ଦୁଇଖନ୍ଦା ଲଗାଇଲେ । କୀଣୁ ଭାଁ-ଭାଁ କରି ଚିହିଡ଼ା ଛାଡ଼ି କାନ୍ଦି ଉଠିଲା ।

 

‘ହାଁ-ହାଁ, ଛୁଆଟାକୁ ମାରୁଛ? ସେ କଅଣ ଜାଣି ଶୁଣି ଭାଙ୍ଗି ଦେଲା ନା ଗିଲାସଟାକୁ ? ପିଲା ଲୋକ, ଖେଳୁ ଖେଳୁ କିମିତି ଟିକିଏ ନାକୁ ଗୋଡ଼ ବାଜିଗଲା—ସେ କଅଣ କରିବ ଭଲା ।’ କହି ମହେନ୍ଦ୍ରବାବୁ କୀଣୁକୁ ତୁନି କରିବାପାଇଁ କୋଳକୁ ଟାଣି ନେଲେ ।

 

ଖୁଡ଼ୀ କହିଲେ, ‘‘ତମେ ତାକୁ ଯେମିତି ମୁହଁ ଦଉଚ, ଏଥର ତମେ ତମର ସମ୍ଭାଳିବ—ମୁଁ କିଛି କହିବି ନାହିଁ ।’’

 

ମହେନ୍ଦ୍ରବାବୁ ଟିକିଏ ରାଗିଯାଇ କହିଲେ—‘‘ନ କହିବ ନାହିଁ, ଚାଲିଯାଅ । ବକ୍‌ବକ୍‌ କରନାହିଁ ଏଠି ।’’

 

‘ହଉ ଫେର୍‌ ଦେଖିବ, ତା’ କଥାରେ ପାଟି ଫିଟାଇବି ତ ପୁଣି ମୁଁ ବାପର ଝିଅ ନୁହେଁ, ହାଡ଼ିର ଝିଅ ।’

 

ଏହା କହି ଖୁଡ଼ୀ ଧପ୍‌ଧପ୍‌ ହୋଇ ସେ ଘରୁ ବାହାରି ଗଲେ ।

 

–୪–

 

କୀଣୁ ଗୋଟେ ନୂଆ ବଲ ପାଇଛି, ତା’ ମଟର ବଦଳରେ । ଦାଦା କଚେରୀକି ବାହାରି ଗଲେ ସେଇ ବଲଟି ନେଇ ଛାତ ଉପରେ ଡିଆଁ ମାରି ଖେଳେ । ଶୀତ ଦିନ । ନରମାବାହୁଡ଼ା ସୂର୍ଯ୍ୟଟି ଆକାଶର ଉଚ୍ଚ ମଥାନ ଉପରୁ ବାଡ଼ିପଟ ପୋଖରୀରେ ତା ଛାଇଟା ଦେଖି ଖତେଇ ହେଉଥିଲା ବେଳେ ଖସିପଡ଼ି ତିନ୍ତୁଳି ଗଛ ଉଢ଼ାଳ ପିଢ଼ା ଅଧରେ ଅଟକି ଯାଇଛି ଯେପରି । ଛାତ ଉପରକୁ ବେଶୀ ଖରା ନଥାଏ; ଖୁଡ଼ୀ ଅଧ ଖରା ଅଧ ଛାଇରେ ବସି ପିଲାଟିକୁ ଦୁଧ ପିଆଉଥିଲେ-। ହଠାତ୍‌ ଦେଖିଲେ, ବଲ୍‌ଟା ଡେଇଁ ଡେଇଁ ଛାତର ଧାର ଆଡ଼କୁ ଚାଲି ଯାଉଛି; ଆଉ, ତା’ ପଛେ ପଛେ ନାଚି ନାଚି ଗୋଡ଼େଇ ଯାଉଛି–କୀଣୁ । ମନ ହେଲା ମନା କରିଦେବାକୁ–‘ହାଁ ହାଁ–ପଡ଼ିଯିବୁ, ଛାତ ଧାରକୁ ଯାଆ ନାହିଁ ।’ କିନ୍ତୁ, କି ଗୋଟାଏ ରୁଦ୍ଧ ଅଭିମାନ ତାଙ୍କ ଜିଭକୁ ମୁଠେଇ ଧଇଲା ଯେପରି । ସେ ମନ କରି ମଧ୍ୟ କିଛି କହି ପାରିଲେ ନାହିଁ । ଦେଖୁଁ ଦେଖୁଁ ବଲଟା ଛାତ ଉପରୁ ତଳକୁ ଡେଇଁ ପଡ଼ିବାକୁ ବସିଲା । କୀଣୁ ତଥାପି ତା’ ପିଛା ଧରିଛି । ଖୁଡ଼ୀଙ୍କର ଭୟ ହେଲା, ପିଲାଟା ଯଦି ତା’ ସଙ୍ଗେ ସଙ୍ଗେ ତଳେ ପଡ଼ିଯାଏ । ସତକୁ ସତ କୀଣୁ ବଲଟାକୁ ଧରିବାପାଇଁ ଛାତ ଧାରକୁ ଦଉଡ଼ି ଗଲାକ୍ଷଣି, ଅଳ୍ପ ଉଚ୍ଚ ବାଡ଼ଟା ଦେହରେ ହାବୁଡ଼ି ଯାଇ କଚାଡ଼ି ପଡ଼ିଲା-। ଦୈବ ଯୋଗକୁ ଛାତର କାର୍ନିସରେ ତା’ର ଗୋଟାଏ ହାତ ଅଟକି ଗଲା । ସେ ଚିତ୍କାର କରି ଉଠିଲା ଖୁଲି-ଖୁଲି–ପଇଲି । ମୁହୂର୍ତ୍ତକୁ ମୁହୂର୍ତ୍ତ ତା’ର ବାହୁ ଦୁର୍ବଳ ହୋଇ ପଡ଼ୁଥିଲା । ପଡ଼ିଯିବାର ଭୟରେ ସେ ଅଧିକ ନିସ୍ତେଜ ହୋଇ ଯାଉଥିଲା । ବାରମ୍ୱାର ରଡ଼ି କଲା–‘ଖୁଲି ମତେ ଧଲ–ମତେ ଧଲ-।’

 

ଖୁଡ଼ୀ ମୁହଁରୁ ବାହାରି ଆସୁଥିଲା— ‘‘ଖୁବ୍‌ ହୋଇଛି—ଆଚ୍ଛା ହୋଇଛି ।’’ ଜିଭ ଅଧରେ ସେ କିନ୍ତୁ ଅଟକି ଗଲା ।

 

ସେଦିନର ଅପମାନ ଖୁଡ଼ୀଙ୍କ ମନରେ ପଡ଼ିଗଲା । ସେ କିଛି ନ କହି ସେମିତି ବସି ରହିବାକୁ ଠିକ୍‌କଲେ । କିନ୍ତୁ ତାଙ୍କ ଅଜାଣତରେ ସେ ଛୁଆଟିକୁ ତଳେ ଗଡ଼ାଇ ଦେଇ ସେ ଯେ କୀଣୁ ପାଖକୁ ଦଉଡ଼ି ଗଲେଣି, ଏ କଥା ତାଙ୍କର ଆଦୌ ଖିଆଲ ନାହିଁ ।

 

କୀଣୁର ହାତ ଯେତେବେଳେ ଛାତରୁ ଅଲଗା ହୋଇଗଲା ‘‘ମୋ ଛୁଆ’’ ବୋଲି ଖୁଡ଼ୀ କାନ୍ଦି ଉଠିଲେ । କିନ୍ତୁ କୀଣୁକୁ ଧରୁ ଧରୁ ସେ ଯାଇ ତଳେ । ଆଉ ଖୁଡ଼ୀ ?

 

ଖୁଡ଼ୀ ମଧ୍ୟ ଧରିବାକୁ ଯାଇଁ ନିଜେ ତଳେ ଓଲଟି ପଡ଼ିଲେ । ଛୁଆଟା ତଳେ ‘ଭେଁ, ଭେଁ କାନ୍ଦି ଉଠିଲା । କିନ୍ତୁ ଶୁଣୁଛି କିଏ ?

 

–୫–

 

‘‘ପଡ଼ିଗଲା-ପଡ଼ିଗଲା—ଛୁଆଟା ପଡ଼ି ମରିଗଲା, ଧର—ଧର ।’’

 

ଯେତେବେଳେ ସାମାନ୍ୟ ଚେତନା ହୁଏ, ଖୁଡ଼ୀ ସେତେବେଳେ କେବଳ ଏଇଭଳି ବାଉଳି ହେବାକୁ ଲାଗିଲେ । କେତେ ବେଳେ—‘ମୋ ଛୁଆ’ ବୋଲି ମୂର୍ଚ୍ଛା ହୋଇ ଯାଉଥିଲେ । ଡାକ୍ତର ଶେଷବେଳକୁ ଆଶା ଛାଡ଼ିଦେଲା । ମୁଣ୍ତରୁ ଅନବରତ ରକତ ଧାରା ଛୁଟିବାକୁ ଲାଗିଲା । ଯେତେ ଉପାୟ କଲେ ଆଉ ବନ୍ଦ ହେଲା ନାହିଁ ।

 

‘ହାୟ, ମା ଛେଉଣ୍ତ ପିଲାଟି ମୋ’ରି ଲାଗି ସିନା’—ଏତକ କହି ଖୁଡ଼ୀଙ୍କର ଯେ ଚେତନା ହଜିଗଲା ଅନେକ ବେଳଯାଏ ସେ ଆଉ ଫେରିଲା ନାହିଁ । ସମସ୍ତେ ମନେକଲେ ଏଇ ଶେଷ । ମହେନ୍ଦ୍ରବାବୁ ଯେତେ ଚାହିଁଲେ କୀଣୁକୁ ନେଇ ତା’ର ଖୁଡ଼ୀ ଆଗରେ ଠିଆ କରେଇ ଦେବାକୁ ଡାକ୍ତର ମନା କଲା, କାରଣ ମନର ପ୍ରବଳ ଉଦ୍‌ବେଗରେ କାଳେ ହାର୍ଟଫେଲ କରିଯିବ । କୀଣୁ ବି ଖୁଡ଼ୀକି ଦେଖିବ ବୋଲି ଯେତେ କାନ୍ଦିଲା ତାକୁ କେହି ତାଙ୍କ ପାଖୁ ଛାଡ଼ିଲେ ନାହିଁ । ସେ ବେଶୀ କିଛି ଆଘାତ ପାଇ ନଥିଲା—କେବଳ ଗୋଡ଼ଟା ମଚକି ଯାଇଥିବାରୁ ସେ ବୁଲାଚଲା କରି ପାରୁ ନଥିଲା ।

 

–୬–

 

କୀଣୁ ଆଜିକାଲି ଇଂରେଜୀ ସ୍କୁଲରେ ପାଠ ପଢ଼େ । ସେ ଆଉ ଏବେ ଦାଦାକୁ ଦାଦା ବୋଲି ଡାକେ ନାହିଁ କି ଖୁଡ଼ୀକି ଖୁଡ଼ୀ ବୋଲି କହେ ନାହିଁ । ଡାକେ, ବାପା ଆଉ ବୋଉ । ସେ ନିତି ସ୍କୁଲରୁ ଫେରିଲାବେଳକୁ ଖୁଡ଼ୀ କିଛି ନା କିଛି ଭଲ ଜଳଖିଆ କରି ରଖିଥାନ୍ତି । ସେ ସେତକ ତର ତର କରି ପାଟିରେ ପକାଇ ଦେଇ ଖେଳିବାକୁ ଦଉଡ଼ି ଯାଏ ।

 

ପାଠ ପଢ଼ିବାବେଳ ଛାଡ଼ି ଦେଲେ କୀଣୁର ବୋଉ ବିନା ଦଣ୍ତେ ଚଳେ ନାହିଁ । କୀଣୁ ଟିକିଏ ଖରାପ ଥିଲେ କି ଦେହ ଟିକିଏ କିଛି ହେଲେ ବୋଉଙ୍କୁ ଦୁନିଆଟା ବିଷ ପରି ବୋଧହୁଏ । ଏଣିକି ଆହୁରି ମହେନ୍ଦ୍ରବାବୁ ଦିନେ ଦିନେ କହନ୍ତି—ଛୁଆଟାକୁ ତୁମ ଗେହ୍ଲା କରି କରି ତା’ ପଢ଼ାପଢ଼ି ସବୁ ମାଟି କରିବ ।

 

X X X

 

କୀଣୁର କାଲି ବାହାଘର, ଆଜି ମଙ୍ଗଳନ । କୋଇଲିବୁଡ଼ ସାରି କୀଣୁ ବୋଉ ଯେତେବେଳେ ଦିଅଁକୁ ମୁଣ୍ତିଆ ମାରି ଉଠିଲେ ତାଙ୍କ ମଥାରୁ ଲୁଗା ଖସିଗଲା । ସେତେବେଳକୁ ସେ ଦରବୁଢ଼ୀ । ମଥାର ଅଧେ ବାଳ ଉଠିଯାଇ ଚାନ୍ଦିଆ ହୋଇଗଲାଣି । ଯେଉଁ ବାଳ କେରାକ ଅଛି ତହିଁରୁ କେଇଟା ଧଳା ଆଉ କେଇଟା କହରା ଦିଶୁଛି । ବୋଉ ମଥା ଉପରେ କୀଣୁର ହଠାତ୍‌ ଆଖି ପଡ଼ିଗଲା । ସେ ଦେଖିଲା, ଲମ୍ବ ହୋଇ ଗୋଟାଏ ସିନ୍ତାପରି ତା’ର ବୋଉ ମଥାରେ ଗୋଟେ ଦାଗ ପଡ଼ିଛି । ସେ ବ୍ୟସ୍ତ ହୋଇ ଆଗ୍ରହରେ ପଚାରିଲା—ବୋଉ, ତୋ ମଥାରେ କି ଦାଗ ଏଡ଼ୁଟେ ? ବୋଉଙ୍କ ଆଖିରୁ ଖାଲି ଠପଠପ କରି ଦୁଇ ବିନ୍ଦୁ ଲୁହ ଗଡ଼ି ପଡ଼ିଲା । ସେ ଅଶ୍ରୁ ଦୁଃଖର କି ଆନନ୍ଦର ତା’ କିଏ କହି ପାରିବ ?

Image

 

ପରିବର୍ତ୍ତନ

 

ରାଧୁରାମ ଜାତିରେ ମୋଚି । ଜୋତା ସିଲାଇ କରି ସେ ବେଶ ଦି’ ପଇସା କରେ । ତା’ ବାପାର ଥିଲା ସେ ଗୋଟିଏ ପୁଅ । ପଛିମରୁ ସେମାନେ ଏ ଦେଶକୁ ଉଠି ଆସିଥିଲେ । ଆସିଲାବେଳକୁ ରାଧୁରାମର ବୟସ ଦଶ ବାର ହେବ । ପ୍ଳେଗ ରୋଗରେ ତା’ ମା ମଲା, ତା’ର ଗୋଟିଏ ଭଉଣୀ, ଗୋଟିଏ ଦାଦା ଦିନ କେଇଟାରେ ପାର ପାଇଗଲେ । ତା’ର ବାପା ବୋଧରାମ, ଛାନିଆ ହୋଇ ଏକମାତ୍ର ପୁଅ ରାଧୁରାମକୁ ନେଇ, ସେ ଦେଶରୁ ଉଠି ଏ ଦେଶକୁ ପଳାଇ ଆସିଲା-। ଆଉ ଏଇଠି ସେ ମାଟି କିଣିଲା ତାର ଶେଷ ଶଯ୍ୟା ପାଇଁ ।

ବୋଧରାମ ଛକ ମୋଡ଼ରେ ବସି, ୟା ଦୁଆରେ ତା’ ଦୁଆରେ ବୁଲି ଖାଲି ଜୋତା ମରାମତି କରି ମଲାବେଳକୁ ଯେଉଁ ସମାନ୍ୟ କିଛି ସଞ୍ଚୟ କରି ଯାଇଥିଲା, ତା’ରି ବଳରେ ରାଧୁରାମ ବେଶ୍‌ ଖଣ୍ତିଏ ଦୋକାନ କରି ଘରେ ବସି ରୋଜଗାର କରିବାକୁ ଲାଗିଲା ।

ରାଧୁରାମର ଦୋକାନ ହେବାଦିନଠାରୁ ଯେ ତା’ର ଅବସ୍ଥା ଭଲ ରୂପେ ନିଘା କରିଛି ସେ ଦେଖିଛି, ରାଧୁରାମ ପ୍ରଥମେ ତା’ର ଦୋକାନ ଚାଳିଆ ଖଣ୍ତର ତଳି ପକା କଲା, ତା’ ପରେ ତା’ ଛପର ଖଣ୍ତିକ ଟିଣ କଲା, ତା’ ପରେ ତା’ ଘରତଳି ପକା କଲା, ଦୋକାନ ଘର ପକା ହେଲା । ହଉଁ ହଉଁ ବରଷ କେଇଟାରେ ରାଧୁରାମ ପୂରାପୂରି ପକାଘରେ ରହିଲା ।

ଏଡ଼େ ସଚଳ ଅବସ୍ଥା ଭିତରେ ବି ରାଧୁରାମକୁ କେତେବେଳେ ହେଲେ କେହି ବଜାରୀଙ୍କ ଭଳି ହେଁ ହେଁ ଫେଁ ଫେଁ କରି ହସିବାର ଦେଖି ନ ଥିବ । ସବୁବେଳେ ସେ ନ୍ୟୂନ, କାକୁସ୍ଥ ହୋଇ ରହିଥାଏ ।

 

ରାଧୁରାମର ଚାଳିଶ ବର୍ଷରେ ଗୋଟିଏ ପୁଅ ହେଲା । ତା’ ଆଗରୁ ସମସ୍ତେ କହୁଥିଲେ ଯେ, ପିଲାଝିଲା କିଛି ନ ଥିବାରୁ ରାଧୁମନରେ କେତେବେଳେ ବୋଲି କେତେବେଳେ ସୁଖ ନ ଥାଏ-। କିନ୍ତୁ ପିଲା ତ ହେଲା । ମାତ୍ର ରାଧୁରାମକୁ ତେବେ ବି ଆନନ୍ଦରେ ନାଚି-ଉଠିବାର କେହି ଥରେ ହେଲେ ଦେଖି ନଥିବ । ରାଧୁରାମ ଯାହା ଥିଲା, ସେଇଆ । ହସେ ନାହିଁ କି କାନ୍ଦେ ନାହିଁ ।

 

ପୁଅ ହେବା ଆଗରୁ ରାଧୁରାମ ଯେତେ ଦିଅଁ ଦେବତାଙ୍କୁ ପୂଜା କରିଥିଲା, ପିଲା ହେବା ପରେ ବି ସେମାନଙ୍କ ଭିତରୁ କେହି ଜଣେ ଛାତିରେ ହାତ ରଖି କହିପାରିବ ନାହିଁ ଯେ, ସେ ଅନ୍ତତଃ ଦଶଥରରୁ ବେଶୀ ରାଧୁ ପଇସାରୁ ଭୋଗ ଖାଇନାହିଁ । ପୁଅ ହେବା ଆଗରୁ ଭାଟ ଭିଖାରୀ ଯେ ଆସୁଥିଲା, ଅଧଲେ ପାହୁଲେ, ଏମିତି ନ ହେଲେ ଚାଉଳ ମୁଠାଏ ବି ସେ ଯେମିତି ପାଉଥିଲା । ଏବେ ବରଂ ତା’ଠାରୁ ବେଶୀ କେହି କେହି ପାଉଥିବେ । କିନ୍ତୁ ଖାଲି ହାତରେ କେବେ କେହି ଫେରିଛି ଏ କଥା କାହାରି ମୁଖରୁ ଶୁଣିବ ନାହିଁ ।

 

ଏବେ ଆଉ ଗୋଟିଏ ଖରଚ ତା’ର ବଢ଼ିଯାଇଛି । ରାଧୁରାମର କହ୍ନେଇଆ ଯେତେବେଳେ କହ୍ନେଇରାମ ହୋଇ ନଥିଲା—ଅର୍ଥାତ୍‌ ରାଧୁପୁଅ କହ୍ନେଇ ଯେତେବେଳେ ବକଟେନାକୁ ପିଲା—ଚାରି ପାଞ୍ଚବର୍ଷର ଛୁଆ—ସେହି ଦିନରୁ ଏ ଅଧିକା ବାହାର ଖର୍ଚ୍ଚଟା ଆରମ୍ଭ ହୋଇଛି । କହ୍ନେଇଆକୁ ଆଜି ସମସ୍ତେ କହ୍ନେଇରାମ ବୋଲି ଡାକିବାକୁ ଆରମ୍ଭ କଲେଣି । ସେ ଆଜି ଉଣେଇଶ କୋଡ଼ିଏ ବର୍ଷର ଭେଣ୍ତା । କିନ୍ତୁ ସେ ଖରଚଟା ବନ୍ଦ ହେବା ତ ଦୂରର କଥା । କମନ୍ତା କଅଣ ନା, ଆହୁରି ଦିନକୁ ଦିନ ବଢ଼ି ଚାଲିଛି । କହ୍ନେଇଆ ମନାକରେ, ବେଳେ ବେଳେ ଅଯଥା ଖରଚ ପାଇଁ ବାପା ଉପରେ ବିରକ୍ତ ହୁଏ, କିନ୍ତୁ ବୁଢ଼ା ବାପର ମନ ବୁଝେ ନାହିଁ । ବୁଢ଼ା ଆଖିରେ କହ୍ନେଇଆ ସେଦିନ ଯେମିତି ବକଟେନାକୁ ଛୁଆ ଆଜି ବି ସେମିତି ।

 

ଏକା କହ୍ନେଇଆ କାହିଁକି, ରାଧୁରାମ ଆଖିରେ ଦୁନିଆଟା-ଯାକର ଯେମିତି କିଛି ବଦଳି ନାହିଁ । ବରଷ ପରେ ବରଷ ବିତିଯାଉଛି । ଖରା, ବର୍ଷା, ଶୀତ, କାଳର ପ୍ରତି ବର୍ଷ ଯେମିତି ଆସେ ସେମିତି ଯାଏ । କଉଁ ବର୍ଷ ଆଉ ଛାଡ଼ି ନାହିଁ ତା’ର—କଉଁ ବର୍ଷ ନ ହେଲା ଟିକିଏ ବେଶୀ, କଉଁ ବର୍ଷ ବା କମ୍‌, ଗଛ ପତ୍ର ବାଗ ବଗିଚା ସେଦିନ ଯେମିତି ସବୁ ଥିଲା ବି ସେମିତି ଅଛି—ଖାଲି ଟିକିଏ—ନାଁକୁ ଏଠି ସେଠି ସେମିତି ଆଜିଯାଏ ଅବିକଳ ରହିଛନ୍ତି । କିଛିହେଲେ କିଛି ବଦଳି ନାହିଁ-

 

କହ୍ନେଇଆ ତା’ ଦୋକାନ ଘରେ ବସି ସେ ଦିନ ଖେଳୁଥିଲା, ଆଜି ବସି କାମ କରୁଛି । କିନ୍ତୁ ତଥାପି ସେମିତି କହ୍ନେଇଆ ରହିଛି । କହ୍ନେଇଆ ସେ ଦିନ ଅଳି କରୁଥିଲା, ଅଝଟ ଧରୁଥିଲା, ଆଜି ସେ ଚୁପ୍‌ଚାପ୍‌ । ତଥାପି ଯେମିତି କହ୍ନେଇଆ ମନେ ମନେ ଅଳି କରେ ଅଝଟ ଧରେ, କିନ୍ତୁ ବାହାରକୁ ଦେଖାଇବାପାଇଁ ଲାଜ ମାଡ଼େ ।

 

ସେ ଦିନ ଯେମିତି ଘୁଙ୍ଘୁ ରଦାନାବାଲା—ଚନାଚୁର୍‌ରମୁର୍‌ର ଡାକି ଯାଏ, ଆଜି ବି ସେମିତି ଯାଉଛି । କହ୍ନେଇଆ ଆଉ ‘‘ବାବା, ଚନାଚୁର୍‌ ବୋଲି କାନ୍ଦୁ ନାହିଁ । କିନ୍ତୁ ଆଖିରେ ଯେମିତି କହ୍ନେଇଆର ମନ ଠିକ୍‌ ସେମିତି ଅଛି ।

 

ସେ ଦିନ ଯେମିତି ‘ଦେଶୀ ବିସ୍କୁଟବାଲା’ ଡାକି ଡାକି ଗଲାବେଳେ କହ୍ନେଇଆ ‘ବିସ୍କୁଟ ବିସ୍କୁଟ’ କହି ନାଚିଯାଏ ପରସ୍ତେ, ଆଜି ରାଧୁ ସେମିତି ନାଚୁ ନାହିଁ । କିନ୍ତୁ ତଥାପି ବିସ୍କୁଟ ବାଲା ଗଲାବେଳେ ରାଧୁ କହ୍ନେଇ ମୁହଁକୁ ଥରେ ଚାହେଁ, ତା’ପରେ ବିସ୍କୁଟବାଲା ଆସି ଯେତେବେଳେ ପଚାରେ ‘ବିସ୍କୁଟ ?’ —ବୁଢ଼ା କହେ, ‘ହଉ, ଦେଇ ଯାଇଥା ଦି ପଇସାର ।’

 

ଆଜି ଯେମିତି ବରାବର ବରା ଗୁଲୁଗୁଲା ମିଠାଇ ନେଇ ଗୁଡ଼ିଆ ରଡ଼ି ଛାଡ଼ି ଚାଲିଛି, ସେଦିନ ବି ସେମିତି ଯାଉଥିଲା । କହ୍ନେଇଆ ତା’ ପଛେ ପଛେ ଗୋଡ଼େଇ ଯାଏ ଖଣ୍ତେ ବାଟ । କିନ୍ତୁ ଆଜି ନ ଗଲେ ବି ରାଧୁ ଡାକେ— ‘ଏ ସାହୁ ଦେଇଯା, ଦେଇଯା ।’ ତଫାତ୍‌ ଏତିକି ସେ ଦିନ ପଇସାଟିକର ରହୁଥିଲା, ଆଜି ରହେ ଦି ପଇସାର । ସଂସାରଟାକୁ ଏମିତି ଅପରିବର୍ତ୍ତନୀୟ ବୋଲି ଭାବିବା ଦ୍ୱାରା ସମୟଟାକୁ ଚିର ସମାନ ବୋଲି ଭାବିବାଟା ଗୋଟିଏ ଏଡ଼େ ବଡ଼ ପାପ ଯେ ତା’ର ଗୋଟିଏ କଠିନ ପ୍ରାୟଶ୍ଚିତ ଲୋଡ଼ାହୁଏ ଯେମିତି ।

 

ବଡ଼ିଭୋରରୁ ସବୁଦିନେ, ରାଧୁ ଯେଉଁ ଦିନରୁ ଦୋକାନ କଲାଣି, ସମସ୍ତେ ଶୁଣନ୍ତି ରାଧୁ ଘର ଆଡ଼ୁଶବ୍ଦ ଶୁଭେ—ଠକ୍‌ ଠକ୍‌ ଠକ୍‌ ଠକ୍‌, କିନ୍ତୁ ଆଜି ଆଉ ସେ ଶବ୍ଦ ଶୁଭିଲା ନାହିଁ ।

 

ଖରା ଲେଉଟିଲା ଯାଏ ରାଧୁ ସେଇଠି ବସି ଚମଡ଼ା ପିଟୁଥାଏ, ଜୋତା’ ସିଲାଇ କରୁଥାଏ, କଣ୍ଟା ବାଡ଼ଉଥାଏ–କିନ୍ତୁ ଆଜି ଆଉ ସେ ସବୁ କିଛି ନାହିଁ ।

 

ସକାଳୁ ସଞ୍ଜ ଯାଏ କେତେ ବାବୁଭୟା ରାଧୁର ଦୋକାନ ଆଗ ଭଙ୍ଗା ବେଞ୍ଚ ଉପରେ ଆସି ବସନ୍ତି–କିନ୍ତୁ ଆଜି ରାଧୁକୁ ନ ଦେଖି ସମସ୍ତେ ଫେରିଗଲେ ।

 

ରାଧୁର ପୁଅ ବଡ଼ ବେରାମ ।

 

କହ୍ନେଇଆକୁ ଦେଖିବା ପାଇଁ ରାଧୁ ଛଡ଼ା ଘରେ ଆଉ କେହି ନଥିଲେ । କହ୍ନେଇର ମା ପାଞ୍ଚ ବର୍ଷ ହେଲା ମଲାଣି । କହ୍ନେଇୟାକୁ ସେ ବାହା କରେଇ ଥିଲା, ବର୍ଷେ ପୂରି ନାହିଁ, ବହୂ ବାପଘରେ । କହ୍ନେଇକି ତିନି ଦିନ ହେବ ଜର । ଆଜି ଏକାବେଳେ ବେହୋସ୍‌ ।

ସଞ୍ଜ ହେଇ ନ ଥାଏ—ସୂର୍ଯ୍ୟ ଆଉ ଟିକକେ ବୁଡ଼ି ଯିବେ । ରାଧୁ ଘରଭିତରୁ ବାହାରି ଆସିଲା । କାହାରିକି କିଛି କହିଲା ନାହିଁ—କେହି ବି ତାକୁ କିଛି ପଚାରି ନାହାନ୍ତି ।

ରାଧୁ ଘର ପଛପଟ ବାଉଁଶବୁଦାରୁ ଦି’ଖଣ୍ତ ବାଉଁଶ କାଟି ଆଣି ତାକୁ ଛ’ଗଡ଼ କରିଦେଲା—ଦିଖଣ୍ତ ବଡ଼ ଆଉ ଚାରି ଖଣ୍ତ ଛୋଟ ଛୋଟ । ତା’ ପରେ ଗଲା ଛଣ ଗଦାରୁ ବିଡ଼ାଏ ଛଣ ଆଣି ଦଉଡ଼ି ବଳି ବସିଲା ।

ସେଇବାଟେ ‘ଚେନାଚୁରବାଲା’ ଡାକ ମାରି ଦେଇ ଗଲା । ସେଇ ବାଟେ ଦେଶୀ ବିସ୍‌କୁଟ୍‌ ମେମ୍‌ଖାଏ କୁଟ୍‌ କୁଟ୍‌ ସାହେବ ବୋଲେ ଭେରି ଗୁଡ଼୍‌’ ଗୀତ ଗାଇ ବିସକୁଟ୍‌ବାଲା ଚାଲିଗଲା ।

ସେଇ ବାଟେ ‘ବରା ଗୁଲ୍‌ଗୁଲା’ ରଡ଼ି ଛାଡ଼ି ଚାଲିଗଲା ।

ରାଧୁ ସିମିତି ଦଉଡ଼ି ବଳୁଥାଏ ।

ବିଶ୍ୱନାଥ ଆସି ଡାକି ଦେଲା— ‘ରାଧୁ !’

ରାଧୁ ଆଉ ସମ୍ଭାଳି ପାରିଲା ନାହିଁ—ଭୋ ଭୋ କରି କାନ୍ଦି ପକାଇଲା ।

 

ରୁକ

 

ଚାରି ବରଷ ଆଗେ ସେଇ ଅନ୍ତୁଡ଼ି ଘରେ ଆଉ ଜଣକର ଜନମବେଳେ ଶଙ୍ଖ ବାଜିଥିଲା ତିନିଥର * । ଗାଁ ମାଇପେ, ‘‘ଅମୁକ ବହୂ ତିନି ଦିନ ହେବ ଦୁଃଖ ପାଉଥିଲା, ପୁଅଟିଏ ହେଲା ଲୋ !’’ ବୋଲି କହି ଗୋଟାକ ଉପରେ ଗୋଟାଏ ପଡ଼ି କଅଣ ଯିମିତି ଗୋଟାଏ ଅଧିଆ ଦେଖିବାପାଇଁ ଦଉଡ଼ି ଗଲେ ସେଠିକି । ଆଜି ଥରେ ଶଙ୍ଖ ବାଜିବା ଶୁଣି ସମସ୍ତଙ୍କ ମୁହଁ ନେସିଡ଼ି ହେଇଗଲା । ‘‘ଝିଅଟେ !’’ କାହାରିକି ପସନ୍ଦ ଆସିଲା ନାହିଁ । ନିଜ ଲୋକଙ୍କର ବି ମନକୁ ପାଇଲା ନାହିଁ । ସଂସାରରେ ପରା ଝିଅର ଦରକାର ନ ଥାଏ—ସବୁ ହୁଏ ପୁଅ ଦେଇ ।

 

* ବାଲେଶ୍ୱର ଜିଲାରେ ପୁଅ ଜନ୍ମ ହେଲେ ତିନିଥର ଓ ଝିଅ ଜନ୍ମ ହେଲେ ଥରେ ଶଙ୍ଖ ବାଜିବାର ପ୍ରଥା ଅଛି ।

 

ଜୀବନରେ ସେ ଯେଉଁ ଦିନ ନୂଆ କରି ଆଉ ଜଣକ ଘରେ ପାଦ ପକାଇଲା, ସେଦିନ ଯେତେ ଅଘଟଣ ଘଟିଲା, ଅଶୁଭ ଶକୁନ ଦିଶିଲା, କହ ନାହିଁ ଆଉ । ବହୂ କଳିହୁଡ଼ୀ ବୋଲି ହାଣ୍ତି ଖଡ଼ ଖଡ଼ ଶୁଭିଲା, ମଙ୍ଗଳ ହାଣ୍ତିଟା ଗଡ଼ି ପଡ଼ିଲା, ଆଉ ଏମିତି କେତେ କଣ । ବହୂ ଯଦି କାହିଁ ଝୁଣ୍ଟି ପଡ଼ିଲା ତ ବହୂଟା ଛୋଟୀ । କଉଁଠି ହସି ଦେଲା ତ ବହୂଟା ଦାନ୍ତୀ—ହେଁହେଁୟୀ । ନଇଁ ଚାଲିଲା ତ କୁଜୀ । ସିଧା ହୋଇ ଚାଲିଲା ତ ଅଣ୍ତିରାଚଣ୍ତୀ । କାହାର ଯଦି ସେ ଖଣ୍ତ ଅଧକରେ ଦିହ ପା ହେଲା, ତେବେ ବହୂଟା ଅଲକ୍ଷଣୀ । ସବୁ ଅପମାନ, ସବୁ ଦହଗଞ୍ଜ ସହିବାକୁ ଯିମିତି ଝିଅ ଜନମ ଦେଇଥାନ୍ତି ଭଗବାନ୍‌ । ରୁକ୍ମିଣୀ ନ ପାରିଲାଟି ବିଚରା କାନ୍ଦେ—ଭାରି କାନ୍ଦେ—ଆଉ କରିବ କଅଣ ?

 

ଝିଅ ବୋଲି ସେ ଯେମିତିକି ମା ପେଟରୁ ମଣିଷ ମରା ଅପରାଧ କରିଛି । ତା’ର ପିଲାଟି ଦିନରୁ ଏଇ ଧାରଣା । ସେ ତା’ରି ପାଖେ ପାଖେ ଦେଖି ଆସିଛି ତା’ ଭାଇ ଶୁକକୁ । ଆକାଶ ପାତାଳର ତଫାତ୍‌ ଦିହିଁଙ୍କ ଭିତରେ । ସେ କୁଆଡ଼େ ମା ପେଟରେ ପୂରାପୂରି ଦଶମାସ ଦଶ ଦିନ ରହି ଜନମ ହେଇଥିଲା ଯେ, ତା’ର ଜାତକ ଦେଖି ବଡ଼ ବଡ଼ ପଣ୍ତିତମାନେ ଗଣି କହିଛନ୍ତି, ସେ ବଢ଼ି ଗଲେ ଗୋଟିଏ ଖୁବ୍‌ ବଡ଼ ମଣିଷ ହେବ । ଆଉ ରୁକ୍ମିଣୀ ? ସେ ତ ପରଘରୀଟା । ତା’ ଜାତକ ଖୋଜା ହେଲା ଯାଇ ସେଦିନ, ଯେବେ ସେ ପରଘରକୁ ଯିବାର ଯୋଗାଡ଼ ଚାଲିଲା ।

 

ଶୁକ ପାଠ ପଢ଼େ । ରୁକ ଯାଇ ସେଇ ମାଷ୍ଟର ପାଖରେ ତୁନିଟି ହୋଇ ବସି ରହେ, ଆଉ କଉଁଠି କାଳେ ଦୁଷ୍ଟାମି କରିବ ସେଇଥିପାଇଁ । ତା’ର ମନ ହୁଏ, ସେ ପାଠ ପଢ଼ନ୍ତା । ମା କହନ୍ତି— ‘ଛିଆ, ଝିଅଟା ପୁଣି ଗୋଟାଏ ପାଠ ପଢ଼ିବ କଅଣ ଲୋ ମା ! ରାଇଜ ଲକ୍ଷ୍ମୀଛଡ଼ା କଥା ଶୁଣିବ ଏଇଠି ।’’

 

ଶୁକ ଜାମାଜୋତା’ ହୋଇ ଘରୁ ବାହାରେ, ଆଉ ରୁକ ବୁଲୁଥାଏ ତା’ର ସେଇ ଛୋଟ ପିଚାପାଡ଼ି ଶାଢ଼ି ଖଣ୍ତକୁ ପୁଅ ପୁଅକା ବେଢ଼େଇ ଦେଇ । ଶୀତଦିନେ ଶୁକର ଭଲ ଆଲୁଆନ, ଆଉ ରୁକ ବେକରେ ଲମ୍ୱା ଲୁଗା ଖଣ୍ତକୁ ଦି ଚଉଡ଼ା କରି, ଚିରା ପରସ୍ତକ ତଳକୁ ରଖି, ପିଠିପଟ ଦେଇ ଗୁଡ଼େଇ ଆଣି ଗଣ୍ଠି ପକେଇ ଦିଅନ୍ତି । ଶୁକ ଖାଇଲା ବେଳକୁ ସର ଲହୁଣୀ, ରୁକ କପାଳକୁ ପଖାଳ ପିଆଜ । ମା କହନ୍ତି, ମାଇକିନିଆ ଝିଅଟା ଅଏସରେ ବଢ଼ିବ ଗୋଟାଏ କଅଣ ମ !

 

ସବୁ ଦୁଃଖର ସମାଧି ଉପରେ, ସୁଖ ବୋଲି କଅଣ ଗୋଟାଏ ଅପୂରୁବ, ତାରି କଳ୍ପନା ଯେତେବେଳେ ସତ ସତ ମନେ ହେବାକୁ ବସିଲା, ରୁକ ଚାହିଁଲା ସେତେବେଳେ, ତା’ର ସବୁ ସୁଖ ଆଶା ଆଉ କେତେ ଦିନର ସାଇତା ତା’ର ମନର ସବୁ ପରାସକୁ ସେଇ ଦେବତା ପୟରରେ ସଅଁପି ଦେବାପାଇଁ, ଯାର କରୁଣା କଟାକ୍ଷରେ ତା’ ଜୀବନର କଳା, ଧଳା ହେବାକୁ ବସିଛି । କିନ୍ତୁ ସେ ଦେବତା ତା’ର ମନ୍ଦିର ଶୂନ୍ୟ କରି ଅକାଳରେ ଉଭେଇ ଗଲେ କୁଆଡ଼େ । ଦୁଃଖୀର ଦୁଃଖ ଯିମିତି ଯାଏ ନାହିଁ କେବେ । ଯିବ କିମିତି ଅବା ! ଦୁଃଖଟାହିଁ ତ ତା’ର ଏକମାତ୍ର ସମ୍ପତ୍ତି—ସଂସାର ସମ୍ବଳ । ତାକୁ ଯେ କେହି ଛଡ଼େଇ ନେଇ ପାରିବନି ତା’ଠୁଁ ।

 

ରୁକ ବିଧବା ହେଲା । ସେ ବାହାନଗକୁ ସେ ସାତ ଅହ୍ୟଙ୍କର ବନ୍ଦାଣ ଘେନିଥିଲା ତା’ରି ମୁଣ୍ତ ଉପରେ, ଏ ବାହାନଗରେ ଆଉ ଅହ୍ୟ ଭିତରେ ଗଣା ନୁହେଁ ସେ । ବାହା ମଙ୍ଗଳରେ କି କର୍ମ କର୍ମାଣିରେ ସେ ଛୁଇଁଦେଲେ ସବୁ ଅମଙ୍ଗଳ । ତା’ ବଅସର ଆଉ ଝିଅ ବହୂଙ୍କର ହାତରେ ଶଙ୍ଖା, ମୁଣ୍ତରେ ସିନ୍ଦୂର ଦେଖିଲେ ସେ ଚିହିଁକି ପଡ଼ୁଥିଲା, ପହିଲୁ ପହିଲୁ । ଛାତି ଭିତର ତା’ର ଯିମିତି କଅଣ ହେଇଯାଏ ।

 

କ୍ରମେ ସେ ସବୁ ଦିହସହା ହୋଇ ଆସିଲା । ସୁଖ, ସେ ହେବାର ନୁହେଁ, ନହେଲା । ସେଥିପାଇଁ ସେ ଭାଳି ହେବ ଆଉ କାହିଁକି ? ଦିହଟାକୁ ଇମିତି ପଥର କରି ନେଲା ପରେ ରୁକ ବରଂ ଟିକିଏ ନିଶ୍ଚିତ ହେଲାପରି ବୋଧ କଲା । ଗାଁ ମାଇପେ ତେବେ ବି କହିବାକୁ ଛାଡ଼ିଲେ ନାହିଁ, ‘ରାଣ୍ତ ଗଣ୍ତି ଲାଗିଲାଣି ଏଥର ।’

 

ରୁକର ନିଜ ଶାଶୁ ଶଶୁର ନଥିଲେ । ଦେଢ଼ଶୁର ଆଉ ବଡ଼ ଯା’ ଥିଲେ ସେ ଘରର ମୁରବି । ତା’ର ସ୍ୱାମୀ ଥାଉଁ ଥାଉଁ ଦି’ ଭାଇଙ୍କର ବେଶ୍‌ ଭଲ ପଡ଼ୁଥିଲା । ଏକା ଅନ୍ନରେ ଥିଲ । ହେଲେ, ତା’ ସ୍ୱାମୀ ଥିଲେ ଖୁବ୍‌ ଫନ୍ଦି ଫିକରିଆ ଲୋକ । ଦି ପଇସା ବେଶ୍‌ ରୋଜଗାର କରି କିଛି ସମ୍ପତ୍ତି ସେ ନିଜ ନାଁରେ କିଣି ଯାଇଥିଲେ । ରୁକ ଜୀବନରେ ସେଇ ସମ୍ପତ୍ତି ହେଲା ତା’ର କାଳ ।

 

ରୁକର ସ୍ୱାମୀ ମଲାବେଳକୁ ଗାଁରେ ଭଲ ଲୋକ କେଇ ଜଣ ଡାକିଆଣି, ଗୋଟାଏ ପୋଷ୍ୟପୁତ୍ର କରିବାର କ୍ଷମତା’ପତ୍ର ରୁକକୁ କରି ଦେଇଗଲେ । ରୁକର ସେଥିରୁ ବା ଯାଏ ଆସେ କେତେ ? ରୁକ ଆଖିରେ ସେତେବେଳକୁ ସବୁ ଅନ୍ଧାର ।

 

ରୁକର ସେଇ ଲୁହଭରା ଆଖିରୁ ଅନ୍ଧାର ଆଉ ଘୁଞ୍ଚିଲା ନାହିଁ ଦିନେ । ସେ ମଲାବେଳକୁ ତା’ର ମାସ ଗଡ଼ି ଯାଇଥାଏ । ଏକଥା ତା’ଛଡ଼ା ଆଉ କେହି ଜାଣନ୍ତି ନାହିଁ । ସେତେବେଳକୁ ସେ ପେଟରେ ଦେଢ଼ମାସ । ତାଙ୍କ ମରିଯିବାର ମାସେ ଯାଇଛି କି ନାହିଁ ସେ ଶୁଣିଲା ଗାଁ ମାଇପେ ତାକୁ ଦେଖି ଟିପାଟିପି ଠରାଠରି ହେଇ କଣ ଫୁସୁର ଫାସର ହେଉଛନ୍ତି । ସେ ଶୁଣିଲା ନାହିଁ କାହା କଥା-। ଦାଣ୍ତପାରି ତେନ୍ତୁଳି ଗଛ ସନ୍ଧିରେ ସୂରୁଜ ଦେବତା’ ମୁହଁ ଛପା ଦଉଁ ଦଉଁ, ଅନାମତେ ମଥା ଉପରକୁ ବାହାରି ଆସି, ବାଡ଼ିପଟ ତାଳ ଗଛ ମଥାନ ଉପରେ ନାଲି ନାଲି ମୁହଁଟାରେ ଦିଥର ପିଲାଙ୍କ ଭଳି ହସି ଦେଇ ପଳେଇ ଯାଆନ୍ତି କୁଆଡ଼େ । କଉଁ କଉଁ ଦିନ ସେ ପଟରେ ପୁଣି ଶୁକୁଳ ଚାନ୍ଦଟା ତା’ଙ୍କୁ ଗୋଡ଼େଇ ଯିବାକୁ ସଜ ହୋଇ ବାହାରି ପଡ଼େ । ଏଇ ସମୟଟା ତା’ର ଚିର ସମାନ ହେଇ ସରୁ ଝରଣାର ଧୀର ସୁଅଟିପରି ବହି ଯାଉଥିଲା, ନିହାତି ଅଯତନରେ ଅଣହେଳାରେ-। ସୁଖ ସପନ ଯାର ସବୁ ଦିନପାଇଁ ଭାଙ୍ଗି ଯାଇଛି ନିଆଶାର ଅକାଳ ଚମକାରେ, ଏଇଭଳି ଅଯତନ ଅଣହେଳା ହେବା ଛଡ଼ା ତା’ର ଆନ ଗତି କଅଣ ଜୀବନର ?

 

ସଞ୍ଜ ହୁଏ । ଚଉଁରା ମୂଳେ ସଞ୍ଜବତୀଟି ଥୋଇ ନିହାତି ନ ଭାଳିଲାପରି ମୁଣ୍ତିଆଟି ମାରି ସେ ଉଠିପଡ଼ି ଅନେଇ ଦିଏ ଦାଣ୍ତ ଦୁଆରକୁ । ଅନେକ ଦିନ ଠିକ୍‌ ସେତିକିବେଳକୁ ରତନା ଆସି ଦାଣ୍ତଦୁଆରେ ଠିଆ ହୋଇଥାଏ ଚଉକାଠକୁ ଧରି । ‘ସେ’ ଥାଉଁ ଥାଉଁ ରତନାର ସେଠିକି ଯିବା ଆସିବା । ‘ତାଙ୍କର’ ତା’ର ଭାରି ଭଲ ପଡ଼ୁଥିଲା ସେଥିପାଇଁ । ତା’ ଆସିବାକୁ ସେହି ଯୋଗୁଁ କେହି ବାରଣ କରି ନାହାନ୍ତି ଆଜି ଯାକେ ।

 

ଦିନେ ରତନା ଆସି ଚାଲିଗଲାରୁ ରୁକର ଯା’ ଆସି ତାକୁ ଛି ଛିକାର କରି ଯାବତ କଥା କହିଲେ, ‘‘ସିଏ ତୋର କଅଣ ହେବ କିଲୋ, ସେ ଏଠିକି କାହିଁକି ଆସୁଛି ଘଡ଼ି ଘଡ଼ି, ବହୂ ? ଭୁଆଶୁଣୀ ଘର, ସେ ଯୁଆନ ଟୋକାଟା ଇୟା ଭିତରକୁ କାହିଁକି ଆସିବ ଭଲା ? ଗାଁରେ କଅଣ ଆଉ ଆମେ ମୁହଁ ଦେଖାଇ ପାରିବୁ ନାହିଁ ତୋଲାଗି ?’’

 

ସେଇଦିନୁ ରତନା ଆଉ ଆସେ ନାହିଁ ସେଠିକି । ତହିଁ ଆରଦିନ ସେ ଦାଣ୍ତରୁ ଗାଳି ଖାଇ ପଳାଇ ଯାଇଛି । ରୁକ ଆଖିରୁ ସେଦିନ ଠପ୍‌ଠପ୍‌କରି ଲୁହ ବହି ପଡ଼ିଲା । ଭଲ ଘର ପିଲା ନାଁରେ ମିଛୁଟାରେ ଏ ଅପବାଦ ତାରି ଲାଗି ସିନା !

 

ଦିନ କେଇଟା ପରେ ତା’ ଯା’ ଆସି ପୁଣି କହିଲେ— ‘‘ଏଥର ହେଇଚି ନା ? ଆମେ କହୁଥିଲୁ ଯେ, ଲାଗି ଯାଉଥିଲା ! ଏଥର ତୀର୍ଥ ଗଲ ଯେତିକି ଫଳ ପାଇଲ ତ ତେତିକି । ଦିହ ଭାରୀ ଅଛି, ଏ କଥା ତୁ ଲୁଚେଇଚୁ କାହିଁକି ଲୋ ? ଆମକୁ କଅଣ ଘରପୁରରେ ଆଉ ରଖେଇ ଦବୁ ନାହିଁ ? ରାମ, ରାମ, ଏତେ ଅନ୍ୟାୟ ଯେଉଁଠି ସେଠି ପୁଣି ମଣିଷ ରହିବ ? ଚୋର ଚଣ୍ତାଳ ବି ଛାଡ଼ି ପଳେଇବ ଏଠୁ ।’’

 

ପିଚେଇ ଚାକିରିଆଣୀଟାର ବି ମୁହଁ ଏମିତି ଯେ ସେ ଦିପଦ ନ କହି ଛାଡ଼ିଲା ନାହିଁ, ‘‘ତା’ର କଅଣ ବହିଯିବ କି ଏତେ ? ଯିଏ କହିବ, ରୁକଦେଈ ଏମିତି କଲା କି ସିମିତି କଲା ବୋଲି ତ କହିବ ନାହିଁ, କହିବ—ଦନେଇ ମହାନ୍ତି ଭାଇ ବହୂ ବେ—’’ ଜିଭଟାକୁ କାମୁଡ଼ି ପକାଇ ପୁଣି କହିଲା—‘‘ନା ଲୋ ମା, ମୁଁ କାହିଁକି କହିବି ଏତେ ! ଅଦା ବେପାର କରି ଆମର ଜାହାଜ ଖବର ନେବାର କି ଗରଜ ?’’

 

ରୁକ ତ ହାଡ଼େ ହାଡ଼େ ଜଳିଗଲା । ରାଗ ଆଉ ଲାଜରେ ସେ ହତଜ୍ଞାନ ହେଇଗଲାଣି ସେତେବେଳକୁ । ମଥାଟା ଚକର ଦେଉଥିଲା ଯେମିତି ।

 

ଛୁଆଟା ପେଟରେ ରହିଲା ନାହିଁ । ପାଞ୍ଚ ମାସରେ ଖସି ପଡ଼ିଲା । ତେବେ ବି ଅପବାଦ ମେଣ୍ଟିଲା ନାହିଁ । ଲୋକେ ପଛଆଡ଼େ କହିଲେ, ଭଙ୍ଗେଇ ଦେଲା । ରୁକ କାନ୍ଦେ—ଭାରି କାନ୍ଦେ । କିନ୍ତୁ ତା’ କାନ୍ଦକୁ ଯେ ଭଗବାନ ପଥର ! ଛୁଆଟା ଯେ କାହିଁକି ଖସି ପଡ଼ିଲା ସେ ବିଷୟରେ ରୁକ ଖାଲି ସିନା ଏଣୁ ତେଣୁ ସନ୍ଦେହ କରେ, ସତ ସେ ବା ଜାଣିବ କେମିତି ? ତେବେ ଏ ଦୁର୍ଘଟଣା ହେବାର ଦି ଚାରିଦିନ ଆଗରୁ ଭାତ ଖାଇସାରି ତାକୁ କାହିଁକି ଭାରି ଅଇ ଉଠେଇଲା । ସେ ବାନ୍ତି ବି କଲା । ମୁଣ୍ତ ବୁଲେଇଲା । ଇମିତି ଯେ କାହିଁକି ହେଲା, ସେ ଆଉ କିଛି ବୁଝି ପାରିଲା ନାହିଁ ।

 

ସେଇଦିନ ପାଖରୁ ରୁକ କାନ୍ଦି କାଠି ପରି ସରୁ ହୋଇଗଲା । ତହିଁରେ ପୁଣି ଯା’ ଆସି ଖୁଣ୍ଟା ଦେଇଯାନ୍ତି, ‘ଲାଜ ସରମ ବି ଛାଡ଼ିଗଲା ନା କୁଆଡ଼େ ?’

 

ରୁକ ଦିନେ କାନ୍ଦୁ କାନ୍ଦୁ ଅନେକ କଥା ମନେ ପଡ଼ିଲା ତା’ର—ସବୁ ‘ତାଙ୍କରି’ କଥା । ତାଙ୍କ ସ୍ନେହ ସୁଆଗ ଶରଧା ସବୁ ଗୋଟି ଗୋଟି ହୋଇ ଆଖି ଆଗରେ ନାଚି ଗଲାପରି ଦିଶିଲା । ବିଧାତାର ଆଉ ଦିହ ସହିଲା ନାହିଁ କି ଏତେ ସୁଖ ଦେଖି ? ସେ ମଲାବେଳକୁ କଅଣ କାଗଜ ଲେଖି ଦେଇ ଯାଇଥିଲେ—ରୁକକୁ ସାଇତି କରି ରଖିବାକୁ କହିଥିଲେ । ରୁକ ତାକୁ ତୁରୁଙ୍ଗରେ ଭରି ରଖି ଦେଇଥିଲା । ମନେ ପଡ଼ିଲାରୁ ସେ ତୁରୁଙ୍ଗ ଖୋଲି ଯାଇ ଦେଖିଲା—କାହିଁ କାଗଜ ତ ନାହିଁ ଏଥିରେ ! ରୁକ ଚମକି ପଡ଼ିଲା । ରତନା ବି କହିଥିଲା ସେ କାଗଜ ଖଣ୍ତକ ତା’ର ସବୁ ସମ୍ପତ୍ତି । ସେ ହଜିଲେ ତାକୁ କୁଆଡ଼େ ଦାନା କନା ମିଳିବ ନାହିଁ କିଛି । ସେ ଗୁପତରେ ରତନାକୁ ଡାକି ସବୁ ହାଲ ବୁଝିଲା । ସେଇଦିନଠାରୁ ସେ ଜାଣିଲା ଯେ, ସେ ଘରେ ତା’ର ଆଉ କିଛି ଅଧିକାର ନାହିଁ । ପୋଷ୍ୟପୁତ୍ର କ୍ଷମତାପତ୍ର ଖଣ୍ତକ ବି ଚଞ୍ଚଳ କରି କାଢ଼ି ନେଇଗଲା । ଦୁନିଆରେ ନିଜର ବୋଲି ଯାହାକୁ ମନେ କରିବ, ତା’ର ପୁଣି ଏଇ ବ୍ୟବହାର ! ରୁକର ସେ ଘରୁ ମନ ଛାଡ଼ିଗଲା ।

 

ତା’ର କଅଣ ହେଇଗଲା କେଜାଣି, ସେ ଖାଲି ଦିନ ରାତି ଉପରକୁ ଚାହିଁ ବସିଲା । ସମସ୍ତେ ଖାଇ ସାଇଲେ ସେ ଖାଏ, ତା’ ବେଳକୁ ତୁଣ ଶାଗ କିଛି ନ ଥାଏ, ଖାଲି ତୁଚ୍ଛା ତୁଚ୍ଛା ।

 

ରତନା ସାଙ୍ଗରେ ସେ ଦିନ ଗୁପତରେ କଥାବାର୍ତ୍ତା ହେବାକଥା ଦେଢ଼ଶୁର ସାଆନ୍ତଙ୍କ କାନକୁ ଆସିଲା । ସେ ଦିନ ଯା’ ଆସି ଛାଞ୍ଚୁଣି ଖଣ୍ତକରେ ନୁସେଇ ପକେଇ ଗଲେ । ତହିଁ ଆରଦିନଠୁ ରୁକକୁ ଆଉ ସେ ଗାଁରେ କେହି ଦେଖିଲେ ନାହିଁ ।

 

ରୁକ ବା ଯିବ ଆଉ କଉଁଠିକି ? ଯାଇ ଯାଇ ତ ସେଇ ବାପଘରକୁ, ତା’ ଛଡ଼ା ଆଉ ତାକୁ ସଂସାରରେ ସ୍ଥାନ କାହିଁ ମରିବାକୁ ?

 

ବାପଘରେ ଗୋଡ଼ ଦେବାବେଳେ ତା’ର ମନେ ପଡ଼ିଲା ଗୋଟାଏ ନିହାତି ପାସୋରି ଦେଲା ପିଲାଦିନର କଥା । ଦୁବଘାସରେ ବାଆ ଲାଗିଲା ପରି ପିଲାଦିନର ହାଲୁକା ଜୀବନରେ କେତେ ଦାଉ ଉପରେ ଉପରେ ଉଡ଼ି ଯାଇଥାଏ, ଗୋଟିଏ ଗୋଟିଏ ଇମିତି ଘଟଣାର ମାଡ଼ ଆସି ପଡ଼ିଗଲା କାଳରେ ସେ ଦୁଃଖକୁ ମନରେ ପୁଣି ନୂଆ କରି ଗଢ଼ି ଦେଇଯାଏ ଯେ, ତା’ ଯନ୍ତ୍ରଣା ପଡ଼ିଥିବା ଦୁଃଖର ପରାସଠାରୁ ଢେର ବେଶୀ ମନେ ହୁଏ । ରୁକ ଦିନେ ଦହି ମୁଁ ହୁ ମୁଁ ହୁ ଖୁଆ ବାଜି ଦେହେଡ଼ିଟା ଭାଙ୍ଗିଗଲା ଯେ ସବୁଯାକ ଦହି ତଳେ ଇଡ଼ି ହୋଇଗଲା । ମା ତା’ର ସିଆଡ଼ୁ ଆସି ନିଆଁ ହୋଇଗଲେ ଇଆ ଦେଖି, ‘‘ସକଳ ଖାଇ, ରାଣ୍ତ ଆଣ୍ଠୁକୁଡ଼ୀ, ମୋ ଦହିଯାକ ହଟ କରି ସବୁ ଇଡ଼ିଦେଲୁ । ତୋ କପାଳରେ କଳାକନା ନ ବୁଲିଛି ତ ଫେର୍‌ ଦେଖିବୁ । ଶୁକପୁଅର ଗୁହକନା ନ ହକାଳିଛୁ ତ ମୋ ମୁଁ ହ ନୁହେଁ ।’’ ଆଜି ପୁଣି କଉଁ ମୁଁହରେ ରାଣ୍ତ ଆଣ୍ଠୁକୁଡ଼ି ସଂସାରଛଡ଼ା ହେଇ ଶୁକପାଖରେ ଶରଣ ନବ ସେ ? ବାପା ବି ଦୁନିଆରେ ତା’ ଦୁଃଖ ଶୁଣିବାକୁ ନ ଥିଲେ । ମାର ବା ହାତ କଅଣ ? ଘରର ମୁରବି ଶୁକ ଭାଇ ଆଉ ଗୋଟିଏ କଉଁ ଅଜଣା ଅଶୁଣା ରାଇଜର ମଣିଷ ଭାଉଜବହୂ । ତାଙ୍କରି ପାଖରେ ତା’ର ଦିନ ଗୁଜରାନ୍‌ଥ ହେବ । କିଏ କହିପାରେ ତା’ କପାଳରେ କଅଣ ଅଛି ? ମା କହିଥିଲା, ‘‘ଝିଅଟା ପୁଣି ଅଏସରେ ବଢ଼ିବ କଅଣ ମ ?’’ ସତ ଏକା, ଝିଅ କପାଳରେ ସୁଖ ବୋଲି ଗୋଟ ଗାର ବି କାଟି ନ ଥାଏ ବିଧାତା !

 

ରୁକ ଆସିଛି ଶୁଣିଲାକ୍ଷଣି ଭାଉଜବହୂ ହେରିକା ଦଉଡ଼ିଯାଇ ପାଛୋଟି ଆଣିଲେ । ଘରେ କାନ୍ଦବୋବାଳି ପଡ଼ିଗଲା ତା ପରେ । ରୁକ ଭାବିଲା ଅବା ଦୁଃଖୀଟି ବୋଲି ତାକୁ ଦୟା କରିବେ ସମସ୍ତେ... । ସ୍ୱାର୍ଥ ! ସବୁ ସ୍ୱାର୍ଥ ! ରୁକକୁ ଦିନେ ଏ କଥା ଭାବିବାକୁ ପଡ଼ି ନଥିଲା ମନ ପରଦାରେ ଗୋଟିଏ ଅନିଘା କୋଣରେ ଦିନ ଏମିତି ଆସିବ ବୋଲି । ସେ ଜାଣି ନ ଥିଲା ଯେ, ତାକୁ ଏଇ ‘ସ୍ୱାର୍ଥ’ କଥା ନେଇ ଏତେ ହନ୍ତସନ୍ତ ହେବାକୁ ପଡ଼ିବ । ଦୁନିଆରେ ବାପ ମା’ ବି କଅଣ ସ୍ୱାର୍ଥପର, ସେ ଭାବେ । ତା’ ଅନ୍ତର ଅମାନିଆ ହେଇ ଉଠେ— ନା, ତା ହେଇପାରେ ନା । ପୁଣି ଭାବେ, ନୁହନ୍ତି ବା କାହିଁକି ? ଝିଅ ହେଲା ବୋଲି, ପରଘରକୁ ଯିବ ବୋଲି ତାର ପଇତୃକ ସମ୍ପତ୍ତିରେ ତିଳେ ବି ଭାଗ ନାହିଁ ? ଏ କଣ ନିଃସ୍ୱାର୍ଥ ବାପମାଙ୍କର ଉଚିତ ବିଚାର ?

 

ବାପ ମା’ ଯାହା କଲେ ତାର ବା ସେଥିରେ କହିବାର କଅଣ ଅଛି ? ସ୍ତ୍ରୀର ଜୀବନଟା ହେଇଚି ସମସ୍ତଙ୍କ କଥାକୁ ମଥା ପୋତି ସହିନେବାପାଇଁ । ବାପଘରେ ବାପ ମା, ଆଉ ଶାଶୁଘରେ ଶାଶୁ ଶଶୁର, ଦିଅର ଗେରସ୍ତ, ସମସ୍ତଙ୍କ ମୁହଁକୁ ଅନେଇ ନାରୀର ଜୀବନ । ନାରୀର ନିଜର କିଛି ନାହିଁ । ରୁକ ସେଥିପାଇଁ ମନକୁ ଏ ସବୁ କଥାରୁ ଭୁଲେଇ ଦିଏ ।

 

ଦିନ ଆସିଲା ରୁକ ଆଉ ମନକୁ ଭୁଲେଇ ଦେଇ ରହି ପାରିଲା ନାହିଁ । ସହିବାର ତ ଫେରେ ଗୋଟେ ସୀମା ଅଛି । ଶୁକର ଆଉ ଗୋଟିଏ ପୁଅ ହେଲା । ସମସ୍ତେ କହିଲେ କି ରୁକ ତାକୁ ପାଳିନେଉ । ରୁକ ଏ କଥା ଶୁଣି ହସେ, ଆଉ ଛୁଆଟିକି ଖାଲି ଚୁମାଟିଏ ଦିଏ । ସତକୁ ସତ ଛୁଆଟି ରୁକକୁ ବଡ଼ ଆଦରି ଗଲା । ତା’ ଦେଖି ଭାଇ ଭାଉଜବହୂ ତା’ର ବଡ଼ ଖୁସି ହେଲେ । ଯଉଁ ଦିନ ରୁକ କହିଲା ଯେ, ତାର ପାଳି ନେବାର କିଛି କ୍ଷମତା ନାହିଁ, କ୍ଷମତାପତ୍ର ହଜିଯାଇଛି, ହଜିଯାଇଛି କାହିଁକି ଆପଣା ଲୋକେ ଚୋରେଇ ନେଇଚନ୍ତି, ସେ ଦିନ ରୁକ ତା’ରି ଆଖିଆଗରେ ଦେଖିଲା, ସେଇ ଭାଇ ଭାଉଜ ମୁଁହଟାକୁ ଫଣ ଫଣ କରି ଚାଲିଗଲେ । ତା’ପରଠୁଁ ରୁକର ବାପଘର ସୁଖ ସୁଆଗ ସରିଗଲା ।

 

ସେ ଦିନ ରୁକ ଖାଇଲାବେଳକୁ ତରକାରୀ ଶାଗ ସରିଯାଇଥିଲା ରୁକ କହିଲା— ‘ମା, ମାଛ ଫାଛ ଟିକିଏ କିଛି କଲୁନାହିଁ ? ଖାଇବି କିମିତି ?’

 

‘‘ହଁ–ରୋଜଗାର କରି ମା ପାଖରେ କୁଢ଼େଇ ଦେଇଥିଲୁ ଯେ, ମା ମାଛ କିଣିଲା ନାହିଁ, ତା’ର ଅପରାଧ ହେଇଗଲା । ବସି ଖାଇକରି ଆଉରି ଏତେ ଚାଖି ?’’

 

ରୁକ ତଣ୍ଟିରେ ଭାତ ଅଟକିଗଲା । ହାତରୁ ଗୁଣ୍ତା ଖସିପଡ଼ିଲା । ସେ ଆଉ ଖାଇବ କଅଣ, ପଣତ କଣରେ ଲୁହ ପୋଛି ସଙ୍ଖୁଡ଼ିତକ ଗୋଟେଇ ବାସନ ଧୋଇ ବାହାରିଲା । ତା’ ଦେଖି ତେଣୁ ଭାଉଜବହୂ ଗରଗର ହେଇ ଆସି କହିଲେ–‘‘ଭାତ ପରର ବୋଲି ପେଟ ତ ପରର ନୁହେଁ । ଦିହ ଖରାପକୁ ଡରିଲ ଯଦି ଭାତ ତ ଏତେ ନ ଧରିଥିଲେ ଭଲ ହେଇଥାନ୍ତା । ଯାହାର ଯାଉଛି ତା’ର ଯାଉଛି, ତମ ହାତରୁ ପଡ଼ୁଛି ଯେ, ଏତେ ଲୋକସାନ କରିବାକୁ ବାଧିବ ?’’

 

ରୁକ ଯାଇ ମସିଣାରେ ମୁହଁ ମାଡ଼ି ଶୋଇଲା । ଲୁହରେ ଖଣ୍ତେ ଭୂଇଁ ତିନ୍ତିଗଲା ସେଠି । ସେ ଦିନ ରାତିରେ ସେ ଖାଇଲା ନାହିଁ । ଖାଇବାପାଇଁ ତାକୁ କେହି ଡାକିଲେ ବି ନାହିଁ ।

 

ତହିଁ ଆରଦିନ ସକାଳୁ ଉଠି ରୁକ ନିତି ପାଇଟି ସାରି ଛୁଆ ପୁଅଟି ପାଖକୁ ଯାଇ ତା’ ଗାଲରେ ଚୁମାଟିଏ ଦେଲାବେଳ ସରିକି ସିଆଡ଼ୁ ଭାଉଜବହୂ ଦଉଡ଼ି ଆସି ଗୋଟାଏ ଏଡ଼େ ପାଟିକରି କହିଲେ–‘‘ଡାହାଣୀ ଚିରିଗୁଣୀଙ୍କ ପରି ଛୁଆଟା ଉପରେ ହାମୁଡ଼ି ପଡ଼ି କଣ କରୁଥିଲ ସେଠି ? ନିଜ ପୁଅ ଗେରସ୍ତଙ୍କୁ ତ ଖାଇଲ, ଆଉ କଣ ମନସାଧ ମେଣ୍ଟି ନାହିଁ ଯେ, ଏଠି ଆସି ଆମକୁ ଖାଇବାକୁ ବସିଲଣି ? ରଖ, ରଖ, ତମ ଶରଧା ଜଣା ପଡ଼ିଛି । ସମ୍ପତ୍ତି ଉପରେ ଯାର ଏତେ ଲୋଭ, ଯେ ନିଜ ଛଡ଼ା ଆଉ କାଳେ କେହି ଦଖଲ କରିବ ସେଥିପାଇଁ ଏମିତି ଡାହା ମିଛ କହିପାରେ, ତା’ର ପୁଣି ପୁଅ ଶରଧା ! ଛିଆ, ମୁଁ କି କରିବି ଲୋ ମା ! ଯା ଯା, ତମେ ଏଠୁ ଯା, ମୋ ଛୁଆଙ୍କୁ ଆଉ କେବେ ଧରିବ ନାହିଁ ।’’

 

ରୁକ ଯାଇ ବାଡ଼ିପଟ କବାଟ ବନ୍ଧକୁ ଆଉଜି ବଳ ହଜିଗଲା ପରି ବସି ପଡ଼ିଲା । ମଣିଷ ଦୁନିଆରେ ନିଜର ବୋଲି ଗୋଟାଏ କିଛି ନ ରଖି ବଞ୍ଚିପାରେ ନାହିଁ । ମଣିଷର ଦେହଟା ସିନା ମାଟିରେ ମିଶିଯିବ, ତା’ର ସ୍ନେହ ଶରଧା ଏସବୁ ଏମିତି ଅମର ଚିଜ ଭଳି ମନେ ହୁଏ ଯେ, ତାକୁ ଦେଇ ନେଇ ଅଭିମାନ ନ ମେଣ୍ଟାଇଲେ ମଣିଷ ବଞ୍ଚି ରହିବାକୁ ମଲା ଜ୍ଞାନ କରେ । ପଶୁପକ୍ଷୀ କୀଟ ପତଙ୍ଗର ବି ଗୋଟାଏ ସ୍ନେହର ଆଧାର ଅଛି । ରୁକର କିନ୍ତୁ ଅଛି କଣ ? ଛୋଟ ପୁତୁରାଟିକି କାହିଁକି ଭାରି ଭଲ ଲାଗିଥିଲା । ସମସ୍ତେ ତାକୁ ପାଳିନେବ ପାଳିନେବ କହିବାରେ କି କଣ ସେ ବୁଝିପାରି ନଥିଲା ତା । ରୁକ ସତରେ ତାକୁ ସ୍ନେହ କରି ନିଜର ଗାତ ପୁଅକୁ ହାତରେ ପାଇଲା ପରି ଭାଳି ଜୀବନରେ ଟିକିଏ ସୁଖ ପାଉଥିଲା । ମାତ୍ର ଏତେ ସୁଖ ସପନକୁ ରାତି ଅଣ୍ଟିଲା ନାହିଁ । ରୁକର ସମ୍ପତ୍ତି ନାହିଁ ବୋଲି ତା’ର ଆଉ ପୁଅ ବୋଲି କାହାରିକି ସ୍ନେହ କରିପାରିବାର ଅଧିକାର ନାହିଁ ! ରୁକର ଦୁଇ ଗଣ୍ତ ଦେଇ ଦୁଇ ଧାର ଲୁହ ବୋହିଗଲା ।

ରୁକର ସେଠି ଖାଇବା ପିଇବାରେ ଇମିତି କଷ୍ଟ ହେଲା ଯେ ଘରର ସମସ୍ତଙ୍କ ଆଗୋଚରରେ ସେ ତାର ଗହଣା କେଇଖଣ୍ତ ବିକି ଖରଚ କରିବାକୁ ଲାଗିଲା । ବସି ଖାଇଲା ନଈ ବାଲି ସରେ । ସେତକ ବି ତା’ର ଦିନ କେଇଟାରେ ସରିଗଲା ।

ଦିନେ ରୁକ ବଡ଼ ବାଧକି ପଡ଼ିଲା । ଜର ଯେ ଖଇ ଫୁଟିଯିବ । ମଥା ବଡ଼ ଜୋରରେ ଧରିଥାଏ । ବିଛଣାର ଏପଟରୁ ସେପଟ ଗଡ଼ି ଯାଉଥାଏ ପଡ଼ି । ତାକୁ କେହି ଅନେଇଲେ ନାହିଁ କି କଅଣ ହଉଛି ପଦେ ପଚାରିଲେ ନାହିଁ । ସାଗୁ ଟିକିଏ ମାଗିବାରୁ ଦାସୀଟା ଆସି କହିଲା, ‘ତମ ଗହଣାତକ କଣ କଲ କି ? ତାକୁ ବନ୍ଧା ପକାଇ ଦଉ ନା ? ତମର ତ ବେଶ୍‌ ଚଳିଯିବ ସେଥିରେ । ସାଆନ୍ତାଣୀ ହେରିକା ସେହି ଗହଣାକୁ ତ ଖାଲି ଟାକି ବସିଛନ୍ତି । ତମେ ମଲେ ତ ତାଙ୍କର ଲାଭ ।’ ରୁକ କାନ୍ଦି କାନ୍ଦି କହିଲା, ‘ଗହଣା କଅଣ ଆଉ ଅଛି ଯେ ପତିଆ ବୋଉ, ବିକି ଭାଙ୍ଗି ଖାଇବି ? ସବୁ ସଇଲାଣି ସେ ।’ ଏକଥା ଭାଉଜଙ୍କ କାନକୁ ଗଲା । ସେଦିନ ସଞ୍ଜବେଳେ ଭାଉଜବହୂ ସାଗୁଟିକିଏ ଆଣି ଥୋଇଦେଇ କହିଲେ, ‘‘ଆମେ ଏତେ ପର ହେଲୁ ଯେ, ଗହଣାତକ ଆମକୁ ଲୁଚେଇ ବିକି ଦେଲ, ଆମର କି ଗରଜ ତମର କରୁଥିବୁ ଏତେ ? ନିଅ ସାଗୁ ଟିକିଏ ଖାଇବ ତ ଖାଅ । ମୋର କିଏ ପାରିବ ଏତେ ମେହନ୍ତକୁ ଏ ଘରେ ?’’

ରୁକ ଆଉ ସାଗୁ ଖାଇଲା ନାହିଁ । ରାତି ଅଧରୁ ଉଠି କୁଆଡ଼େ ଚାଲିଗଲା ସେଇ ଅବସ୍ଥାରେ । ଘରେ କହିଲେ, ସେ ଛଟକ ହେଇ ବିଛଣାରେ ପଡ଼ିଥିଲା ନା ! ଇଜ୍ଜତ ବିକି ପେଟ ପୋଷିବା ଯାର ମନ, ଘରଭାତ ତାକୁ ସୁଆଦ ଲାଗିବ କାହୁଁ ?

କୋଡ଼ିଏ ବର୍ଷ ବିତି ଗଲାଣି । ବଡ଼ ରାସ୍ତାର ଡାହାଣ କରକୁ ଯଉ ଗାଁ ଖଣ୍ତକ ଛତିଆ ବରଗଛ ଚାରିକୋଶ ଆଗକୁ ଦେଖା ଯାଏ, ତା’ରି ପାଖରେ କେତେ ପୁରୁଷ ହେବ କେଜାଣି–ଚୂନସବୁ ଉଖୁଡ଼ି ଯାଇଛି,–ଇଟା ସବୁ ଫାଟି ବାହାରି ପଡ଼ିଲାଣି–ନିହାତି ଗୋଟିଏ ଦଦରା ମହାଦେବ ମନ୍ଦିର,–ତା’ରି ଭଙ୍ଗା ବେଢ଼ା ଭିତରେ ଶହ ଶହ ଲୋକ ଗଦା ହୋଇଛନ୍ତି । କେଉଁଠୁ ଜଣେ ମାତା’ଜୀ ଆସିଛନ୍ତି ଯେ ସେ ମନ୍ଦିରକୁ, ଯାହା ହୁକୁମ ଦେଉଛନ୍ତି, ଯେତେ ବଡ଼ ଦୁଃସାଧ୍ୟ ହଉ ପଛେ ତା’ର ରୋଗ ଭଲ ହୋଇଯାଉଛି । ଦଶ ବାର କୋଶ ଦୂରରୁ ଲୋକ ସବୁ ଆସି ଅଧିଆ ପଡ଼ିଲା ପରି ପଡ଼ିଛନ୍ତି । ମାତା’ଜୀ ସମସ୍ତଙ୍କୁ ‘ବାପା ଭାଇ’ କହି ଡାକି ଉଠାଉଛନ୍ତି । ଜୁହାର ହେବାକୁ ମନା କରୁଛନ୍ତି; ଯିଏ ଯାହା ଗୁହାରି କରୁଛି ସେ ତା’ ଶୁଣୁଛନ୍ତି ଓ ରୋଗୀ ଚିହ୍ନି ରୋଗୀଙ୍କୁ କି ଗୋଟାଏ ଭସୁଅଁ ଦେଉଛନ୍ତି । ଯେଉଁ ରୋଗକୁ ଯେଉଁ ଅନୁପାନ ବତାଉଛନ୍ତି ତହିଁରେ ଖାଇଲେ ରୋଗ ଭଲ ହୋଇଯାଉଛି । ଯାହାକୁ ଓଷୁଧ ଦେଉଛନ୍ତି ତାକୁ ଖୁବ୍‌ ଆଚାର ନିୟମରେ ରହିବାକୁ କହୁଛନ୍ତି । ଆଉ ସମସ୍ତଙ୍କଠୁଁ ପଣ କରାଇ ନେଉଛନ୍ତି ଯେ, ଭଲ ହେବା ମାତ୍ରେ ଗରିବ ଦୁଃଖୀ ଭାଟ ଭିଖାରୀମାନଙ୍କୁ ସାଧ୍ୟମୂତା’ବକ ଖୁଆଇବ । ଆଉ ଜୀବନରେ ଯେପରି ମା ହେଉ, ଭଉଣୀ ହେଉ, ଭାରିଯା ହେଉ, ଭାଉଜ ହେଉ, ପର ହେଉ, ବା ଆପଣାର ହେଉ, କୌଣସି ସ୍ତ୍ରୀ ଲୋକକୁ କୌଣସି ପ୍ରକାରରେ ଅତ୍ୟାଚାର ଉତ୍ପୀଡ଼ନ ନ କରିବ ।

ଦିନେ ଗୋଟିଏ ରୋଗୀ ଆସିଲା । ଏକ ଅଦ୍ଭୁତ ରୋଗୀ ସେ । ଇମିତି ରୋଗୀ କେହି କେଉଁଠି ଦେଖିଥିବେ କି ନାହିଁ ସନ୍ଦେହ । କୁଷ୍ଠରୋଗୀ ହେଲେ କଅଣ ହେବ ଇମିତି ଦୂରବସ୍ଥା ଖୁବ୍‌କ୍ୱଚିତ୍‌ଦେଖାଯାଏ । ଦିହ ମୁହଁ ସବୁ ଫୁଲି କରି ଏକାକାର, ପୂଜ ରକତରେ ସଢ଼ି ଯାଉଛି । ଗନ୍ଧ ଯେ ନାକ ଫାଟି ଯାଉଛି । ନାକଟା କଉଁ ଗହୀରକୁ ବୋଲି ପଶି ଗଲାଣି । ଆଙ୍ଗୁଳି ଗୁଡ଼ାକ କିଏ ବାଙ୍କି ଗଲାଣି, କିଏ ଛିଡ଼ି ପଡ଼ିଲେଣି । ମାତା’ଜୀଙ୍କ ପାଖକୁ ରୋଗୀକି ନେଇ ଯିବାକ୍ଷଣି ସେଠି ବସିଥିବା ଲୋକେ ନାକରେ ଲୁଗା ଦେଇ ଉଠିବାକୁ ଲାଗିଲେ । କିନ୍ତୁ ମାତା’ଜୀ ଯେପରି ନିର୍ବିକାର ଅଟଳ ଦାରୁ । ଘୃଣା ନାହିଁ, ବିକାର ନାହିଁ, ଗୋଟାଏ କରୁଣ ମୂର୍ତ୍ତି, ଦୟା ସ୍ନେହ ସତେ ଆଉ ରୂପ ଧରିଛି କି ସେଇ ଗମ୍ଭୀର ଗୋଲ ମୁହଁଟିରେ !

ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହେଲେ, ମାତା’ଜୀ ଉଠି ରୋଗୀକୁ ଦଣ୍ତବତ କଲେ । କେହି କେହି କହିଲେ ମାତାଜୀ କଣ ଆଉ ମଣିଷକୁ ଜୁହାର ହେଲେ, ନା ବଡ଼ ରୋଗ ବୋଲି ସେଇ ରୋଗକୁ ଜୁହାର ହେଲେ ।

ଆହୁରି ଆଶ୍ଚର୍ଯ୍ୟ କଥା କଅଣ ହେଲା କି, ମାତାଜୀ ସେହି ରୋଗୀର ପୁଅକୁ ଆଗତ ଭବିଷ୍ୟତ ଜାଣିଥିଲା ପରି କି କର୍ଣ୍ଣପିଶାଚୀ ପଢ଼ିଥିଲା ପରି ପଚାରିଲେ, ‘ତମେ ଆଙ୍କର ପୁଅ ନୁହଁ ? ତମ ଘର ରଘୁନାଥପୁର ନା ? ଏଠିକି କେତେ ବାଟ ହବ—ଦଶ କୋଶ ହବ, ନୁହେଁ ? ଏ ଖରାରେ ଏତେ ବାଟ ଆସିଲ କିମିତି ? ଭାରି କଷ୍ଟ ହେଇଥିବ । ବୋଉ କଣ କରୁଥିଲା ? ତୋ ଜେଜେମା’କୁ ତୋର ମନେ ଅଛି ନା ? ତୋ ଅପାକୁ ତୁ ଦେଖିଛୁ ନା ?’

ସେ କେବଳ ବୋକାଟି ପରି ଠିଆ ହୋଇ ଶୁଣୁଥାଏ । ତା’ ପରେ ମାତାଜୀ କହିଲେ, ‘ଦେଖ୍‌ବାୟା, ଏ ବଡ଼ ଅସାଧ୍ୟ ରୋଗ । ତୋ ବାପା ମୋ ପାଖରେ ରହି ଛଅମାସ ଖଣ୍ତେ ଓଷଦ ନ ଖାଇଲେ ଭଲ ହେବ ନାହିଁ । ମୁଁ ପଛେ ତା’ ପାଇଁ ଏଇଠି ରହିବି ସେତେଦିନ । ଏକାବେଳକେ ଭଲ ମଣିଷ ପରି ନ ହେଇପାରେ, ତେବେ ମହେଶ୍ୱରଙ୍କ ଦୟାରୁ ଏ ଅବସ୍ଥା ତାର ଚାଲିଯିବ । ଦେହ ଅନେକ-ଅଂଶରେ ସୁସ୍ଥ ରହିବ । ଚାଲବୁଲ କରି ପାରିବ । କିନ୍ତୁ ତୋ ବାପକୁ ପଚାରିଲୁ ସେ ଗୋଟିଏ ପ୍ରତିଜ୍ଞା ରଖି ପାରିବ ନା !’

ପୁଅ ପଚାରିଲା–‘କଅଣ ?’

ମାତାଜୀ କହିଲେ, ‘ପଚାରିଲୁ ସେ ଜୀବନରେ ଆଉ କୌଣସି ସ୍ତ୍ରୀ ଲୋକକୁ କଷ୍ଟ ନ ଦେଇ ଭଲ ମଣିଷ ହେଇ ରହି ପାରିବ କି ?’

ଏ କଥା ଶୁଣିବାକ୍ଷଣି ରୋଗୀ ଭୋ ଭୋ ଚିତ୍କାର କରି କାନ୍ଦିଲା— ‘ମୁଁ ମହାପାପୀ । ମୋ ଭଉଣୀ ମୋରି ଦୋଷରୁ ଘରୁ ପଳାଇଲା । ବାଘ କି ଭାଲୁ କିଏ ନେଲା, କଅଣ ହେଲା, ଆଜିକି ୨୦ ବର୍ଷ ହେବ ତାର ପତା ମିଳୁନାହିଁ । ମୁଁ ମହାପାପୀ ।’

ମାତାଜୀ ସାନ୍ତ୍ୱନା ଦେଇ କହିଲେ—‘କାନ୍ଦିଲେ ଆଉ କଅଣ ହେବ, ଯାହା ହବାର ତ ହୋଇଯାଇଛି । ଏଣିକି ଆଉ ତମେ ବାପ ପୁଅ ସେଭଳି କାମ ଯେପରି ନ କର ।’

 

ବାପ ପୁଅ ଦୁହେଁ ରାଜି ହେଲେ । କେତେ ଦିନ ଗଲା । ସତକୁ ସତ ଦିହ ୧୪ ପଣ ସରିକି ଭଲ ହେଇ ଆସିଲା । ମାତାଜୀ କହିଲେ, ‘ଏତକ ଛାଡ଼ିବା ବଡ଼ ସହଜ କଥା ନୁହେଁ । ତେବେ ଖୁବ୍‌ ଆଚାରରେ ରହିଲେ ଆଉ ବଢ଼ିବ ନାହିଁ ।’

 

ମାତାଜୀ କହିଲେ— ‘କଣ ଦବ ?’

 

‘ଆପଣ କଅଣ ଚାହାନ୍ତି କହନ୍ତୁ— ଜମିବାଡ଼ି କି ଟଙ୍କା ?’

 

‘୨୦ ବର୍ଷ ତଳେ ତମର ଯେତେ ସମ୍ପତ୍ତି ଥିଲା, ତାର ଅଧେ ବି ନାହିଁ ଉଛୁଣି । ତମ ସମ୍ପତ୍ତି ତମେ ବରବାଦ କରିଦେଇଛ । ବାକି ଯାହା ଅଛି, ସେ ତ ତମର ନୁହେ, ଦେବ କିପରି !’

 

‘ମୋର ନୁହେଁ ଆଉ କାହାର ତେବେ?’

 

‘‘ମୋର । ଝିଅ ହେଲି ବୋଲି ମୋର କଣ ଭାଗ ନାହିଁ? ମୁଁ କ’ଣ ମା ପେଟରୁ ଜନମ ହେଇନାହିଁ ? ଭାଇ, ମୋ ସମ୍ପତ୍ତି ମତେ ପୁଣି ଦବୁ ଗୋଟାଏ କଅଣ ମ ?’’

 

ଶୁକ ଏକାବେଳେକେ ଆଶ୍ଚର୍ଯ୍ୟ ହୋଇ କହିଲା— ‘‘ଏଁ, ତୁ ରୁକ । ମୋ ଭଉଣୀ ରୁକ !’’

 

ରୁକକୁ କୁଣ୍ଢାଇ ପକାଇଲା । ଆଖିରୁ ଲୁହ ବୋହି ଯାଉଥାଏ ।

Image

 

ଜୀବନ୍ତ ପାଷାଣ

 

ଡାକ୍ତର ମୋହନ ଜଣେ ପ୍ରସିଦ୍ଧ ପ୍ରତ୍ନତତ୍ତ୍ୱବିତ୍‌ । ରୟେଲ ଆସିଆଟିକ୍‌ ସୋସାଇଟିର ମନୋନୀତ ସଭ୍ୟ ରୂପେ ସେ ପ୍ରଥମେ ଓଡ଼ିଶାର ମୁଖ ଉଜ୍ଜ୍ୱଳ କରିଥିଲେ । ଅଧିକାଂଶ ସମୟରେ ସେ ଭାରତର ଇଦାନୀନ୍ତନ ରାଜଧାନୀ ଦିଲ୍ଲୀରେ ହିଁ ଅବସ୍ଥାନ କରୁଥିଲେ । ସେଥିପାଇଁ ଓଡ଼ିଶାର ଅନେକ ଲୋକଙ୍କୁ ତାଙ୍କର ନାମ ପର୍ଯ୍ୟନ୍ତ ଜାଣିବାର ସୁବିଧା ଏବଂ ସୌଭାଗ୍ୟ ମିଳି ନଥିଲା । ଏ ଦେଶର ମାଟିରେ ଜନ୍ମଗ୍ରହଣ କରି, ଏହି ଦେଶରେ ପ୍ରତିପାଳିତ ହୋଇ, ଏହି ଦେଶରେ ଶିକ୍ଷା ଓ ଜ୍ଞାନଲାଭ କରି ଏପରି ଅନେକ ଓଡ଼ିଆ ଅଛନ୍ତି ଯେଉଁମାନେ କି ପରବର୍ତ୍ତୀ ଜୀବନରେ, ବିଦେଶରେ ବିପୁଳ ସମ୍ପତ୍ତିର ସତ୍ତ୍ୱାଧିକାରୀ ହୋଇ ନିଜର ମାତୃଭାଷା ପର୍ଯ୍ୟନ୍ତ ପାସୋରି ଦେବାଟାକୁ ଗୌରବ ମନେ କରନ୍ତି— ଡାକ୍ତର ମୋହନ ସେମାନଙ୍କର ବ୍ୟତିକ୍ରମ ଥିଲେ ବୋଲି ନ କହିଲେ ତାଙ୍କ ପ୍ରତି ଘୋର ଅନ୍ୟାୟ କରାହେବ ।

 

ଡାକ୍ତର ମୋହନ ହିନ୍ଦୁ ଥିଲେ, କିନ୍ତୁ ତାଙ୍କର ସ୍ତ୍ରୀ ଥିଲେ ମହାରାଷ୍ଟ୍ରୀୟ ଖ୍ରୀଷ୍ଟିଆନ୍‌ । ବିବାହ ପୂର୍ବରୁ ତାଙ୍କ ମଧ୍ୟରେ ଗୋଟାଏ ମୌଖିକ ଚୁକ୍ତି ହୋଇଥିଲା ଯେ, ବିବାହ ପରେ କେହି ଯେପରି କାହାର ଧର୍ମ ଆଚରଣରେ କୌଣସି ବାଧା ନ ଦିଅନ୍ତି । କିନ୍ତୁ କିଛିଦିନ ପରେ ଦେଖାଗଲା ଯେ ତାଙ୍କର ସ୍ତ୍ରୀ କ୍ରମେ ହାତରେ ଶଙ୍ଖା, ମଥାରେ ସିନ୍ଦୂର ଘେନିବାଠାରୁ ଆରମ୍ଭ କରି ନାନାଦି ବାରବ୍ରତ ପାଳନ ପ୍ରଭୃତି ସମସ୍ତ ହିନ୍ଦୁ ଆଚାର ପ୍ରତି ବିଶେଷ ଶ୍ରଦ୍ଧା ପ୍ରକାଶ କରୁଛନ୍ତି । ଡାକ୍ତର ମୋହନ ଥରକପାଇଁ ମଧ୍ୟ ଏହାର କାରଣ ପଚାରି ନଥିଲେ । କାରଣ ସେ ତାଙ୍କର ସ୍ତ୍ରୀର ନିଜ ଇଚ୍ଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରିବାକୁ କିମ୍ବା ତାଙ୍କର (ମୋହନଙ୍କର) କୌଣସି ନୀତି ବା ମତ ମାନି ନେବାକୁ ତାଙ୍କୁ ବାଧ୍ୟ କରୁ ନଥିଲେ ।

ଡାକ୍ତର ମୋହନ ଯେଉଁଦିନ ବନାରସ ଇଉନିଭରସିଟିରୁ ଡକ୍ଟରେଟ୍‌ ଉପାଧି ପାଇଲେ, ସେଦିନ ତାଙ୍କ ସ୍ତ୍ରୀର ମୁମୂର୍ଷୁ ଅବସ୍ଥା । ଏ ଶୁଭ ସମ୍ୱାଦ ଶୁଣି କାଳେ ତାଙ୍କ ସ୍ୱାସ୍ଥ୍ୟର ପରିବର୍ତ୍ତନ ହେବ, ଏହି ଆଶାରେ ଡାକ୍ତର ମୋହନ ନିଜେ ଯାଇ ଖୁବ୍‌ ଉତ୍ସାହ ସହକାରେ ତାଙ୍କ ଆଗରେ ତାହା ପ୍ରକାଶ କରିଥିଲେ ଏବଂ ବାରମ୍ୱାର କହିବାକୁ ଲାଗିଲେ ଯେ, କେବଳ ତାଙ୍କରି ପ୍ରେରଣା ଯୋଗୁଁ ସେ ଯେଉଁ ନୂତନ ନିବନ୍ଧ (Thesis) ଦେଇଥିଲେ ତାହାହିଁ ତାଙ୍କର ଏଡ଼େ ବଡ଼ ସମ୍ମାନ ପାଇଁ ଦାୟୀ ।

କିନ୍ତୁ ଅତିଶୟ ଦୁଃଖର କଥା ଯେ ଏହି ସମ୍ୱାଦ ପାଇବାର ପର ମୁହୂର୍ତ୍ତଠାରୁ ତାଙ୍କର ଜୀବନୀ ଶକ୍ତି ହ୍ରାସ ପାଇବାକୁ ଲାଗିଲା । ସାମାନ୍ୟ କେତୋଟି ଘଣ୍ଟା ଜୀବିତ ରହି ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ମନେ ହେଲା ଯେପରି ସେଇ ଶୁଭ ସମ୍ବାଦଟି ପାଇବା ପାଇଁ ସେ ଅପେକ୍ଷା କରି ବସିଥିଲେ । ସେତିକିରେ ଯେପରି ତାଙ୍କ ଜୀବନର ସମସ୍ତ କର୍ମ ଶେଷ ହୋଇଗଲା-

ସ୍ତ୍ରୀଙ୍କର ମୃତ୍ୟୁରେ ଶୋକ ପ୍ରକାଶ କରୁଥିବାର କେହି ଡାକ୍ତର ମୋହନଙ୍କୁ କେବେ ହେଲେ ଦେଖି ନାହିଁ । ସେ ପୂର୍ବରୁ ଯେପରି ଭାବରେ ମନ ପ୍ରାଣ ଦେଇ ନିଜ କାର୍ଯ୍ୟରେ ଲାଗୁଥିଲେ, ପତ୍ନୀ-ବିୟୋଗ ପରେ ମଧ୍ୟ ତାଙ୍କର କୌଣସି ପ୍ରକାର ତ୍ରୁଟି କାହାରି ଦୃଷ୍ଟିଗୋଚର ହୋଇ ନଥିଲା । ତା’ର କେତେଦିନ ପରେ ସେ ରଏଲ ଆସିଆଟିକ୍‌ ସୋସାଇଟିର ସଭ୍ୟ ରୂପେ ଗୃହୀତ ହେଲେ । କିନ୍ତୁ ଡାକ୍ତର ମୋହନଙ୍କର ଗୋଟାଏ ପରିବର୍ତ୍ତନ ଖୁବ୍‌ ସ୍ପଷ୍ଟ ପରିଲକ୍ଷିତ ହେଉଥିଲା । ସେ ଯେପରି ଯନ୍ତ୍ରଭଳି ପ୍ରତ୍ୟେକ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଛନ୍ତି । ସୁଖ ଦୁଃଖରେ ତାଙ୍କର ଯେମିତି ଗୋଟାଏ ଅବିଚଳିତ ଭାବ ।

୧୯୨୮ ମସିହାରେ ସେ ପ୍ରତ୍ନତତ୍ତ୍ୱ ସଂଗ୍ରହ ପାଇଁ ଓଡ଼ିଶାକୁ ଆସିଥିଲେ । ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁପରେ ଓଡ଼ିଶାକୁ ଆସିବା ତାଙ୍କର ଏଇ ପ୍ରଥମ । ଏଠାକୁ ଆସି ସେ ଜଣେ ସହକାରୀ (Assistant) ଖୋଜିଲେ । ମୁଁ ବିନା ପାରିତୋଷିକରେ ତାଙ୍କ ସହିତ କୋର୍ଣାକ ଗଲି ।

ବାଟରେ ନାନାଦି ମଧୁର ଗଳ୍ପରେ ଆମ୍ଭମାନଙ୍କର କାଳ ଅତିବାହିତ ହୋଇଥିଲା । ସେ କ୍ରମେ ମତେ ଅତି ଆପଣାର ବୋଲି ମନେ କରିବାକୁ ଲାଗିଲେ ଏବଂ ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ସେ ମତେ ବହୁ ପରିମାଣରେ ନିର୍ଭର କରି ରହୁଥିଲେ । କେବଳ କୌଣସି ପ୍ରାଚୀନ ଶିଳା କିମ୍ୱା ପଦାର୍ଥର ଅଧ୍ୟୟନ ବେଳେ ସେ ଏକାକୀ ରହିବାକୁ ହିଁ ଶ୍ରେୟ ମନେ କରୁଥିବାରୁ ମୁଁ କେବେ ହେଲେ ସେ ସମୟରେ ଅନଧିକାର ଚର୍ଚ୍ଚା କରିବାକୁ ସାହସ କରେ ନାହିଁ । ବୋଧହୁଏ ଏହି କାରଣରୁ ସେ ମୋତେ ଅଧିକ ସ୍ନେହ କରୁଥିଲେ ।

ଅଧ୍ୟୟନ ପରେ ସେ ଯେତେବେଳେ କୌଣସି ସିଦ୍ଧାନ୍ତରେ ଉପନୀତ ହୁଅନ୍ତି, ସେତେବେଳେ ପ୍ରଥମେ ସେ ମୋତେ ଡାକି ନିଜ ଦୃଢ଼ ସ୍ୱରରେ ମୋ ଆଗରେ ତାହା ଘୋଷଣା କରନ୍ତି । ସେ ସ୍ୱରର ଦୃଢ଼ତା ଏବଂ ନିର୍ଭୀକତା ଯେ ଶୁଣିବ, ସେ ବିଶ୍ୱାସ ନ କରି ରହିପାରିବ ନାହିଁ ଯେ ଡାକ୍ତର ମୋହନ ଏକାବେଳକେ ନିର୍ଭୁଲ ।

ମୁଁ ଦିନେ କଥାରେ କଥାରେ ତାଙ୍କୁ ପଚାରିଲି, ‘‘ମହାଶୟ, ଶିଳା ମୂର୍ତ୍ତି ଏବଂ ଶିଳାଲିପି ସବୁ କଅଣ ସେମାନଙ୍କର ବଂଶାବଳୀ ଏବଂ ପ୍ରାଚୀନତ୍ୱ ସମ୍ୱନ୍ଧରେ ଆପଣଙ୍କ ସହିତ କଥାବାର୍ତ୍ତ କରନ୍ତି ?’’ ସେ ତାଙ୍କର ସ୍ୱାଭାବିକ ଦୃଢ଼ତା ସହିତ କହିଲେ— ‘‘Yes, they do speak.’’ [ନିଶ୍ଚୟ, ସେ ସବୁ ମୋ ସହିତ କଥାବାର୍ତ୍ତା କରନ୍ତି ।]

 

ଆମ୍ଭେମାନେ କୋଣାର୍କରେ ପହଞ୍ଚି ପ୍ରାୟ ଦୁଇଦିନ ସେଠାରେ ରହିବା ପରେ ତୃତୀୟ ଦିନର କଥା । ଶୁକ୍ଳପକ୍ଷ ରଜନୀ । ମୁଁ ଭଗ୍ନ ମନ୍ଦିରର କିୟଦ୍ଦୂରରେ ବସି ଶୀତଭାନୁର ଶୀତଳ କିରଣ-ସ୍ପର୍ଶଜନିତ ଆନନ୍ଦ ଅନୁଭବ କରୁଥିଲି । ମୋର ଅନତିଦୂରରେ ଡାକ୍ତର ମୋହନ ତାଙ୍କ ହାଣ୍ତବେଗ୍‌ରୁ କୌଣସି ଗୋଟିଏ ପଦାର୍ଥ କାଢ଼ି ନେବାର ମୁଁ ଦେଖିଛି । ମାତ୍ର ସେ ବିଷୟରେ ଅନୁସନ୍ଧାତ୍ସୁ ହେବାର କୌଣସି କାରଣ ନ ଥିବାରୁ ମୁଁ ତତ୍‌ପ୍ରତି ବିଶେଷ ମନଯୋଗୀ ହୋଇ ନଥିଲି-

 

ବ୍ୟାଗଟିକୁ ସେହିଠାରେ ରଖି ସେ ଯେତେବେଳେ ଗୋଟିଏ ଭଗ୍ନ ପ୍ରସ୍ତର ପ୍ରତିମା ନିକଟକୁ ଗଲେ ସେତେବେଳେ ମୁଁ ତାଙ୍କ ଆଡ଼କୁ ଚାହିଁଥିଲି, ମାତ୍ର ବିଶେଷ ଆବଶ୍ୟକତା ନ ଦେଖିବାରୁ ମୁଁ ନିଜେ ନିଜେ ଚିନ୍ତାରେ ଲିପ୍ତ ରହିଲି ।

 

କିଛି ସମୟ ପରେ ସେ ଚିତ୍କାର କରି ଉଠିଲେ— ‘‘Here she is— Mr. Mohapatra, come on and see— here she is-she is not dead— she is alive— quite alive— alive to my sorrows and miseries— alive to everything.’’

 

‘‘ଏଇଠି ଅଛି ସେ— ମିଃ ମହାପାତ୍ର, ଦେଖିବ ଆସ— ସେ ଏଇଠି ଅଛି— ସେ ମରିନାହିଁ ବଞ୍ଚିଛି— ସେ ସବୁ ବୁଝୁଛି— ମୋ ଦୁଃଖ ଯନ୍ତ୍ରଣା ବୁଝିବାକୁ ତା’ର ଆଉ କିଛି ବାକି ନାହିଁ-।’’

 

ମୁଁ ଆଶ୍ଚର୍ଯ୍ୟ ହୋଇଗଲି । କିଛି ବୁଝି ପାରିଲି ନାହିଁ । ତାଙ୍କ ପାଖକୁ ଯାଇ ଦେଖିଲି ଗୋଟିଏ ଭଗ୍ନ ପାଷାଣ ମୂର୍ତ୍ତି ପାଖରେ ସେ ଠିଆ ହୋଇଛନ୍ତି ।

 

ମୁଁ ପଚାରିଲି, ‘‘କଅଣ ?’’

 

ସେ କହିଲେ— ‘‘ଲୀଳା— ମୋର ସ୍ତ୍ରୀ । ସମସ୍ତେ କହିଲେ; ‘ସେ ମରିଯାଇଛି’ ବୋଲି, ମୋରି ଆଖି ଆଗରେ ତାକୁ ନେଇଗଲେ । ମତେ ଆସି କହିଲେ ସବୁ—‘‘ହିନ୍ଦୁ ମତରେ ଚନ୍ଦନକାଠ ତୁଳସୀ କାଠ ଦେଇ ତାକୁ ପୋଡ଼ି ପକାଇଲୁ ।’’ ମିଛ କଥା— ମତେ ସମସ୍ତେ ଠକାଇଛନ୍ତି— ମୁଁ ନିରୀହ ବୋଲି ମୋ ସଙ୍ଗରେ ସମସ୍ତେ ଦଗାବାଜି କରିଛନ୍ତି— ତାକୁ ଏତେଦିନ ଯାଏ ଏଇଠି ଆଣି ଲୁଚାଇ ରଖିଥିଲେ । ମୁଁ କଅଣ ମିଛ କହୁଛି ? ହେଇଟି ଦେଖ—ତମେ ନିଜେ ଦେଖ ମହାପାତ୍ର, ମୋର କେବେ ଭୁଲ୍‍ ହୋଇ ପାରେନା— ଆଜି ଯାଏ ମୋର କେଉଁଠି ଭୁଲ୍‍ ହୋଇ ନାହିଁ । ଏ କେଭେଁ ଶହ ଶହ ବର୍ଷ ତଳର ଭଗ୍ନ ପାଷାଣ ପ୍ରତିମା ନୁହେଁ । ଏ ଯେ ମୋର ଲୀଳା— ଲୀଳା ମୋର ସ୍ତ୍ରୀ— ଠିକ୍‌ ସେଇ, ଏଥିରେ କୌଣସି ସନ୍ଦେହ ନାହିଁ । ଠିକ୍‌ ଯେମିତି ହାସ୍‌ପାତାଳ ଖଟଉପରେ ଶୋଇଥିଲା ସେମିତି ଶୋଇଛି । ମତେ ପରା ଅବିକା କହିଲା, ମହାପାତ୍ର ସାହେବ ଯେ, ‘‘ଆଉ ଗୋଟେ ଇନ୍‌ଜେକ୍‌ସନ୍‌ ଦିଅ ମୁଁ ଭଲ ହୋଇଯିବି ଯେ ।’’ ମହାପାତ୍ର— run on-run on (ଦୌଡ଼-ଦୌଡ଼) — ଗୋଟିଏ ଡାକ୍ତର । ଚାହିଁଛ କ’ଣ ? ଡେରି ହେଲେ ମରିଯିବ ଯେ । ତାର ହାତଟା ଅପରେସନ୍‌ ହୋଇଥିଲା । ବଡ଼ ଜୋରରେ ବ୍ଳିଡ଼ଂ ହେଉଛି । ଆଉ ଗୋଟିଏ ଇନ୍‌ଜେକ୍‌ସନ— and she will be all right (ସେ ଭଲ ହୋଇଯିବ) ।’’

 

ମୁଁ କାଠପରି ଠିଆ ହୋଇଥାଏ । ସେ କହି ଯାଉଥାନ୍ତି— ‘‘ମୋର ଏହି କୋଳ ଉପରେ ମୁଣ୍ତ ରଖି ସେ ପରା ସେଦିନ ମତେ କହିଥିଲା, ‘ତମେ ମୋର ଦେବତା’, ତମେ ଯାହାକୁ ସ୍ୱର୍ଗବୋଲି ମନେକର, ମୋର ମନେ ହେଉଛି, — ସେଇଠି— ତମର ଜନ୍ମଭୂମି, ସ୍ୱର୍ଗଭୂମି, ଓଡ଼ିଶାରେ ମୋର ପ୍ରାଣ ଯାଆନ୍ତା କି !’ ମୋର ଖୁବ୍‌ ମନେ ଅଛି । ଠିକ୍‌ ମନେ ଅଛି ସେ exactly— ଏଇୟା କହିଥିଲା । ସେ କେମିତି ଦିଲ୍ଲୀରେ ମରି ପାରନ୍ତା କହିଲ ? ସେ ସେଠି କେବେ ମରିନାହିଁ । She lives here— ସେ ଏଇଠି ଅଛି, ତାକୁ ଏଇଠି ଲୁଚାଇ ରଖିଛନ୍ତି ।

 

‘‘କି ଦଗାବାଜି— ମିଃ ମହାପାତ୍ର, କି ଦଗାବାଜି! ସେହିଦିନ ସେ ଖଟ ଉପରେ ଶୋଇ ମତେ କହିଲା— ‘ମୋର ସମୟ ଆସିଗଲା, ମୋ ମଥା ଉପରେ ପାଦ ଥୋଇ ଦିଅ— ମୁଁ ସତୀ ହୋଇ ସ୍ୱର୍ଗକୁ ଯିବି । ମୋ ପାଇଁ ଖୁବ୍‌ ସୁନ୍ଦର ପବିତ୍ର ସ୍ଥାନ ସଜାଇ ରଖିବ— ତମେ ତମର କାମ ସାରି ସେଠିକି ଯିବ— ତମ କାମ ସରି ନାହିଁ— ଏ ସଂସାର ତମଠୁ ଅନେକ ଆଶା କରି ଚାହିଁ ବସିଛି । ମୋ ପାଇଁ ଦୁଃଖ କରି ଦେଶକୁ, ସଂସାରକୁ ଉପେକ୍ଷା କରିବ ନାହିଁ ।’ ମିଃ ମହାପାତ୍ର, ମୁଁ ସେଥିପାଇଁ କେବେହେଲେ ତା’ ଦୁଃଖରେ ଦେଶକୁ ଅବହେଳା କରେ ନାହିଁ । କିନ୍ତୁ ମୁଁ ଯେ ତା’ ମଥାରେ ଗୋଡ଼ ଥୋଇ ଦେଇ ନାହିଁ— ସେ କିମିତି ମରିବ— How can she die ? ଅସମ୍ଭବ ।

 

‘‘କହିଲା— ‘ଅନେକ ଦିନ ଅଲଗା ହୋଇ ରହିବାକୁ ହେବ—ହୁଏତ ଅନେକ ବର୍ଷ ଧରି ମତେ ତୁମରି ପଥକୁ ଅନାଇଁ ରହିବାକୁ ପଡ଼ିବ । ଏଇ ଦୀର୍ଘ ବିଚ୍ଛେଦ ପୂର୍ବରୁ ମୁଁ ଅନେକ ସମୟରେ ବଡ଼ ଅବାଦ୍ଧ ହୋଇଛି— ନିଜର ମତକୁ ପ୍ରତିଷ୍ଠ କରିବାକୁ ଯାଇ ମୁଁ ବହୁବାର ତମକୁ କଷ୍ଟ ଦେଇଛି— ମତେ କ୍ଷମାକର— ମୋ ମଥାରେ ପାଦ ଦିଅ ।’

 

‘‘କିନ୍ତୁ ମିଃ ମହାପାତ୍ର, ଯାହାର କିଛି ହେଲେ କିଛି ଦୋଷ ଥରକ ପାଇଁ ବି ମୋ ଆଖି ଆଗରେ ପଡ଼ି ନାହିଁ, ମୁଁ ତାକୁ କେଉଁ କଥା ପାଇଁ କ୍ଷମା ଦିଅନ୍ତି । ମୋ ପାଟିରୁ ସେ ଦିନ ଭାଷା ବାହାରିଲା ନାହିଁ । ମୁଁ ତାକୁ ‘କ୍ଷମା ଦେଲି’ ବୋଲି କହି ପାରିଲି ନାହିଁ— ସେ କିମିତି ମରନ୍ତା? ତା’ ମୁଣ୍ତରେ ମୁଁ ଗୋଡ଼ ଦେଲି ନାହିଁ— କିମିତି ସେ ମୋତେ ଛାଡ଼ି ଚାଲିଯିବ ? ହେଇଟି ଦେଖ, ମୁଁ ଯାହା କହୁଥିଲି, ଠିକ୍‌ ସେଇଆ— ସେ ଜୀଇଛି— ଏଇଠି ଆସି ଅଛି— ଏଇ ପ୍ରାଣ ଛାଡ଼ି ଯାଇପାରେ, ତମେ ଶୀଘ୍ର ଡାକ୍ତର ଡାକ— ଯାଅ— ଯାଅ ଡେରି କର ନାହିଁ ।

 

‘‘ଓ— ତମେ ଅବିଶ୍ୱାସ କରୁଛ ? କହୁଛ ଯେ ପଥରଟାକୁ ମୁଁ ଭୁଲ୍‍ରେ ମୋର ସ୍ତ୍ରୀ ବୋଲି କହୁଛି ? ଡାକ୍ତର ମୋହନଙ୍କର କେବେ ଭୁଲ୍‍ ହୋଇପାରେ ? କେବେ ଭୁଲ୍‍ ହେବାର ଦେଖିଛ ? ଏ ଲୀଳା ଛଡ଼ା ଆଉ କେହି ହୋଇ ନପାରେ । ଅବଶ୍ୟ ବିବାହ ପୂର୍ବରୁ ମିସ୍‌ଲୀଳା ଆଉ କେହି ହୋଇ ନ ପାରେ । ଅବଶ୍ୟ ବିବାହ ପୂର୍ବରୁ ମିସ୍‌ଲୀଳା ଆଉ ଏ ଲୀଳା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । କିନ୍ତୁ ସେଦିନ ହାସପାତାଳରେ ଯେଉଁ ଲୀଳା ମତେ କହିଲା— ‘ମୋ ମୁଣ୍ତରେ ସିନ୍ଦୂର ଲଗାଇ ଦିଅ— ମୋ ହାତରେ ଶଙ୍ଖା ପିନ୍ଧାଇ ଦିଅ— ମୁଁ ଅହ୍ୟରାଣୀ ହୋଇ ମରିବି—’ ସେ ଲୀଳା ଆଉ ଏ ଲୀଳା ଭିତରେ ଟିକିଏ ବୋଲି ଟିକିଏ ପ୍ରଭେଦ ନାହିଁ । ମୁଁ ଲୀଳାକୁ କାହିଁକି ଭଲପାଇ ବାହା ହେଇଥିଲି ଜାଣ ? ସେ ଖ୍ରୀଷ୍ଟିୟାନ, ମୁଁ ହିନ୍ଦୁ, ଆମ ଦୁଇଙ୍କର ମନ କାହିଁକି ମିଳିଲା ଜାଣ ? —ତା’ର ସ୍ୱାଧୀନ ଚିନ୍ତା ଆଉ ସ୍ୱାଧୀନ ମତ ମୋତେ ମୁଗ୍‌ଧ କରିଥିଲା । କିନ୍ତୁ ତା’ ପରେ ତା’ର ଆତ୍ମ ଆହୁତିହିଁ ମତେ ଲାଗିଲା ସବୁଠାରୁ ବେଶୀ ଭଲ । ସେଦିନ ମୁଁ ପଚାରିଲି, ‘ଲୀଳା, ତୁମେ ଖ୍ରୀଷ୍ଟିୟାନ, ତମର ଏ ସିନ୍ଦୂର, ଏ ଶଙ୍ଖାରେ କି ପ୍ରୟୋଜନ ?’

 

‘‘ସେ ମତେ ତା’ର ଉତ୍ତର ଦେଲା— ‘ମତେ କଣ ତମେ ଏଡ଼େ ସ୍ୱାର୍ଥପର ମନେ କରିଛ-? ଏତେ ଦିନ ହେଲା— ଲୀଳାକୁ ଚିହ୍ନି ପାରିଲ ନାହିଁ ?’

 

‘‘ଠିକ୍‌ ସେହି ଲୀଳା—ଖାଣ୍ଟି ଓଡ଼ିଆଣୀ— ହିନ୍ଦୁ— ଅହ୍ୟରାଣୀ । ଆହୁରି ଅବିଶ୍ୱାସ ହେଉଛି ? ଦେଖିବ ? ଦେଖିବ ତା’ର ଫଟୋ ?’’

 

ସେ ହାତରେ ଗୋଟିଏ ଫଟୋ ଧରିଥିଲେ । ସମ୍ଭବତଃ ସେହି ବ୍ୟାଗରୁ ସେ କାଢ଼ି ଆଣିଥିଲେ ସେତେବେଳେ । ମୋତେ ସେଟାକୁ ଦେଖାଇ କହିଲେ—‘‘ଦେଖ, ମିଳାଅ— ଭଲ କରି ଚିହ୍ନ— ଏ ଫଟୋ ଆଉ ତା’ ଭିତରେ କିଛି ତଫାତ୍‌ ଅଛି ? ହାଃ–ହାଃ, ଡାକ୍ତର ମୋହନର ଭୁଲ୍‍, ଅସମ୍ଭବ !’’

 

ମୁଁ ପ୍ରକୃତରେ ଭଲ କରି ଦେଖିଲି, ତାଙ୍କ ସ୍ତ୍ରୀଙ୍କର ଫଟୋ ଆଉ କୋଣାର୍କର ଭଗ୍ନ ପ୍ରତିମା ଭିତରେ କୌଣସି ପାର୍ଥକ୍ୟ ନଥିଲା ।

Image

 

Unknown

ଅଦିନ ବଉଦ

 

ଖଞ୍ଜଣି ବଜାଇ ଗୀତ ଗାଇ ଦୁଆରେ ଦୁଆରେ ସେ ଭିକ ମାଗି ବୁଲେ । ସକାଳୁ ଯାଏ ଯେ ଖରା ଲେଉଟିଲେ ଯାଇଁ ଆମ ଗାଁ ସେ ପଟରେ ଯେଉଁ ଫାଶୀଦିଆ ବରଗଛଟା ନାହିଁ ! — ତା’ରି ମୂଳରେ ଆସି ବସେ । ଅଳପ ଦୂରକୁ ଯେଉଁ ମହାଦେବ ମନ୍ଦିର, ସେଉଟା ତା’ର ବରଷା କାକରର ନିଠୁର ଦରଦୀ । ଆଉ ଖରାଦିନେ, କି ଦିନ କି ରାତି, ସବୁବେଳେ ସେଇ ଗଛମୂଳ । ସେଇଠି ବସି ସେ ମନ୍ଦିର ଦକ୍ଷିଣକୁ ଯେଉଁ ଚୂଆ ଖଣ୍ତକ ଅଛି, ଅନେକ ସମୟରେ ତାକୁ ହିଁ ଚାହିଁ ବସେ । ସୂର୍ଯ୍ୟ କିରଣରେ ଯେମିତି ସେ ଚୂଆ ଖଣ୍ତରୁ ଧୂଆଁ ଭଳି ହୋଇ ଧୀରେ ଧୀରେ ପାଣିର ପ୍ରାଣ ବାହାରି ଯାଉଥାଏ, ସେମିତି— ଠିକ୍‌ ସେମିତି ସକାଳୁ ବେଳ ବୁଡ଼ଯାଏ ତା’ର ସିକ୍ତ କଣ୍ଠର ରିକ୍ତ ରାଗିଣୀ ଗୋଟାଏ ଅଜଣା ରାଇଜର ଅସୀମ ସରଣୀରେ ଲୀନ ହୋଇଯାଏ । ସେ ବୁଝେ । ବୁକୁ ଭିତର ତା’ର ପଟୁ ଭୂଇଁର ମାଟି ପରି ଚିଡ଼ି ଚିଡ଼ି ହୋଇ ଫାଟି ପଡ଼େ ।

ବାରମିଶା ଚାଉଳରୁ ଗଣ୍ତେ ଏଣୁ ତେଣୁ କି ଫୁଟାଇ ମାଗିଅଣା ପୋକା ବାଇଗଣର ଭରତା ଦେଇ ସେଦିନ ସେ ଉଦୁଉଦିଆ ଦିପହର ବେଳେ ଖାଉଛି । ମନଟା ବିନା କାରଣରେ ଯେମିତି ଫୁଟିଲା ପେଜ ପରି ଟକ ମକ କରି ଉଠିଲା । ଗୋଟାଏ ଅନାଗତ ଆନନ୍ଦର ଉତ୍କଣ୍ଠାରେ ସେ ଆକଣ୍ଠ ଭୋଜନ କରି ଧରି ବସିଲା ତାର ଖଞ୍ଜଣି । ତାର ମନେ ହେଲା, ସେମିତି ଗୀତ ସେ ଯେମିତି ଗାଇ ନଥିଲା କେବେ ।

ଗୀତରେ କୁଆଡ଼େ ବାଘ ଭାଲୁ ବଶ ହୋଇଯାନ୍ତି । କିନ୍ତୁ ବାଘ ଭାଲୁ ଜାଗା ସେ ନୁହେଁ । ମୃଗ କୁଆଡ଼େ ଅପଲକ ନୟନରେ ଆସି ଶୁଣେ । ଆମ ଗାଁରେ କେହି କେବେ ମୃଗ ଦେଖିଥିବ ଯଦି ସେ କୋଡ଼ିଏ କୋଶ ଦୂରରେ । ସାପ ବି ଭଲ ଗୀତ ଶୁଣିଲେ ଆସି ଖେଳେ । କିନ୍ତୁ ତା’ ଗୀତରେ ସାପ ବିଲରୁ ବାହାରି ଆସି ନ ଥିଲା— ବାହାରି ଆସିଥିଲା ଗୋଟେ ମଣିଷଛୁଆ— ବିଲରୁ ନୁହେ, ଘରୁ । ସେଇଦିନ ପାଖରୁ ଲତା ନିତି ଆସି ସୁରଥର ଖଞ୍ଜଣି ଗୀତ ଶୁଣେ । କେତେବେଳେ ବସି, କେତେବେଳେ ଶୋଇ, କେତେବେଳେ ହାମୁଡ଼େଇ, କେତେବଳେ ଓହଳକୁ ଧରି, କେତେବେଳେ ବା ଗଛ ଡାଳରେ କହୁଣୀ ରଖି, ଗୋଲାପୀ ଗୁଲୁଗୁଲିଆ ଗାଲକୁ ତା’ର କଅଁଳ ଟିକି ଟିକି ହାତରେ ଭରାଦେଇ ଅନିମେଷ ନୟନରେ ସୁରଥକୁ ଚାହିଁ ରହେ । ସୁରଥ ଗୀତ ଗାଇ ପୁଣି ଭିକ ମାଗି ବାହାରେ— ଲତା ଫେରେ ଘରକୁ ।

ଏମିତି କେତେ ଖରା ଚାଲିଗଲା । ଦିନେ ଆଉ ଆସିଲା ନାହିଁ । ଦିନେ ନୁହେଁ, ଲାଗି ଲାଗି ତିନି ଦିନ ଆସିଲା ନାହିଁ । ସୁରଥ ଆକୁଳ ହୋଇଉଠିଲା । ତିନି ଦିନକୁ ତିନି ସପ୍ତା ଗଲା, ଲତାର ଆଉ ଦେଖା ନାହିଁ । ସେ ଲତାଘରକୁ ଭିକ ମାଗି ଯାଏ । ନିତି ନିତି ଗଲେ ଚିଡ଼ିବେ ବୋଲି ସେ ସାତ ଦିନେ ଆଠ ଦିନେ ଥରେ ଯାଏ । କିନ୍ତୁ ଲତାକୁ ଆଉ ପାଏ ନାହିଁ ।

ସୁରଥ ଦେଖିଲା, ତା’ ଆଗରେ ଯେଉଁ ଜଳାଶୟ ଦେଖା ଯାଉଥିଲା, ସେଟା ଗୋଟେ ମରୀଚିକା । ବେଳେ ବେଳେ ସେ ଭାବେ ସେ ଯେମିତି ଗୋଟେ ଦୀର୍ଘ ସ୍ୱପ୍ନ ଦେଖୁ ଦେଖୁ ହଠାତ୍‌ ତା’ର ନିଦ ଭାଙ୍ଗି ଯାଇଛି ।

ସେ ବୁଝି ପାରିଲା, ଲତାର ଆଉ ବାହାରକୁ ବାହାରିବାର ବୟସ ନାହିଁ । କିନ୍ତୁ ତା’ ବୋଲି ସେ ତାକୁ ଟିକିଏ ଦେଖା ବି ଦେବ ନାହିଁ ? ସୂର୍ଯ୍ୟ ଦେଖାଯାଉଛି, ଚନ୍ଦ୍ର ଦେଖାଯାଉଛି, ଗ୍ରହ ତାରା ସମସ୍ତେ ଦେଖାଯାଉଛନ୍ତି, କିନ୍ତୁ ଲତା କଣ ସତେ ସତେ ଆଉ ଦେଖା ଦେବ ନାହିଁ ?

ତାର ପିଲାଦିନ କଥା ମନେ ପଡ଼େ । ଯେଉଁ ଦିନ ସେ ବାପ ମା ସମସ୍ତଙ୍କୁ ପ୍ରତିମା ଉଝାଇଲା ପରି ଜଣକୁ ଜଣକୁ ନିଆଁରେ ଉଝାଇଁ ଦେଇ ଆସିଲା— ଭିକ ମାଗି ପେଟ ପୋଷିବା ଛଡ଼ା ତା’ ଚାରିପାଖରେ ଆଉ କିଛି ବାଟ ଦିଶିଲା ନାହିଁ ତାକୁ— ସେଦିନ କଥା ଆଖି ଆଗରେ ଖରାବେଳର ଝିଲ୍ଲୀ ସାଙ୍ଗରେ ପୁରୁଣା ଛବି ପରି ଝାପ୍‌ସା ଝାପ୍‌ସା ଦେଖାଯାଏ— ଯେତେବେଳେ ମନେ ପଡ଼େ ସେତେବେଳେ ସେ ଦାଣ୍ତରେ ଦଣ୍ତେ ଠିଆ ହୋଇ ଚାରିଆଡ଼କୁ ଚାହେଁ— ସେଦିନ ସେ ଯେମିତି ଥିଲା ଆଜି ବି ସେମିତି— ଏକା— ଦୁନିଆରେ ସେ ଏକା ।

ଏମିତି କେତେ ଖରାର ନିତିମଡ଼ା ବାଟ ଉପରେ ଥରେ ଭାରି ଜୋରରେ ଶୀତ ପଡ଼ିଲା-। ସୁରଥ ଫେରିଲା ଅନେକ ରାତିରେ । ଗଛ ମୂଳରେ ଯାଇ ଥିର ହୋଇ ବସି ପଡ଼ିଲା— ସେଇ ଫୁଙ୍ଗା ଦେହରେ । ଗୋଟାଏ ଅଦିନ ବଉଦ କଳା ଭୂତ ପରି ହଠାତ୍‌ ମାଡ଼ି ଆସିଲା । ବର୍ଷା ହେଲା, ତୋଫାନ ହେଲା, ପଥର ପଡ଼ିଲା, ଗଛ ପତ୍ର ଭାଙ୍ଗି ପଡ଼ିବ ଯେମିତି ।

ଥରି ଥରି ସୁରଥ ସେଇ ଖଣ୍ତିଆ ଦେଉଳ ପାଖକୁ ଗଲା । ଯାଇଁ ଦେଖିଲା ଦେଉଳରେ ପଡ଼ିଛି ଚାବି । ବାଟ ନ ପାଇ ସେ ଦେଉଳ ବାରନ୍ଦାରେ ଠିଆହେଲା— ପାଣି ଛାଟୁଥାଏ ସେମିତି । ଦେଉଳ ଫାଟ ଭିତରେ ପବନ ପଶି ଗୋଟାଏ ରାକ୍ଷସ ନିଃଶ୍ୱାସ ଛାଡ଼ିଲା ପରି ଶବ୍ଦ ହେଉଥାଏ । ସେ ଦୁଇ ହାତକୁ ଛାତି ଉପରେ ରଖି, ପାପୁଲି ଦୁଇକୁ ବେକତଳେ ଗୁଞ୍ଜି ଦେଇ, କାନ୍ଥକୁ ଆଉଜି ସେମିତି ଠିଆ ହେଉଁ ହେଉଁ ଆଉ ସହି ନ ପାରି ବସି ପଡ଼ିଲା । ସେତିକିବେଳେ ତା’ ଆଖିରେ କେମିତି କେଜାଣି ଟିକିଏ ନିଦ ଆସିଲା ଅତି ଆଶ୍ଚର୍ଯ୍ୟ ଭାବରେ ।

 

ବାଉଳି ଖାଇଲା ପରି ସେ ହଠାତ୍‌ ଚମକି ପଡ଼ି, ଉଠି ଦେଖିଲା କିଏ ସେ ଜଣେ ଆସି ତା’ ଦେହରେ ଖଣ୍ତେ କମଳ ପକାଇ ଦେଇ ଖୁବ୍‌ ଜୋରରେ ପଳାଉଛି ।

 

ଲତା— ଲତା ! ସେ ଚିତ୍କାର କରି ଉଠିଲା । କିନ୍ତୁ ସେଠି ସେତେବେଳକୁ ଆଉ କେହି ନଥିଲେ ।

 

ସେ ସେହି ତୋଫାନରେ ହୁଇ ପରି ଲତାର ଘର ଯାଏ ଦଉଡ଼ି ଗଲା । କିନ୍ତୁ ଏ କ’ଣ ? ତାଙ୍କ ଘରେ କାନ୍ଦ ବୋବାଳି ପଡ଼ିଛି କାହିଁକି ?

 

ଲତା ମରିଗଲା ? ମିଛ କଥା । ସେ ପରା ତା ଦେହରେ କମଳ ଘୋଡ଼ାଇ ତା ଆଗେ ଆଗେ ଆସିଲା ବାହାରି । ସେ ମଲା କେତେବେଳେ ?

 

ତାର ଏ କଥାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲା । ସେ ସମସ୍ତଙ୍କୁ ଦେଖାଇ ଦେଲା— ହେଇଟି, ଦେଖ ମୋ କମଳ— ମୋ ଲତା ମତେ ଦେଇଛି ! ମିଛରେ— ସମସ୍ତେ ଦେଖିଲେ, କମଳ ଫମଳ କିଛି ନାହିଁ, ସେ ଖାଲି ମିଛଟାରେ କମଳ ଘୋଡ଼ି ହୋଇଛି ବୋଲି କହୁଛି । ତା’ ପର ଦିନଠୁ ସୁରଥର ଗୀତ ଆଉ ସେ ଗାଁରେ କେହି ଶୁଣିବାକୁ ପାଇଲେ ନାହିଁ— ଆଉ ତା’ ଖଞ୍ଜଣି ବାଜିଲା ନାହିଁ ।

 

କିନ୍ତୁ ଆଉ ଗୋଟେ ଗାଁଆରେ ଠିକ୍‌ ପରଦିନ ଗୋଟାଏ ଅଦ୍ଭୁତ ଲୋକର ଆବିର୍ଭାବ ହେଲା । ଲୋକଟା କିଣିକିଣିଆ କଣ୍ଠରେ ଖଞ୍ଜଣି ବଜାଇ ଗୀତ ଗାଇ ଖାଲି ଦେହରେ ବୁଲେ— ଦୟା କରି କେହି ତାକୁ ଘୋଡ଼ାଇ ଦେବା ପାଇଁ ଚିରାମିରାକି ଖଣ୍ତେ ଅଧେ ଲୁଗା ଯାଚିଲେ, କହେ–ମୋ ଲତା ଯେଉଁ କମଳ ଦେଇଛି, ତା’ଠୁଁ କଅଣ ତୋ ଲୁଗା ବେଶୀ ଗରମ ?

Image

 

ଗରିବର ଦେବତା’

 

ଅଘି ଲାଗେ— ପ୍ରତି ବର୍ଷ ଏଇ ଅଘିରାକୁ ବାବୁ ଘର ଦାଣ୍ତରେ ଅଘି ଜଳେ । ପାହାଡ଼ ଆକାରରେ ଛଣ ଜମା ହୁଏ । ଗୋଟାଏ ନୁହେଁ— ଦୁଇ ଦୁଇଟା ଅଘି ଲାଗେ— ଏକା ତାଙ୍କରି ।

 

ତାଙ୍କ ଦେଖାଦେଖି ଦାସଙ୍କ ଘର ବି ଅଘି କରନ୍ତି । ମହାଜନ ସେ । ଖୁବ୍‌ ପଇସାବାଲା-। ଗାଁର ଜଣେ ମୁଖିଆ । ହେଲେ କ’ଣ ହେବ, ପଇସା ଖରଚ କରିବାର ଛାତି ତାଙ୍କର ନଥିଲା-। ସକାଳୁ ଯଦି ତାଙ୍କ ନାଁ ଭୁଲ୍‌ରେ କାହାରି ପାଟିରୁ ବାହାରି ପଡ଼େ, ତେବେ ସେ ସଙ୍ଗେ ସଙ୍ଗେ ରାଧାଶ୍ୟାମ ନରେନ୍ଦ୍ର— ରାଧାଶ୍ୟାମ ନରେନ୍ଦ୍ର ଏମିତି ତିନି ଥର କହି, ପ୍ରାୟଶ୍ଚିତ କି ସଂଶୋଧନ କ’ଣ ଗୋଟାଏ କରି ନିଏ । ତାଙ୍କ ଅଘି ବାବୁଘର ଅଘିପରି ସେମିତି ବଡ଼ ହୁଏ ନାହିଁ କି ସେମିତି ସୁନ୍ଦର ହୁଏ ନାହିଁ ।

 

ସୁନ୍ଦର ହୁଏ ଗାଁ ଅଘି— ଯେଉଁ ଅଘି ତୋଟାପାଖ ପଡ଼ିଆରେ ଲାଗେ । ଗାଁର ସମସ୍ତେ ମିଳି ସେ ଅଘି କରନ୍ତି । ସେ ଅଘିରେ ସମସ୍ତଙ୍କର ଛଣ ପଡ଼େ । ଜମିଦାର, ମହାଜନଙ୍କଠାରୁ ଆରମ୍ଭ କରି ଶୁକୁରା ଘରୁ ବି ଛଣ ଆସେ । ବାବୁଘର ଅଘି, ଦାସଙ୍କ ଘର ଅଘି ଜଳି ସାରିଲେ ସେ ଅଘି ଲାଗେ— ସବା ଶେଷରେ । ସମସ୍ତେ କହନ୍ତି, ବାବୁଘର ଅଘି ଯେତେ ବଡ଼ ହେଉ ପଛେ ଗାଁ ଅଘି ଜଳିଲେ ଯେମିତି ସୁନ୍ଦର ଦିଶେ ବାବୁଘର ଅଘି ସେମିତି ଦେଖାଯାଏ ନାହିଁ । ଆଉ ଯେଉଁ ଯେତେ ଅଘି ଲାଗୁ ପଛେ, ଗାଁ ଅଘି ନ ଜାଳିଲେ ଅଗ୍ନି ଦେବତା ସନ୍ତୁଷ୍ଟ ହୁଅନ୍ତି ନାହିଁ ଯେମିତି । ଗାଁ ଅଘି ପୂଜା ସେ ଅଗ୍ନି ଦେବତା ସତ ସତ ପାଆନ୍ତି— ଅଗ୍ନି ଦେବତା ସାକ୍ଷାତ୍‌ ସେଠି ବିଜେ ହୁଅନ୍ତି । ଗାଁ ଅଘିରୁ ଦରପୋଡ଼ା ବାଇଗଣ ଖାଇଲେ ଛୁଆଙ୍କୁ ବରଷଯାକ କେବେ କାଛୁ କୁଣ୍ତିଆ ହୁଏ ନାହିଁ । ବର୍ଷେ ଗାଁର ଲୋକେ ଦୁଇ ଫାଙ୍କ ହୋଇ ଦୁଇ ଜାଗାରେ ଅଘି ଜାଳିଲେ । ସେ ବରଷ ଯେଉଁ ଘରପୋଡ଼ି ହେଲା, ସେମିତି ବିତ୍‌ପାତ ଖୁବ୍‌ ବୁଢ଼ା ବୁଢ଼ା ଲୋକ ବି ତାଙ୍କ ଦିହକରେ କେବେ ଦେଖି ନଥିଲେ ବୋଲି କହିଲେ । ତହିଁଆର ବର୍ଷଠାରୁ ଗାଁ ଭିତରେ ଯେତେ ବାଦ ବିବାଦ ଥାଉ ପଛେ ଅଘି ଜଳାକୁ ଛଣ ଦବାପାଇଁ ମନା କରିବାକୁ କାହାରି ବହପ ଯାଏ ନାହିଁ । ଛଣ ସମସ୍ତଙ୍କ ଘରୁ ଆସେ । କାହାରିକି ଯାଇ ଗୋଟେଇ ସାଉଁଟି ଆଣିବାକୁ ପଡ଼େ ନାହିଁ । ଯେଝାର ହିଂସା ଭାଗ ସେ ଆଣି ଜମା କରନ୍ତି । ଖାଲି ଯାହା ଜଣେ ଦିଜଣ ବୁଢ଼ା ମୁରବି ଲୋକ ଟିକିଏ ଅଧେ ଦେଖା ଶୁଣା କରନ୍ତି— କାହା ଘରୁ ଆସିଲା କାହା ଘରୁ ନ ଆସିଲା, ବୁଝି ନିଅନ୍ତି— ଯିଏ ନ ଦିଏ ବା ନ ଦେଇପାରେ ତା’ ସମ୍ବନ୍ଧରେ ପଦେ ଅଧେ ଟୀକା ଟିପ୍‌ପଣୀ କାଟନ୍ତି— କେତେ ଘରୁ ଆସିଲା, ମୋଟରେ କେତେ ବିଡ଼ା ହେଲା, ସେଇଟା ସୁମାରି କରି ନିଅନ୍ତି । ଟୋକାଟାକରାଙ୍କ ହାତରେ ଅଘି ତିଆରି କରାନ୍ତି । ଗଲା ବର୍ଷ କେତେ ବିଡ଼ା ଛଣ ହୋଇଥିଲା, କେତେ ବଡ଼ ଅଘି ଠିଆ ହୋଇଥିଲା–ତହିଁ ଆଗ ବର୍ଷ କେତେ ବିଡ଼ା ହୋଇଥିଲା, କେଉଁ ବର୍ଷ ସବୁଠାରୁ ବେଶୀ ହୋଇଥିଲା, ତା’ର ଗୋଟେ ସଂକ୍ଷିପ୍ତ ବିବରଣୀ ଦିଅନ୍ତି— ତାଙ୍କ ନିଜ ପୁରୁଖାପଣିଆର ବାହାଦୁରୀ ନେବାଲାଗି-

 

ଅଘି ଲାଗେ— ପ୍ରତି ବର୍ଷ ଏହିପରି ଲାଗେ— ପ୍ରତି ବର୍ଷ ଶୁକୁରା ଛଣ ଦିଏ । କିନ୍ତୁ ଏବର୍ଷ ତା’ର ହେଲା କ’ଣ ?

 

ଶୁକୁରା ବେମାର । ମାସେ ହେବ ପଡ଼ିଛି— କତରାଲଗା ହୋଇଗଲାଣି । ଭାରିଯାଟି ନଥିଲେ କଉଁ ଦିନରୁ ସେ ମରି ସାରନ୍ତାଣି । ଏ ବର୍ଷ ତା’ର ଯେମିତି ଶନିଦଶା ! ବିପଦ ଉପରେ ବିପଦ ତା’ର ଲାଗି ରହିଛି ଗଲା କେଇ ମାସ ହେବ ।

 

ବାବୁଘର କହନ୍ତି, ରାଧାରମଣ ଜୀଉ କଞ୍ଚାଖିଆ ଠାକୁର । ତାଙ୍କ କାମକୁ ଟାଳି ଦେଲା–ମୁନିବ କଥାରୁ ବାହାରି ଗଲା, ସେଥିପାଇଁ ଭୋଗୁଛି ।

 

ଶୁକୁରା କହେ— କର୍ମ, କର୍ମ, ପୂର୍ବ ଜନ୍ମ ପାପର ଫଳ ।

 

ଚେମି, ଶୁକୁରାର ଭାରିଯା କିନ୍ତୁ କହେ— ମୋ ଗିରସ୍ତ ଅମଣିଷ ହେବାରୁ ଏ ଅବସ୍ଥା । କାହା କଥା ଠିକ୍‌, କିଏ କହିବ ? ଠାକୁରଙ୍କ କାମ ବେଠିରେ କରିବାକୁ ବାବୁଘର ଡାକିଲେ । ଶୁକୁରାର ସେଦିନ ଖାଇବାକୁ ଘରେ କିଛି ନ ଥିଲା । ଦାସଙ୍କ ଘର ମୂଲ ଲାଗିବାପାଇଁ ଯାଇ ପାରିଲା ନାହିଁ । ବାବୁଘର ତାକୁ ଆଉ ଜମି ଭାଗ ଦେଲେ ନାହିଁ ସେ ବର୍ଷ ସେଇ ରାଗରେ ।

 

ଶୁକୁରା ମୂଲ ଲାଗି ଚଳେ— ମୂଲ ନ ମିଳିଲେ ଓପାସ ରହେ । ଏବର୍ଷ ତା’ର ଘର ଖଣ୍ତିକ ବି ଛିଆ ହୋଇ ପାରି ନାହିଁ । ଉପାସରେ, ଭୋକରେ, ଦୁଶ୍ଚିନ୍ତାରେ ତା’ ଦିହ ଭାଙ୍ଗିଗଲା । ଜର ହେଲା— ଆଜିକି ମାସେ ହେବ ସେ ବିଛଣାରେ ପଡ଼ିଛି ।

 

ଏ ଠାକୁରଙ୍କ ଅଭିଶାପ ନା ଶୁକୁରା କର୍ମର ଫଳ— ନା ତା’ର ଅମନୁଷ୍ୟତା ଦୋଷ, ତା’ କିଏ କହିବ ?

 

ଅଘି ଲାଗିବାର କଥା । ପ୍ରତି ବର୍ଷ ଅଘି ଲାଗେ, ଏବର୍ଷ ବି ଲାଗିଲା । ଚେମି ଆସି କହିଲା— ବାବୁ ଘର ଅଘି ଜଳୁଛି ।

 

ଗଛପତ୍ର ମଥାନ ସବୁ ଜଳି ଉଠିଲା ଆଲୁଅରେ । ଗାଁଟାଯାକ ଯେମିତି ହସି ଉଠିଲା ଦଣ୍ତକ ପାଇଁ । ଘଣ୍ଟା ଘଡ଼ି ଶଙ୍ଖ ଶବଦରେ ଉଛୁଳି ପଡ଼ିଲା ଗାଁ ଦାଣ୍ତ । ଶୁକୁରା ଖାଲି ଶୁଖିଲା ନିଃଶ୍ୱାସଟିଏ ଛାଡ଼ି ପଡ଼ି ରହିଲା ତା’ ବିଛଣାରେ ।

 

ଦାସଙ୍କ ଘର ବି ଅଘି ଲାଗିଲା— ପ୍ରତି ବର୍ଷ ଯେମିତି ଲାଗେ ସେମିତି । ଚେମି ଆସି କହିଲା । ଶୁକୁରା କଡ଼ ଲେଉଟାଇ ଡାକିଲା— ‘‘ଠାକୁରେ !’’

 

ଚେମି ଆସି କହିଲା— ଶୁଣିଲଣି, ବାବୁଘର ଅଘି କେମନ୍ତେ ଉତ୍ତରକୁ ଢଳିଲା ?

 

‘କିଏ କହୁଛି?’ ଶୁକୁରା ପଚାରିଲା ।

 

‘କୁହାକୋହି ହୋଇ ଯାଉଛନ୍ତି ଲୋକେ ।’

 

‘ଶୁକୁରା ଆଉ କିଛି କହିଲା ନାହିଁ । ତା’ ଛାତିଟା ଥରି ଉଠିଲା ।

 

କିଛିକ୍ଷଣ ପରେ ସେ ଡାକିଲା— ଚେମି !

 

ଚେମି ପାଖକୁ ଆସିଲା ।

 

ଶୁକୁରା ପଚାରିଲା— ଛଣ ମିଳିଲା ନାହିଁ ?

 

ଚେମି ମନାକଲା— ନା ।

 

‘ଧାର୍‌ ?’

 

ନା ।

 

ଶୁକୁରା ମୁହଁ ବୁଲେଇ ଶୋଇଲା ।

 

ଚେମି ବାହାରକୁ ଯାଇ ପୁଣି ଆସି ଖବର ଦେଲା—ଗାଁ ଟୋକାଏ ସବୁ ଅଘି ତୋଟା ଆଡ଼କୁ ହୁଇ ପରି ଛୁଟିଛନ୍ତି ।

 

ଶୁକୁରା ପୁଣି ପଚାରିଲା— ଚେମି, ଛଣ ବିଡ଼ାଏ ବି କେହି ଦେଲେ ନାହିଁ ?

 

ଚେମି ମୁହଁ ଶୁଖାଇ କହିଲା— ନା ।

 

‘ଠାକୁରେ— ଠାକୁରେ’— କହି ଶୁକୁରା ମୁହଁ ପୋତି ଶୋଇଲା ।

 

‘ବାବୁଘର ଛଣ ଗଲା, ବିଶ୍ୱାଳ ଘର ଛଣ ଗଲା— ଦାସଙ୍କ ଘର ଆଗରୁ ପଠେଇ ଦେଇଛନ୍ତି— ସୁଇଁଘର ଛଣ ହେଇଟି ନେଇ ଯାଉଛନ୍ତି— ପଧାନଘର ଛଣ ସେ ବାଟେ ଯାଉଥିବ-।’ ଚେମି ଥରକୁ ଥର ଆସି କହିଯାଉଥାଏ ।

 

‘ହେଇଟି ନାହାକ ଘର ନେଇଯାଉଛନ୍ତି— ଛଣ ଦଶଗଣ୍ତା ହେବ ।’ ଚେମି ଭାରି ଅଥୟ ହୋଇ ଆସି ଶୁକୁରା ଆଗରେ କହିଲା ।

 

‘ଚେମି, ଚେମି— ବିଡ଼ାଏ ଛଣ କେହି ଦେଲା ନାହିଁ ? ଗୋଟାଏ ପଇସା ବି ତୋ ପାଖରେ ନାହିଁ— ଘରେ ବେଲା କଂସା ବି ଖଣ୍ତେ ନାହିଁ ? ସମସ୍ତେ ଦେଲେ, ସୁଇଁଘର, ନାହାକଘର ବି ଦେଲେ, ଏକା ମୋରି ଭାଗ୍ୟ ଏଡ଼େ ଖରାପ ଯେ ବରଷକରେ ଥରେ ଅଗ୍ନି ଦେବତା ପୂଜା ହେବେ— ସେଥିପାଇଁ ବିଡ଼ାଏ ବି ଛଣ ଦେଇ ପାରିଲି ନାହିଁ । ଓଃ— ମରିଯାଏଁ ମୁଁ-।’

 

ଚେମି ଆଖିରୁ ଝର ଝର କରି ଲୁହ ଝରି ପଡ଼ିଲା, ଶୁକୁରାର ଏକଥା ଶୁଣି । ଶୁକୁରା ବେମାର ପଡ଼ିବାର ଶନିବାରକୁ ଶନିବାର ଆଠ, ଶନିବାର ୧୫, ଶନିବାର ୨୧, ଶନିବାର ୨୯, ରବିବାର, ସୋମବାର, ମଙ୍ଗଳ, ବୁଧ, ଗୁରୁ ଆଜିକି ମାସେ ଚାରିଦିନ ହେଲା । ଘରେ ଯାହା ବେଲା କଂସା ଖଣ୍ତେ ଥିଲା, ତା’ ବି ସେ ଢେରଦିନରୁ ବନ୍ଧା ପକାଇ ଶୁକୁରା ମୁହଁରେ ଦାନା ଦଉଛି । ଗଲା ରବିବାର ଦିନ ଶୁକୁରା ଖାଇବା ବିନା ମରି ଯାଇଥାନ୍ତା । କଉଁ ପିଲାକାଳରୁ ଚେମି ଅଣ୍ଟା ଗାଞ୍ଜିଆ ଭିତରେ ଗୋଟାଏ ହନୁମାନ ମୁଣ୍ତିଆ ପଇସା ଥିଲା । ସେ ପଇସାଟି ତା’ ମା’ ତାକୁ ଦେଇଥିଲା ଦିହ ପା, ଦୃଷ୍ଟି, ଅଜୀର୍ଣ୍ଣକୁ କାମରେ ଆସିବ ବୋଲି । ସେ ତାକୁ ସେତେ ଦିନଯାଏ ସେମିତି ଗାଞ୍ଜିଆରେ ଭରି ରଖିଥିଲା । ଯେତେ ଅଭାବ ପଡ଼ୁ ପଛେ, ସେ ପଇସାକୁ କାଢ଼େ ନାହିଁ । ଦୁଃଖ ହେଲେ, କଷ୍ଟ ହେଲେ, ସେ ପଇସାକୁ କାଢ଼େ, ମୁଣ୍ତରେ ମାରି ପୁଣି ରଖିଦିଏ । ମା’ର ରୂପ ଆଖି ଆଗରେ ନାଚିଯାଏ । ମନେ କରେ, ମା ଦେଇଛି ଲକ୍ଷ୍ମୀ ପଇସା, ଏ ଥିଲେ କେତେ ପଇସା ଆସିବ । କିନ୍ତୁ ସେ ‘କେତେ ପଇସା’ ଆଉ ଆସିଲା ନାହିଁ । ସେ ପଇସାଟି ବି ମୁଦି ହାତକୁ ଗଲା । ସେ ଦିନ ଶାଗୁ ଅଧଲାକର, ଚିନି ଅଧଲାକର ଆଣି ଶୁକୁରା ମୁହଁରେ ଦାନା ଦେଲା । ଦୁଇ ଦିନ ସେ ସେଇଥିରେ ଚଳେଇ ନେଲା । ଆଜିକି ଦୁଇ ଦିନ ହେବ ପାଣି ଛଡ଼ା ଶୁକୁରା ପେଟକୁ ଆଉ କିଛି ଯାଇ ନାହିଁ ।

 

‘ହେଇଟି ଗାଁ ଅଘି ଲାଗିଲା ।’ ଚେମି ଚମକି ପଡ଼ିଲା ପରି ଚିତ୍କାର କରି ଉଠିଲା ଯେମିତି-। ଶୁକୁରା ବି ଚମକି ପଡ଼ିଲା । ଯେମିତି ପ୍ରଳୟ ହୋଇଯିବ । ଶୁକୁରା ଏଥର ଅଘିରେ ଛଣ ଦେଇନାହିଁ ବୋଲି, ଅଗ୍ନିଦେବତା ଯେମିତି ଏଥର ଖାଣ୍ତବଦହନର ରୂପ ଧରିବେ । ଗାଁଟା ଯାକ ଯେମିତି ଭସ୍ମ ହୋଇଯିବ— ଜଳି ପୋଡ଼ି ଛାରଖାର ହୋଇଯିବ ।

 

‘ଠାକୁରେ, ଠାକୁରେ— ରକ୍ଷାକର, ଦୁହାଇ ଅଗ୍ନି ଦେବତା, କ୍ଷମାକର ।’ ସ୍ତ୍ରୀ ସ୍ୱାମୀ ଉଭୟେ ଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲେ ।

 

ସେ ଦେବତା’ ଦୁହିଁଙ୍କର ଡାକ ଶୁଣିଲା— ଗରିବର ଡାକ ଶୁଣିଲା— ଖୁବ୍‌ ଉତ୍ସୁକ ହେଇ ଶୁଣିଲା— ଦେବତା ଶକ୍ତି ମଧ୍ୟ ଦେଖାଇ ଦେଲା ।

 

‘ଚେମି, ଚେମି, ଏ ଘର ଆଉ ରହିବ ନାହିଁ— ଆଉ ରହିବ ନାହିଁ— ଅଗ୍ନି ଦେବତା କ’ଣ ଆଉ ରଖିବ କିଛି ?’

 

ଚେମି ଭୋ ଭୋ ହୋଇ କାନ୍ଦିଲା— ଶୁକୁରା କଥା ଶୁଣି ।

 

ପାଳଧୁଆ କାଠରେ ନିଆଁ ଲଗାଇ ଟୋକାଏ ହାବେଳି ଛାଟୁଥିଲେ ଉପରକୁ । ଗୋଟାଏ କାଠ ଆସି ପଡ଼ିଲା ଶୁକୁରା ଘର ଉପରେ । କିଏ ଦେଖୁଛି ତାକୁ ?

 

ତେଣେ ହୁ ହୁ ହୋଇ ଅଘି ଜଳିଲା । ଘଣ୍ଟା ଘଡ଼ି, ଖୋଳ କରତାଳ, ଶଙ୍ଖ ହୁଳହୁଳିରେ ଗାଁ ଫାଟି ପଡ଼ିଲା । ଚେମିର ଚିତ୍କାର ତା’ ଭିତରେ ପଶିବ କିପରି ?

 

ଏ ବର୍ଷ ଚାରିଜାଗା ଅଘି ହେଲା । ତହୁଁ ଆରଦିନ ସକାଳୁ ଝିଏ ଗଲେ ଅଘି ଶୀତଳେଇବାକୁ । ତିନି ଜାଗା ଅଘି ଶୀତଳେଇଲେ । ଅଶୀତଳ ପଡ଼ି ରହିଲା କେବଳ ଗୋଟିଏ ଅଘି ।

 

ସେ ନିଆଁ ଆଜି ବି ଜଳୁଛି । ସେ ଅଘି ଆଜି ବି ଜଳୁଛି— ଲକ୍ଷ ଲକ୍ଷ ବୁଭୁକ୍ଷୁ ଜନତା ହୃଦୟରେ ।

 

ସେ ଅଘି କ’ଣ ସହଜରେ ଲିଭିବ ? ସେଠି ଯେ ଗରିବର ଦେବତା ପୂଜା ପାଉଛି— ଅହୋରାତ୍ର ।

 

ଦୂର ଓ ନିକଟ

 

ପ୍ରଣାମ । ବସ ସେଠି । ଭଲ ଅଛ ତ ? ଅନେକ ଦିନ ପରେ, ନୁହେଁ ?

 

ଭାରି ଭାଗି ଯାଇଛ । ହଁ, ଜଣା ଯାଉଛି । ଏବେ ଆଉ କିଛି କସୁର ନାହିଁ ତ ? କେତେ ଦିନ ଭୋଗିଲ ?

 

ଚାରି ମାସ ? ଗୋଟାଏ ଯୁଗ !

 

ଯୁଗ କାହିଁକି ? ଚାରିମାସଟା ତମକୁ ଭାରି ଅଳପ ଲାଗିଛି ପରା ! ଏଇ ଚାରି ମାସ ଭିତରେ ପୃଥିବୀର କେତେ କ’ଣ ବଦଳି ଯାଉଛି । ପୁରୁଣା ଜାଗାରେ ନୂଆ ହେଉଛି— ନୂଆ ପୁଣି ପୁରୁଣା ହେଉଛି । ମାସ ନୁହେଁ—ଗୋଟାଏ ଗୋଟାଏ ଦିନରେ କେତେ କ’ଣ ପରିବର୍ତ୍ତନ ମଣିଷ ଦେଖେ ।

 

ତମର ବି ହେଇଛି । ମୋର ଏକା କାହିଁକି ? ଦୁନିଆରେ ସମସ୍ତଙ୍କର ପରିବର୍ତ୍ତନ ଘଟେ-। ଏବେ କ’ଣ ଆଜିଯାଏ କଂଗ୍ରେସରେ କାମ କରୁଛ ?

 

କି କାମ ?

 

ସୂତା କଟା ? କାଗଜ ତିଆରି ? ଆଉ ? ଛାଡ଼ ସେ ସବୁ । ଏଥିପାଇଁ ତମେ କହୁଛ ତମର କିଛି ପରିବର୍ତ୍ତନ ହୋଇ ନାହିଁ । ପରିବର୍ତ୍ତନ ହୋଇଛି ମୋର । ମୁଁ ଚାଲି ଯାଇଛି କଂଗ୍ରେସଠାରୁ ବହୁତ ଦୂରକୁ, ଆଉ ତମେ କଂଗ୍ରେସ ନୀତି ଆହୁରି ନିକଟକୁ ଚାଲି ଆସିଛି । ନୁହେଁ-?

 

ତେବେ ଯେଉଁମାନେ କଂଗ୍ରେସର ଅର୍ଥନୀତିଠାରୁ ଦୂରେଇ ଯାଇ ରାଜନୀତିଟାକୁ ବଡ଼ କରି ଧରିଛନ୍ତି, ସେମାନେ କଂଗ୍ରେସ ନୀତିର ପାଖକୁ ଆସିଛନ୍ତି ନା ଦୂରକୁ ଯାଇଛନ୍ତି ? ଏଇଠି ତମର ମୋର ମତଭେଦ । ଯେଉଁମାନେ ଆଇନ ସଭାରେ ସଭ୍ୟ ହେଲେ ଯେଉଁମାନେ ଏ ଦେଶର ପରିଚାଳକ, ଭାଗ୍ୟନିୟନ୍ତା, ମନ୍ତ୍ରୀ ହେଲେ, ସେମାନେ କଂଗ୍ରେସ ନୀତିର ନିକଟରେ ଅଛନ୍ତି, ନା ଯେଉଁମାନେ ସୂତା କାଟି, ଲୁଗା ବୁଣି, ଖଜୁରି ଗୁଡ଼ ବନାଇ ଦେଶର ଆର୍ଥିକ ଉନ୍ନତି କରୁଛନ୍ତି ବୋଲି ସ୍ପର୍ଦ୍ଧା ଅନୁଭବ କରୁଛନ୍ତି, ସେମାନେ ?

 

ଭୁଲ୍‍ । ଦୁହେଁଯାକ କେବେ କଂଗ୍ରେସ ନୀତିଠାରୁ ସମାନ ଦୂରରେ ରହି ନ ପାରନ୍ତି । ଏକ ଦିଗରେ ଦୁଇଟି ବିଭିନ୍ନ ସ୍ଥାନରେ ରହିଲ, ଜଣେ ନିକଟତର ହେବା ସ୍ୱାଭାବିକ ।

 

ବନ୍ଧୁ, ସମୟ ସବୁ କରିଦିଏ । ସମୟ କାହାକୁ ପଛକୁ ପକାଏ ନାହିଁ । ସମୟ ଦୂରକୁ ନିକଟ କରେ, ପୁଣି ନିକଟକୁ ଦୂରେଇ ଚାଲିଯାଏ । ଏଇଟାକୁ ସମସ୍ତେ କହନ୍ତି ପରିବର୍ତ୍ତନ । ଏଟା ଚାରି ବର୍ଷରେ ହୁଏ, ଚାରି ମାସରେ, ଚାରି ଦିନରେ, ଏମିତିକି ଚାରି ଘଣ୍ଟାରେ, ଚାରି ମୁହୂର୍ତ୍ତରେ ମଧ୍ୟ ସମ୍ଭବ । ମୁଁ କଂଗ୍ରେସଠାରୁ ଦୂରକୁ ଚାଲି ଯାଇଛି, ଆଉ ତମେ ରହିଛ ନିକଟରେ । ତା’ ନୁହେଁ, କଂଗ୍ରେସ ତମକୁ ନିକଟର କରିବାକୁ ଯାଇ ମତେ ଦୂର କରି ଦେଇଛି । ସେଥିରେ ତମେ ଗୌରବ ମନେ କରୁଛ । ମୁଁ ଲଜ୍ଜା ବୋଧ କରୁନାହିଁ । ତଫାତ୍‌ଏଇଠି । ମୁଁ କଂଗ୍ରେସଠାରୁ ଦୂର ହୋଇ ଯାଇ ପାରେ, କଂଗ୍ରେସ ବର୍ତ୍ତମାନ କୌଣସି ନୀତିଠାରୁ ଦୂରେଇ ଯାଇ ପାରେ, କିନ୍ତୁ ଆଉ ଗୋଟାଏ ସେହିପରି କି ତା’’ଠାରୁ ବଡ଼ ଜିନିଷର ନିକଟତର ଯେ ହୋଇନାହିଁ ମୁଁ ୟା ବିଶ୍ୱାସ କରି ପାରିବି ନାହିଁ । କଂଗ୍ରେସର ଆଦର୍ଶ ଯେ ସବୁଠାରୁ ବଡ଼, ମୁଁ ୟା ମାନିବାକୁ ପ୍ରସ୍ତୁତ ନୁହେଁ ଏବଂ କଂଗ୍ରେସଠାରୁ ଦୂରକୁ ଯିବାଦ୍ୱାରା ମୁଁ ଯେ ଆଉ ଗୋଟାଏ କିଛି ବଡ଼ ଆଦର୍ଶର ଅପେକ୍ଷାକୃତ ନିକଟତର ନ ହୋଇଛି ଏହା କିଏ କହିବ ? ମୁଁ ଭୁଲ୍‍ ବୁଝି ନାହିଁ । ତମେ ବିପରୀତ ଦେଖୁଛ । ଜୀବନର ପ୍ରତ୍ୟେକ ଘଟଣାକୁ ତମେ ଟିକିଏ ଆଲୋଚନା କରି ଦେଖ, ପ୍ରତି ମୁହୂର୍ତ୍ତରେ ତମେ କିପରି ଗୋଟିକଠାରୁ ଦୂରେଇ ଯିବା ସଙ୍ଗେ ସଙ୍ଗେ ଆଉ ଗୋଟାକର ନିକଟତର ହୋଇ ଆସ ।

 

ଦୃଷ୍ଟାନ୍ତ ? ଦୃଷ୍ଟାନ୍ତ ତମେ ନିଜେ । ଦୃଷ୍ଟାନ୍ତ—ମୁଁ, ଆଉ ଯେ ଏଇ ବାଟେ ଯିବ ସେ—ପୃଥିବୀରେ ଜନ୍ମ ହୋଇ କେହି ବାଦ ଯିବ ନାହିଁ, ଯେ କି ୟାର ଦୃଷ୍ଟାନ୍ତ ହେବାର ଉପଯୁକ୍ତ ନୁହେଁ ।

 

ମୋ ଜୀବନ କାହାଣୀ ତମକୁ ହୁଏତ ନୀରସ ଲାଗିପାରେ । ନିଜର ଜୀବନୀରୁ ତମେ ତା’ର ଦୃଷ୍ଟାନ୍ତ ଯଥେଷ୍ଟ ପାଇପାର ।

 

କହିବାର ଆପତ୍ତି ନାହିଁ । କିନ୍ତୁ କିଛି ଲାଭ ନାହିଁ । କାରଣ ଏଟା ଏଡ଼େ ସାଧାରଣ ଆଉ ଏଡ଼େ ସ୍ୱାଭାବିକ ସ୍ୱତଃସିଦ୍ଧ ଆଉ ସତ୍ୟ ଯେ, କହିଲେ ଆଦୌ ନୂଆ ପରି ଲାଗିବ ନାହିଁ । ଭାରି ପୁରୁଣା—ଯେମିତି କେଉଁ ଯୁଗର ।

 

ନିଶ୍ଚୟ ! କଂଗ୍ରେସର ଆଦର୍ଶରେ ମୁଁ ଯେତେବେଳେ କଂଗ୍ରେସ ନିକଟତର ହେଲି ସେତେବେଳେ ଯାହା ମୁଁ ଦୂରରେ ଫିଙ୍ଗି ଦେଇ ଆସିଛି—

 

ହଁ, ଅମୂଲ୍ୟ । କିନ୍ତୁ ସେଥିରେ ମୋର ବାହାଦୂରୀ କିଛି ନାହିଁ । ସମସ୍ତ ତା’ ପାରିବେ । ତମେ ବି ପାରିବ । ପାରିବ କ’ଣ ତମେ ବାଧ୍ୟ ହେବ । ଯେଡ଼େ ଅମୂଲ୍ୟ ହେଉ ପଛେ ସେ—ତାକୁ ଫିଙ୍ଗି ନ ଦେଇ ତମର ଚାରା ନାହିଁ । ସେଥିରେ ତମର କିନ୍ତୁ ଗର୍ବ କରିବାର କିଛି ନାହିଁ; ସେ ତ ଆପେ ଆପେ ହେବ ।

 

ହଁ, ଆପେ ଆପେ ହେଲା । ମୋର ଦୁଃଖ ହେଇ ନାହିଁ—କଷ୍ଟ ହେଇନାହିଁ । ତା’ ହୋଇଥିଲେ ମୁଁ କ’ଣ ତମ ସାଙ୍ଗରେ ଜେଲ୍‌ ଯାଇ ପାରିଥାନ୍ତି ।

 

ମୋ ଜୀବନ କାହାଣୀ ବଡ଼ ସଂକ୍ଷିପ୍ତ । ବୈଚିତ୍ର ନାହିଁ । ସମସ୍ତଙ୍କ ଜୀବନ ପରି ।

 

ତା’ ସତ । କିନ୍ତୁ ଯାର ବାପ ମା’ର ଧାରଣା ଆଦୌ ହୋଇନାହିଁ, ସେ ବାପ ମାର ଅଭାବ ବୁଝିବ କେମିତି ?

 

ହଁ, ଖୁବ୍‌ ପିଲାଦିନୁ । ମୋର ମନେ ନାହିଁ ମୋର ବାପ ମା’ଙ୍କୁ । କେବଳ ବାପ ମା ନଥିଲେ ମୁଁ ମଧ୍ୟ ନ ଥାନ୍ତି, ଏହି ସତ୍ୟଟା ଯୋଗୁ ବିଶ୍ୱାସ କରୁଛି ଯେ କେହି ଜଣେ ମୋର ବାପା ଥିଲା । ଆଉ କେହି ଜଣେ ମୋର ମା’ ବି ଥିଲା । ଯାର ବାପ ମା ଅଛନ୍ତି ତା’ ଜୀବନ ଆଉ ମୋ ଜୀବନ ଭିତରେ ଗୋଟାଏ ବ୍ୟବଧାନ ରହି ଯାଇଛି, ଏକଥା ମୁଁ ବିଶ୍ୱାସ କରି ପାରୁ ନାହିଁ ।

 

ହଁ, ତମେ ତେବେ ସବୁ ଜାଣ ମୋ କଥା । ମାଉସୀ ଯୋଗୁ ମୁଁ ମଣିଷ । ସେଇ ଥିଲା ମୋର ବାପା ମା ସବୁ ।

 

ସେ ବିଧବା ଥିଲେ ।

 

ତାଙ୍କର ଘର ଦୁଆର ତାଙ୍କ ଦିଅର, ଜା’ ଏମାନେ ବୁଝୁଥିଲେ । ଆଉ ସେ ବୁଝୁଥିଲେ, ମୋ ଘର ଆଉ ମତେ ।

 

ମୁଁ ସେ ବର୍ଷ ବି. ଏ. ପାସ୍‌କଲା ପରେ ମାଉସୀ ମୋତେ ବାହା କରେଇ ଦେଲେ । ମୋର ମନେ ଅଛି, କି ଆନନ୍ଦ ତାଙ୍କର ସେ ଦିନ । ସେ ଆନନ୍ଦକୁ ତମେ କ’ଣ ମିଛ କହିବ ସୁରେନ୍ଦ୍ର-? ସେ ସ୍ନେହକୁ ତମେ ଛଳନା କରିବ କେମିତି ? ସେ ସବୁ ସତ—ନିରାଟ ସତ । ଖାଲି ଯେ ସେଇ ଦିନ ସେ ଥିଲା ଆଉ ଆଜି ମିଛ ହୋଇ ଯାଇଛି, ତା’ ନୁହେଁ । ଆଜି ବି ସେ ସେଇମିତି ସତ ସତ ଅଛି । ଖାଲି ମୁଁ ଆସିଛି ତା’ଠୁଁ ଦୂରକୁ ଚାଲି । କ୍ରମେ କ୍ରମେ ଦୂରେଇ ଚାଲିବାରେ ଲାଗିଚି-

 

ହଁ, ଆପଣାର ପର ହୋଇଯାଏ—ନିକଟର ଯିଏ ସେ ଦୂର ହେଇଯାଏ । ତା’ ବୋଲି ଆପଣାର ଯାହା ଥିଲା, ନିକଟରେ ଯାହା ଥିଲା, ତାକୁ ତମେ ମିଛ କହିବ କେମିତି ?

 

ନା—ସେ ମିଛ ନୁହେଁ, ସତ । ମାଉସୀଙ୍କର କମଳା ସହିତ ଗୋଟାଏ କିମିତି ଖାପଛଡ଼ା ଭାବ ମୁଁ ବେଶ୍‌ ଲକ୍ଷ୍ୟ କଲି । ଏ ବି ମିଛ ନୁହେଁ, ସତ ।

 

କହିଛି ତ, ମାଉସୀ ଥିଲେ ମୋର ମା’ ବାପା ସବୁ । ଏତେ ଶ୍ରଦ୍ଧା, ଏତେ ଯେ ମଣିଷଠାରୁ ମଣିଷ ଯାଏ ଏ କଥା କେବଳ ମଣିଷଇ ବୁଝେ ଏକା । ନିଜର ସୁଖ ଦୁଃଖ ସବୁ ଭୁଲି ମାଉସୀ ମୋ’ରି ପାଇଁ ଦିନ ରାତି ବ୍ୟସ୍ତ ରହୁଥିଲେ । ମୁଁ କଲେଜରେ ପାଠ ପଢ଼ିବାକୁ ଆସିଲି, ସେ କଟକରେ ଘରଭଡ଼ା ନେଇ ରହିଲେ । ହଷ୍ଟେଲରେ ନ ରହି ମୁଁ ରହିଲି ତାଙ୍କରି ପାଖରେ । ସେ ମୋତେ ଦଣ୍ତେ ହେଲେ ଛାଡ଼ନ୍ତି ନାହିଁ ପାଖରୁ । ମୁଁ ନ ଖାଇଲେ ସେ ଖାଆନ୍ତି ନାହିଁ । ମୋ ଦେହ ଖରାପ ହେଲେ ତାଙ୍କର ଓପାସ ।

 

ଶୁଣ, ସୁରେନ୍ଦ୍ର ! ମୁଁ ନ କହି ସାରିବା ଆଗରୁ ତମେ କିଛି ଟିପ୍‌ପଣୀ କାଟ ନାହିଁ । ମୁଁ କହିସାରେଁ, ତମର ଯାହା କହିବାର କହିବ । ହୁଏତ ତମେ ମନେ କରିବ ଯେ ମୋ କଥାଟା କହିବା ପାଇଁ ମୁଁ ବଡ଼ ବ୍ୟାକୁଳ । ତା’ ନୁହେଁ । ତମେ ଯଦି କହିବ ତ ଏକାବେଳକେ ବନ୍ଦ କରି ଦେବି । କିନ୍ତୁ କଥା ମଝିରେ ରସଭଙ୍ଗ କରନାହିଁ ।

 

ବେଶ୍‌, ଶୁଣ । ମାଉସୀ କମଳାର ପ୍ରଶଂସା କରନ୍ତି, କିନ୍ତୁ କାହିଁକି କେଜାଣି କମଳାର ମୋ ପ୍ରତି ଯେତେ ଯତ୍ନ, ଯେତେ ସେବା ସେସବୁ ତାଙ୍କର ପସନ୍ଦକୁ ଆସେ ନାହିଁ । କମଳା ମୋପାଇଁ ଭାତ ବାଢ଼ିଲେ ସେଥିରେ ଶହେ ଦୋଷ ବାହାରିବ । କମଳା ମୋ ପାଇଁ ଯାହା କରିବ ତା’ ତାଙ୍କ ମନକୁ ପାଏ ନାହିଁ ।

 

କମଳା ସବୁଦିନେ, ସବୁବେଳେ ଚାହୁଁଥିଲା ମୋର ସାନ୍ନିଧ୍ୟ । କିନ୍ତୁ ମାଉସୀଙ୍କ ଉପସ୍ଥିତିରେ ସେଟା ହେବା ଅସମ୍ଭବ ।

 

ନା—ମାଉସୀ ଖୁବ୍‌ ମରହଟ୍ଟୀ ନଥିଲେ କି କମଳା ଅଶିକ୍ଷିତା ନ ଥିଲା । ତଥାପି ମୁରବିଙ୍କ ଆଗରେ ସ୍ୱାମୀ ସ୍ତ୍ରୀ ଅବାଧରେ ନିଃସଙ୍କୋଚରେ କଥାବାର୍ତ୍ତା କରିବାଟା ଲଜ୍ଜାର କଥା ନହେଲେ ମଧ୍ୟ, ଗୁରୁଜନଙ୍କ ପ୍ରତି ବେଖାତିର ସେଥିରେ ପ୍ରକାଶ ପାଏବୋଲି, ଏକା ମୋର ନୁହେଁ, ଆମ ସମସ୍ତଙ୍କର ଧାରଣା ଥିଲା ।

 

ହଁ, କମଳାର ମଧ୍ୟ । କିନ୍ତୁ କମଳା ବୋଧହୁଏ ସେଇଥିପାଇଁ ମାଉସୀଙ୍କ ଉପରେ ସେତେ ବେଶୀ ସନ୍ତୁଷ୍ଟ ନ ଥିଲା ।

ମୋ ଉପରେ ? କମଳା ମୋତେ ଅତିରିକ୍ତ ପ୍ରେମ କରୁଥିଲା । କମଳାକୁ ମୁଁ ଯେତେବେଳେ ଛାତିରେ ଭିଡ଼ି ରଖେଁ, ସେତେବେଳେ ମୋର ମନେହୁଏ, ଏ ବନ୍ଧନ ଅଚ୍ଛେଦ୍ୟ—ଅକାଟ୍ୟ ।

 

ତା’ପରେ ଏଇମିତି ଅନେକ ଦିନ ଚାଲିଗଲା । ମୁଁ ଭିତରେ ଭିତରେ ଗୋଟାଏ ମୋର ପରିବର୍ତ୍ତନ ଅନୁଭବ କଲି । ସେଟା ଏଡ଼େ ଧୀର, ଏତେ ମନ୍ଥର ଯେ ଆଦୌ ବୁଝି ହୁଏ ନାହିଁ—ଯେମିତି ନିତି ଦେଖୁଥିବା ଲୋକର ମୋଟା ହେବା କି ପାତଳା ହେବା ବାରି ହୁଏ ନାହିଁ, ସେମିତି ।

 

କହିଲି ପରା, ମୁଁ ସେ ପରିବର୍ତ୍ତନଟାକୁ ବାରି ପାରିଥିଲି ।

 

ହଁ, ସେ ପରିବର୍ତ୍ତନଟା କ’ଣ ଶୁଣ । ସେଟା ନିହାତି ସ୍ୱାଭାବିକ, ସହଜ ଆଉ ସରଳ ପରିବର୍ତ୍ତନ । ତମେ ଆଶ୍ଚର୍ଯ୍ୟ ହେବନାହିଁ, ମତେ ଘୃଣା କରିବ ନାହିଁ ତ ?

 

ସେ ପରିବର୍ତ୍ତନ ହେଉଛି ଏୟା । ମୁଁ ମାଉସୀଙ୍କଠୁଁ ଆସ୍ତେ ଆସ୍ତେ ଦୂରେଇ ଗଲି ।

 

ହଁ, କମଳା ହେଇ ଆସିଲା ଆହୁରି ନିକଟତର ।

 

ଆଶ୍ଚର୍ଯ୍ୟ ହେଉଛ ଯେ ! ଶୁଣ । ଦିନକର କଥା ଶୁଣ । ମୋ ଦିହ ବଡ଼ ଖରାପ ହେଇଥାଏ । ମାଉସୀ ଅଖିଆ ଅପିଆ ମୋ ମୁଣ୍ତ ଉପରେ ବସିଥାନ୍ତି । କମଳା ଘରର କାମ କରେ-। କାମ ସାରି ପୁଣି ମୋ ପାଖକୁ ଆସେ । ସେ ମତେ କେବେ ଏକୁଟିଆ ପଚାରିବାର ସୁଯୋଗ ପାଇଲା ନାହିଁ ଯେ ମୋ ଦେହ କେମିତି ଅଛି । ଏତକ ପଚାରିବା ପାଇଁ ତା’ ମନ ଆଉଟି ହେଲା କି କ’ଣ !

 

ସେ ପାଖରେ ଠିଆ ହୋଇଥାଏ । ଦାଣ୍ତରେ ଗୋଟାଏ ଭିଖାରୀ ଡାକିଲା । ମାଉସୀ କମଳାକୁ ଡାକିଲେ; କହିଲେ ମୁଠେ ଭିଖ ଦେଇ ଆସିବା ପାଇଁ ।

 

ନା, କମଳା ମନା କରି ନାହିଁ । ସେ ବଡ଼ କରୁଣ କଣ୍ଠରେ ମାଉସୀଙ୍କି କହିଲା—ତମେ ଯା’ ମାଉସୀ, ମୁଁ ବସିଛି ।

 

ହଁ, ମାଉସୀ ଚାଲିଗଲେ । କିନ୍ତୁ ବୋଧହୁଏ କବାଟ ସେ ପାଖରେ ସେ ଟିକିଏ ଅଟକି ଯାଇଥିଲେ କାହିଁକି । କମଳା ଯାହା କହିଲା ତାଙ୍କୁ ଶୁଭିଲା କି କ’ଣ !

 

କମଳା କହିଲା—ମାଉସୀ ସବୁବେଳେ ତମଙ୍କୁ ଡାହାଣୀଙ୍କ ପରି ଜଗି ରହିଛନ୍ତି । ମୁଁ ଟିକିଏ ବି ତମ ପାଖରେ ବସି ପାରୁ ନାହିଁ ।

 

ତା’ପରେ ଆଉ ହେବ କ’ଣ ? ମାଉସୀଙ୍କ ଦିଅର ଆସି ତାଙ୍କୁ ନେଇଗଲା । ମାଉସୀ ଆଉ ଏକ ସଂସାର ଗଢ଼ି ବସିଲେ ।

 

ହଁ, ସେଠି ସେ ଭଲ ଅଛନ୍ତି । ତାଙ୍କ ଦିଅରଟି ଖୁବ୍‌ ଭଲ ଲୋକ ।

 

କାହିଁ ପଚାରିଲ ନାହିଁ ତ, ମୁଁ ତା’ ପରେ କିମିତି ରହିଲି, କମଳା କିମିତି ରହିଲା ?

 

ସୁରେନ୍ଦ୍ର—ଏଇମିତି, ଠିକ୍‌ ଏଇମିତି ପର ଆପଣାର ହୁଏ, ଆପଣାର ପୁଣି ପର ହୋଇଯାଏ । ଦୂର ନିକଟତର ହୁଏ—ପୁଣି ନିକଟର ଯେ ସେ ଦୂରକୁ ଅପସରି ଯାଏ......

 

କମଳା ସୁଖୀ ହୋଇଥିବ । ମୋତେ ସେ ଯେମିତି ଚାହୁଁଥିଲା ସେମିତି ପାଇଥିବ ।

 

ମୁଁ ? ମୁଁ ଦୁଃଖୀ କି ସୁଖୀ କିଛି ହୋଇ ନାହିଁ । ଖାଲି ଦୁନିଆର ଏଇ ନିୟମକୁ ସତ୍ୟ ବୋଲି ନମସ୍କାର କରି ଅଧରାତିରେ ଦିନେ ଘରୁ ବାହାରି ଆସିଲି କମଳାକୁ—ଆପଣାର କମଳାକୁ–ନିକଟର କମଳାକୁ ପର କରି, ଦୂର କରି, ଲକ୍ଷ ଲକ୍ଷ ପରଙ୍କୁ ଆପଣାର କରିବା ପାଇଁ ।

 

ମୋ କାନରେ ଅବିରତ ବାଜୁଥାଏ କ’ଣ ଜାଣ ସେତେବେଳେ ?

 

‘ମହାତ୍ମା ଗାନ୍ଧିଙ୍କି ଜୟ ।’

 

ଆଉ ଆଜି......

Image

 

ସାଧନ

 

ଗୌରବ ନିତି ଯାଏ ଦେବାଳୟରେ କୀର୍ତ୍ତନ କରିବା ଲାଗି ।

ଦେବଦାସୀମାନଙ୍କର ନୃତ୍ୟ ଗୀତ ପରେ ଗୌରବ ଦେବ-ଗୌରବ କୀର୍ତ୍ତନ କରେ । କିନ୍ତୁ ସମସ୍ତେ କହନ୍ତି, ସୌରଭର ଗୀତରେ ଯେଉଁ ଛାତିଫଟା ସ୍ୱର ଉଠେ ଗୌରବ ତା’ ଆଦୌ ଅନୁକରଣ କରିପାରି ନାହିଁ । ଗୌରବ କଣ୍ଠ ମଧୁର । ଗୌରବ ସଙ୍ଗୀତ ବିଜ୍ଞାନରେ ନିପୁଣ, କିନ୍ତୁ ତଥାପି ତା’ ଗୀତରେ ଯେପରି ପ୍ରାଣ ନ ଥାଏ । ତା’ ଗୀତ ନିର୍ଦ୍ଦୋଷ, ହେଲେ ମଧ୍ୟ କାହିଁକି କେଜାଣି ତା’ ଶ୍ରୋତାକୁ ଉନ୍ମାଦନା ଆଣି ଦିଏନାହିଁ । କିନ୍ତୁ ପ୍ରବାଦ ଅଛି, ସୌରଭର ଆକୁଳ ସଙ୍ଗୀତ ଶୁଣିଲେ ପାଷାଣ-ପ୍ରତିମା ଚକ୍ଷୁରେ ମଧ୍ୟ ଲୁହ ଭରି ଉଠେ । ଦେବାଳୟର ନିର୍ଜୀବ ପ୍ରାଚୀରରେ ଗୋଟାଏ ଅଦ୍ଭୁତ କମ୍ପନ ଜାଗି ଉଠେ, ସମସ୍ତେ ସୌରଭ ଉଦ୍ଦେଶ୍ୟରେ; ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି; କିନ୍ତୁ ଗୌରବ ପ୍ରତି ପ୍ରକାଶ କରନ୍ତି ସହାନୁଭୂତି ।

ସୌରଭ ଅନେକ ଦିନରୁ ତା’ର ଶେଷ ସଙ୍ଗୀତ ଦେବତାଙ୍କ ଆଗରେ ନିବେଦନ କରି ଚାଲିଯାଇଛି କେଉଁ ଅନନ୍ତ ସ୍ୱର ସହିତ ନିଜର ସ୍ୱର ମିଶାଇବାକୁ ।

ଗୌରବ ଶୁଣିଲା, ଲୋକେ କହୁଛନ୍ତି ସୌରଭ ଯିବା ସାଙ୍ଗେ ସାଙ୍ଗେ ମନ୍ଦିରର ଶ୍ରୀ ଯେପରି ତୁଟି ଯାଇଛି ।

ଗୌରବ କାନକୁ ଆସିଲା—ଲୋକେ କହୁଛନ୍ତି—ସୌରଭର ଗୀତ ବନ୍ଦ ହେଲାଠୁଁ ଦେବତାଙ୍କ ମନରେ ଯେପରି ଆଦୌ ସୁଖ ନାହିଁ ।

ଗ୍ରାମର ସ୍ତ୍ରୀ ଲୋକ ପର୍ଯ୍ୟନ୍ତ କହିଲେ—ସୌରଭର ପ୍ରାଣ ଗଲା ଦିନଠୁଁ ଦିଅଁ ବି ବିଗ୍ରହ ଛାଡ଼ି ଚାଲିଗଲେ । ଆଉ ସେ ଏବେ ଡାକିଲେ, ମନାସିଲେ ଶୁଣନ୍ତି ନାହିଁ ।

ଗୌରବକୁ ଅନେକ ଉପଦେଶ ଦେଲେ, ‘‘ଗୌରବ, ଅବିବାହିତ ଲୋକର ସଙ୍ଗୀତ କେବେ ସରସ ହୋଇପାରେ ନା, ତୁ ବିବାହ କର ।’’

ଏ ଉପଦେଶ ଗୌରବ ଶୁଣେ । କିନ୍ତୁ ତା ପାଳନ କରିବାର ସୁଯୋଗ ତା ଜୀବନରେ କେବେ ଘଟେ ନାହିଁ ଯେପରି ।

ଏମିତି କେତେ ବର୍ଷ ଚାଲିଗଲା । ଗୌରବ କୀର୍ତ୍ତନ ପରେ ପ୍ରଣିପାତ କରି କହେ—ଠାକୁରେ, ତମେ କ’ଣ ଏହାହିଁ ଚାହଁ ? ମୋର ନିଃସଙ୍ଗ ଜୀବନର ଅନାବିଳ ଏକମୁଖୀ ଭକ୍ତିଭରା ରାଗିଣୀ ପରିବର୍ତ୍ତନରେ ତମେ କଣ ନାରୀର ଉଚ୍ଛିଷ୍ଟ ଚାହଁ ? ପୂର୍ଣ୍ଣତାକୁ ତମର ତେବେ ଘୃଣା ? ତମେ ଚାହଁ, ମୋ ହୃଦୟକୁ ବିଭାଗ କରିଦେବା ଲାଗି ?

 

ଠାକୁରେ ନୀରବ ରହନ୍ତି । କିନ୍ତୁ ତା’ ଭିତରୁ କିଏ ଯେପରି କହେ—ସୌରଭ ମଧ୍ୟ ବିବାହ କରିଥିଲା ।

 

ଏମିତି ବର୍ଷ ପରେ ବର୍ଷ ଚାଲିଗଲା । ଅନ୍ତରର ବାଣୀ ଉପରେ ଗୌରବ ଆଉ ଅବିଶ୍ୱାସ କରି ରହି ପାରିଲା ନାହିଁ ।

 

ଗୌରବ ବିବାହ କଲା ।

 

ଗୌରବ ଏବେ ବି ଗୀତ ଗାଏ, କିନ୍ତୁ କେବଳ ନୀରସ ନୁହେଁ, ସଙ୍ଗୀତର ସ୍ୱର ଯେପରି କ୍ରମେ କ୍ରମେ ଶୁଷ୍କରୁ ଶୁଷ୍କତର ହୋଇଆସେ । ଗୌରବ ଶୁଣେ—

 

ରସିକେ କହନ୍ତି—ନୀରସ ସଙ୍ଗୀତ ।

 

ଭକ୍ତ କହନ୍ତି—ନିର୍ମମ ପ୍ରାର୍ଥନା ।

 

ସାଧାରଣ କହନ୍ତି—ଶୁଖିଲା ଗାଆଣ ।

 

ପିଲାଏ କହନ୍ତି—ଗ୍ରୀଷମ କୋଇଲି ।

 

ସ୍ତ୍ରୀ ଲୋକେ କହନ୍ତି—ତୁଚ୍ଛା ସିଠା ।

 

ଗୌରବ ନିଜେ ବୁଝିପାରେ, ତାର ହୃଦୟର ସମସ୍ତ ରସ ଯେପରି ଆଉ ଜଣେ କିଏ ଶୋଷଣ କରି ନେଉଛି । ସେ ଦେବତାଙ୍କ ନିକଟରେ ଗାଇବାବେଳକୁ ତାର ନୈବେଦ୍ୟ ଯେପରି ଅପବିତ୍ର ହୋଇଯାଇଥାଏ । ସେ ପଚାରେ—ଠାକୁରେ, ଏ ଦୋଷ କା’ର ?

 

କିନ୍ତୁ ତା’ର ସାଧନା—ସଙ୍ଗୀତ ସାଧନାର ବିରାମ ହୁଏନାହିଁ । ଦେବତାର ସଂକୀର୍ତ୍ତନ ବନ୍ଦ ହୁଏ ନାହିଁ ।

 

ସେ ନିଜକୁ ପ୍ରଶ୍ନ କରେ‘ଗୌରବ, ତୁ ବିବାହ ହୋଇଛୁ କାହିଁକି ?’

 

ଉତ୍ତର ଦିଏ ନିଜେ ନିଜେ— ‘ଦେବତା’ ପାଇଁ ।’

 

‘ତୁ ତୋ ସ୍ତ୍ରୀକୁ ଏତେ ଭଲପାଉଛୁ କାହିଁକି ?’

 

‘ଦେବତା’ର ସଙ୍ଗୀତ ମଧୁମୟ କରିବା ଲାଗି ।’

 

‘କିନ୍ତୁ ତା’ ଯଦି ନ ହୁଏ?’

 

ସେ ଆଉ ଉତ୍ତର ଖୋଜି ପାଏ ନାହିଁ ।

 

ଶେଷରେ ମଠାଧିକାରୀ ବିରକ୍ତ ହୋଇ ଗୌରବକୁ ସେବାଚ୍ୟୁତ କଲେ । ମନ୍ଦିରରେ ପ୍ରବେଶ କରି ଗାଇବାର ଅଧିକାର ଆଉ ତାର ରହିଲା ନାହିଁ ।

 

ସମସ୍ତେ ତାର ନିନ୍ଦା କଲେ ।

 

କିଏ କହିଲା—ଗୌରବଟା କାମୁକ ।

 

କିଏ କହିଲା—ଗୌରବଟା ମାଇପସୁଆଗିଆ ।

 

କିଏ କହିଲା—ଗୌରବଟା ସ୍ୱାର୍ଥପର ।

 

କିଏ କହିଲା—ପାଗଳ ଗୌରବ ।

 

କିନ୍ତୁ ଗୌରବର ସାଧନର ଆଉ ବିରାମ ହେଲା ନାହିଁ । ନିତି ସନ୍ଧ୍ୟାରେ ସେ ମନ୍ଦିର ଅଦୂରସ୍ଥ ବଟ ମୂଳରେ ବସି ତାର ସ୍ୱର ଲହରୀ ଦିଗନ୍ତ ସେ ପାରକୁ ଭସାଇ ଦିଏ ।

 

କିଏ ବିରକ୍ତ ହୁଏ ।

 

କିଏ ଦୁଃଖ କରେ ।

 

କିଏ ବା ହସେ ।

 

କିନ୍ତୁ—ଗୌରବ ଅଟଳ—ଅଚଳ ।

 

ସେଦିନ ଗୌରବ ପାଗଳ ହୋଇଉଠିଲା । ତାର ଜଡ଼ିତ କଣ୍ଠରୁ ସ୍ୱର ଆଉ ବାହାରିଲା ନାହିଁ, ଆଉ ବାହାରିବ ନାହିଁ ଯେପରି ।

 

ସେଦିନ ତା’ର ସ୍ତ୍ରୀ ବଡ଼ କାତର ସ୍ୱରରେ କହିଲା—ବନ୍ଧୁ, ଆଜି ଏ ଚାନ୍ଦିନୀ ସନ୍ଧ୍ୟାରେ ତମେ ମତେ ଏକା ରଖି ଯାଅ ନାହିଁ ।

କିନ୍ତୁ ଗୌରବ ମାନିଲା ନାହିଁ । ତାର ସାଧନ ପଥରେ ସେ ଅଗ୍ରସର ହେଲା, ମାତ୍ର ସ୍ୱରର ବିକାଶ ହେଲା ନାହିଁ । ବହୁ ଯତ୍ନ, ବହୁ ଚେଷ୍ଟା ତାର ବିଫଳ ହେଲା । ଆଖି ଆଗରେ ପ୍ରିୟାର କାତର ଦୃଷ୍ଟି, କାନରେ ପ୍ରଣୟିନୀର ଆକୁଳ ନିବେଦନ ଅହରହ ଖେଳିବାକୁ ଲାଗିଲା ।

ଗୌରବ ପ୍ରକୃତରେ ପାଗଳ ହୋଇଗଲା ।

ତହିଁ ଆରଦିନ ସକାଳେ—

ସ୍ତ୍ରୀ ତାର ସ୍ନାନ ସାରି ସ୍ୱାମୀର ପାଦୁକା ପାନ କରିବାକୁ ଗୋଟିଏ କ୍ଷୁଦ୍ର ପାତ୍ରରେ ଜଳ ଭରି ନିକଟକୁ ଆସିଲା ।

ଗୌରବର ପାଦ ଥରି ଉଠିଲା । ବହୁ କଷ୍ଟରେ ସେ ପାଦ ବଢ଼ାଇ ଦେଲା ।

ବୃଦ୍ଧ ଅଙ୍ଗୁଠିର ଅଗ୍ରଭାଗ ଧୌତ କରି ସ୍ତ୍ରୀ ତାର ପାଦୁକା ନେଲା । ଗୌରବ ଚିତ୍କାର କରି ଉଠିଲା—

‘ଠାକୁରେ ।’

ସ୍ତ୍ରୀ ଚମକି ପଡ଼ିଲା ।

ପଚାରିଲା ଏପରି ହେଲ କାହିଁକି ? କିନ୍ତୁ ସେତେବେଳକୁ ପାତ୍ରରୁ ଚରଣଉଦକ ନିଃଶେଷ ହୋଇ ସାରିଥିଲା ।

ଚରଣୋଦକ ନୁହେଁ—ବିଷ ।

ଗୌରବ ତାର ବୁଢ଼ା ଆଙ୍ଗୁଳିଟିକୁ ବିଷରେ ଗୋଳାଇ ରଖିଥିଲା ।

ବିଷ କାର୍ଯ୍ୟ କଲା । କେତୁଟା ମୁହୂର୍ତ୍ତପରେ ଗୌରବ ଦୀର୍ଘ ନିଃଶ୍ୱାସ ଛାଡ଼ି ଘରୁ ବାହାରିଗଲା ।

‘କିଏ ଗାଉଛି—କିଏ ଗାଉଛି ?’ ବୋଲି ଗ୍ରାମର ଆବାଳ-ବୃଦ୍ଧବନିତା’ ମନ୍ଦିରର ଅଦୂରବର୍ତ୍ତୀ ବଟବୃକ୍ଷ ନିକଟକୁ ଧାଇଁଲେ ।

ସେ ସ୍ୱର ମନ୍ଦିର ଭିତରେ ପ୍ରବେଶ କଲାକ୍ଷଣି ଦେବତା ଶିରରୁ ଫୁଲ ଖସି ପଡ଼ିଲା ।

ରସିକ ତନ୍ମୟ ହୋଇଗଲେ ।

ବାଳକ ମିଷ୍ଟାନ ଛାଡ଼ି ଧାଇଁଲେ ।

ଶିଶୁକୁ କୋଳରୁ ଫିଙ୍ଗିଦେଇ ଯୁବତୀ ଗୃହୀଣୀ ମଧ୍ୟ ସେ ସ୍ୱରକୁ ଶୁଣିବା ପାଇଁ ଆଗୁସାର ହେଲେ ।

ସମସ୍ତେ କଥାବାର୍ତ୍ତା ହୋଇ ଯାଉଥାନ୍ତି—ସୌରଭ ମଧ୍ୟ ଦିନେ ଏପରି ସୁଲଳିତ ସଙ୍ଗୀତ ଗାଇବାର କେହି ଶୁଣିନାହିଁ ।

ଗୌରବ ଗୀତ ଗାଉଥିଲା ।

ମନ୍ଦିରର ଚୂଡ଼ାରେ ଆର୍ତ୍ତତ୍ରାଣ ବାନା ଉଡ଼ୁଥିଲା ।

Image

 

ଦୋକାନଦାର

 

ଦିନ୍‌ ଦିନ୍‌, ପ୍ରତି ଦିନ, ଶହଶହ ଲୋକ ଆସନ୍ତି, ସମସ୍ତଙ୍କୁ ସେ ‘ଜି, ହଜୁର’ କରେ । ‘ଆଇଏ, ଫର୍‌ମାଇଏ’ କହି ସମସ୍ତଙ୍କୁ ଡାକି ବସାଏ । ସମସ୍ତଙ୍କ ମନ ଜାଣି କଥା କହେ । ନିଜର ତାରିଫ୍‌ଗାଏ । ନିଜର ଦହି ସେ କେବେ ଖଟା କହେ ନାହିଁ । ତା’ ଦୋକାନରୁ ନବାବ ବାଦ୍‌ସା, ରାଜା ମହାରାଜା, ସାହେବ ସୁବା, ବହୁତ ବଡ଼ ବଡ଼ ରଇସ୍‌ ଆଦିମ ସଉଦା ନିଅନ୍ତି । କେତେ ଲାଟ ବେଲାଟ ହାକିମ ହୁକୁମାଙ୍କଠାରୁ ସେ ଇନାମ ଏକରାମ୍‌ ପାଇଛି । ନୂଆ ଗହକି ଦେଖିଲେ ଆଗ ସେ ଏ ସବୁର ଗୋଟାଏ ତର୍ଜମା କରି ପକାଏ । ଭାରି ଲମ୍ବାଚଉଡ଼ା କଥା କହେ । କିନ୍ତୁ ଠକାଏ ନାହିଁ ।

 

ଠକିବା ସେ ଜାଣେ ନାହିଁ । ଆଜିକି ଦଶ ବର୍ଷ ହେବ ସେ ଏଠି ଦୋକାନ ଦେଲାଣି । ସହରର କେହି ଗୋଟାଏ ଲୋକ ପାଇବ ନାହିଁ, ଯେ କହିବ ଯେ ଅମୁକ ଦୋକାନଟା ଠକ । ପହିଲୁ ଆସି ସେ ସଡ଼କ ପାଖ ବରଗଛ ମୂଳରେ ତିନି ଚାରିଟା କିରାସିନୀ ବାକ୍‌ସ ପକାଇ ଦେଇ ତା’ ଉପରେ ରବର କେନ୍‌ଭେସ୍‌ ଜୋତା ସଜାଇ ବିକୁଥିଲା । ଆଜି ସେ ହଜାର ହଜାର ଟଙ୍କାର ଦୋକାନ କରିଛି । ବାଟା, ଫ୍ଳେକ୍‌ସ, ପଞ୍ଜାବ, ଉତ୍କଳ ସବୁ ଟେନେରୀର ଜୋତା ତା’ ପାଖେ ମହଜୁତ । ସହରର ଖୁବ୍‌ ବଡ଼ ବଡ଼ ଲୋକଙ୍କଠାରୁ ଆରମ୍ଭ କରି ବାଟଗଲା ଲୋକ ପର୍ଯ୍ୟନ୍ତ ତାରି ପାଖରୁ ଜୋତା ନିଅନ୍ତି । ସେ ଆଜି ଜଣେ ଧନୀ, ବଡ଼ ବ୍ୟବସାୟୀ ।

 

ଇମାନ୍‌ ଆଉ ଜବାନ୍‌ ଏଇ ଦିଟା କଥାକୁ ଜଗି, ଫକିର ଥିଲା, ଆଜି ସେ ଅମିର ହୋଇଛି ବୋଲି କହେ ।

 

ଈଶ୍ୱରଙ୍କ ଉପରେ ତାର ଅଟଳ ବିଶ୍ୱାସ, ଖୋଦାମେହେରବାନ୍‌ଙ୍କ କୃପା ନ ହେଲେ ଦୁବ ଘାସ ବି ଗଜାଏ ନାହିଁ । ଭଲ କାମଟିଏ ଯେ ଯାହା କରିବାକୁ ଯାଏ ସେ ଶୁଣିଲେ ସଙ୍ଗେ ସଙ୍ଗେ କହେ, ‘ଇନ୍‌ଶାଲ୍ଲା ହୋଯାଏଗା’; କେହି କିଛି ଅମଙ୍ଗଳ କଥା କହିଲେ କହି ପକାଏ— ‘ଖୁଦାନ୍‌ ଖାସ୍ତା ।’

 

ଦିନରେ ପାଞ୍ଚ ଥର ସେ ନମାଜ ପଢ଼େ । ଯେଉଁଠି ସେ ବସେ ତା’ ଖଣ୍ତଦୂରକୁ ବଦନାରେ ବଦନେ ପାଣି ହରବଖତ୍‌ ମହଜୁଦ ଥାଏ, ନମାଜ ଆଗରୁ ଉଜୁ କରିବା ପାଇଁ । ପାଖରେ ଖଣ୍ତେ ମଖମଲର ଜାଏନା ମାଜ ଗୁଡ଼ିଆ ହୋଇ ଥୁଆ ହୋଇଥାଏ—ନମାଜବେଳେ ଖୋଲାହୁଏ । ତା’ ଦିହରେ ତାଜମହଲ ନକ୍‌ସା । ତାଜମହଲ ଆଜିଯାଏ ଯେମିତି ସେମିତି ରହିଛି, କିନ୍ତୁ ଏ ନକଲି ତାଜମହଲ ଫିକା ପଡ଼ିଗଲାଣି—ଅନେକ ଦିନରୁ କାରବାର ହେଇ । ହେଲେ କ’ଣ ହେଲା ବୁଢ଼ାର ମନ କିନ୍ତୁ ଫିକା ପଡ଼ି ନାହିଁ । ତା’ର ନମାଜ, ତା’ର ଆଦା ସତେ ଯେପରି ଖୁଦାଙ୍କର ଆସନ ଟଳାଇ ଦିଏ । ସେ ଖୁବ୍‌ ଧୀର ପାଟିରେ ପଢ଼େ, — ‘ଲା—ଇଲାହା—ଇଲ୍‌ଇଲ୍ଲା—ମହମଦୁର ରସୁଲଲ୍ଲା’—କିନ୍ତୁ ତା’ହା ଏଡ଼େ ଗମ୍ଭୀର, ଏଡ଼େ ମଧୁର, ଏଡ଼େ ପ୍ରାଣସ୍ପର୍ଶୀ ଯେ, ମନେ ହୁଏ ସତେ ଯେପରି ଆଲ୍ଲାଙ୍କୁ ସେ ଦେଖିପାରୁଛି । ବୁଢ଼ା ଯେଉଁଦିନ ସକାଳୁ ଯାଇ ମସ୍‌ଜିଦରେ ମୂଆଜନ ଡାକେ, ସେଦିନ ସମସ୍ତଙ୍କର ନିଦ ଭାଙ୍ଗିଯାଏ—ସମସ୍ତଙ୍କ ହୃଦୟରେ ସେ ସ୍ୱର ବାଜେ । ସମସ୍ତେ କ୍ଷଣକପାଇଁ ଖୋଦାଙ୍କର ଅସ୍ତିତ୍ୱ—କେବଳ ମାତ୍ର ସେଇ ଖୋଦାଙ୍କର ଅସ୍ତିତ୍ୱ ଉପଲବ୍‌ଧି କରନ୍ତି । ସେଥିପାଇଁ କେହି କେହି କହନ୍ତି—ବୁଢ଼ା ପୀରଓ୍ୱଲି ଯୈ ସେ ଆଦମି ହୈ ।

 

ବୁଢ଼ାର ଯୋତା ଦୋକାନ । ହେଲେ କ’ଣ ହେବ ସେ ବଡ଼ ପରିଷ୍କାର । ମିହ ନୟନସୁକ୍‌ ଚୁଡ଼ିଦାର ପାଇଜାମା ଆଉ ଖଣ୍ତେ ଢିଲା ପଞ୍ଜାବୀ ବୁଢ଼ାର ପରିଧାନ । ଏକା ରକମର, ସବୁ ଦିନେ ସବୁ ସମୟରେ । ଦାଢ଼ିଗୁଡ଼ିକ ମେହେନ୍ଦୀରେ ରଙ୍ଗା । ଆଖିରେ ସୁରମା । ବୁଢ଼ା ଖୁବ୍‌ ସଉକରେ ଥାଏ । ଗଲିଜ ଦେହକୁ ସଫା ନ ରଖିଲେ ଖୁଦା ନାରାଜ ହେବେ ବୋଲି ତାର ଭାରି ଡର ।

 

ସେ ଏ ଦେଶର ମୁସଲମାନ ନୁହେଁ । ସେ ଆସିଥିଲା ପଛିମରୁ । ସେ ଯେତେବେଳେ ପହିଲୁ ଆସିଲା ଏ ଦେଶକୁ, ଦେଖିଲା ଲୋକେ କହନ୍ତି, ତା’ ଦିହରେ ଟଙ୍କା ମାରି ଦେଲେ ଯିମିତି ରକ୍ତ ଖସି ପଡ଼ିବ । ସେତେବଳେ ସେ ଜବାନ୍‌ ଥିଲା । ସେ ଦେହର ଅଧେ ବି ନାହିଁ ଆଜି । କିନ୍ତୁ ମୁହଁରେ ସେଇ ତେଜ । ସେଇ ପାଞ୍ଚଆଙ୍ଗୁଳି ଚଉଡ଼ା କପାଳ, ତୀଖ ପରି ନାକ, କଳା କଳା ଆଖି–ଯିଏ ଦେଖେ ବୁଢ଼ାକୁ ଭକ୍ତି କରେ ।

 

ବୁଢ଼ାର ବୟସ ୬୦ ହେବ । କିନ୍ତୁ ୫ ବର୍ଷର ଛୁଆଟାକୁ ବି ସେ ବେଖାତିର କରି ପଦେ କେବେ କହି ନ ଥିବ । ଏଥିପାଇଁ ବୁଢ଼ାକୁ ସମସ୍ତେ ଭଲପାନ୍ତି । ବୁଢ଼ାର କେହି ଦୁସମନ୍‌ଏ ଦୁନିଆରେ ଅଛନ୍ତି ବୋଲି କେହି କହି ପାରିବ ନାହିଁ ।

 

ବୁଢ଼ା କିନ୍ତୁ ଏକା । ଏ ଦେଶରେ ସେ ହିନ୍ଦୁ ମୁସଲମାନ ଛୋଟ ବଡ଼ କେତେ ଲୋକ ପାଖରେ ରଖିଲାଣି, ଚାକର କରି ନୁହେଁ, ଆଦର କରି, ନିଜର କରି, ଦୋକାନରେ ଟିକିଏ ମଦଦ୍‌ ଦେବାଲାଗି, କିନ୍ତୁ ଗୋଟିଏ ହେଲେ କାହାକୁ ସେ ଏତବାରୀ ଯାଇ ନାହିଁ । ଜଣେ ହେଲେ କେହି ତାର ସ୍ନେହର ମର୍ଯ୍ୟାଦା ବୁଝିନାହିଁ । ତା’ ଜୀବନରେ ଯଦି ଦୁଃଖ କିଛି ଥାଏ ତେବେ ସେତିକି । ଏକଥା ସେ ଅନେକ ଲୋକଙ୍କୁ ଅନେକ ବାର କହିଛି ।

 

ବୁଢ଼ା କିନ୍ତୁ କାହିଁକି ଯେ ଏ ବୟସରେ ଏକାକୀ ଏଇ ବିଦେଶରେ ପଡ଼ିଛି, ଏକଥା କେହି ଆଜିଯାଏ ଜାଣେ ନାହିଁ । ପଚାରିଲେ ବି ବୁଢ଼ା କହେ ନାହିଁ—ଖାଲି ହସେ ।

 

ବୁଢ଼ାର ଦିନ ଏମିତି ଚାଲିଯାଏ—ଗୋଟାଏ କିସମରେ । ବୁଢ଼ା ନିର୍ଭୀକ, ନୀରବ କର୍ମୀଭଳି ଜୀବନର ଦିନଗୁଡ଼ିକ ଗୋଟିଏ ଗୋଟିଏ କରି ଅତୀତ ଗର୍ଭରେ ନିକ୍ଷେପ କରି ଚାଲିଥାଏ-। ବୁଢ଼ାର ଚିନ୍ତା ନାହିଁ—ଦକ ନାହିଁ, ଭବିଷ୍ୟତରେ ଉଚ୍ଚ ଆକାଂକ୍ଷା ମଧ୍ୟ ନାହିଁ । ନିର୍ବିକାର-

 

ଦିନ୍‌ ଦିନ୍‌ ପ୍ରତିଦିନ କେତେ ଖରିଦଦାର ଆସିନ୍ତି ଯାଆନ୍ତି । ବୁଢ଼ା ସମସ୍ତଙ୍କୁ ଆଦବ୍‌ କରି ଡାକେ—ନିଜର ତାରିଫ୍‌ କରେ । ସବୁ ଯେମିତି ଗୋଟାଏ ଗତ—ଗୋଟାଏ ଅଭ୍ୟାସ ।

 

ଦିନ୍‌ ଦିନ୍‌ ପ୍ରତିଦିନ୍‌ ସେ ନୂଆ ପୁରୁଣା କେତେ ଖରିଦଦାର ଦେଖେ—ଯିବା ସାଙ୍ଗେ ସାଙ୍ଗେ ତାଙ୍କୁ ପାସୋରି ପକାଏ । କିଏ ନିଏ, କିଏ ନାପସନ୍ଦ କରି ଫେରାଇ ଦିଏ—ସେଥିପାଇଁ ସେ ଖୁସି ହୁଏ ନାହିଁ କି ରାଗ କରେ ନାହିଁ । କାରଣ ତାର ବିଶ୍ୱାସ, ଖୁଦା ଯେଉଁଦିନ ଯେତିକି ଦେବେ ତା’ଠାରୁ ବେଶୀ ଚାହିବା ହାରାମ ।

 

ଦିନ୍‌ କେତେ ଖରିଦ୍‌ଦାର, ବୁଢ଼ା, ଛୁଆ, ମଣିପେ, ମାଇପେ ଆସନ୍ତି ଯାଆନ୍ତି ତାର ସୁମାରି ସେ ରଖେ ନାହିଁ । ତା’ ଦୋକାନ ଆଡ଼କୁ ଅନାଇଁ ଯେ ଯାଏ ସେ ତାକୁ ଡାକେ—ଯୋତା ଚାହି, ବାବୁ ଯୋତା ?

 

କିନ୍ତୁ ତାକୁ ସେ ଡାକି ନଥିଲା । ଘୋଡ଼ା ଗାଡ଼ିଟା ଆସି ନିହାତି ଅସ୍ୱାଭାବିକ ଭାବରେ ଯେମିତି ଖଟ୍‌କିନି ରହି ଯାଇଛି, ସେମିତି ସେ ପଟ୍‌କିନି ଡିଆଁଟାଏ ମାରି ଆସି ଦୋକାନରେ ହାଜର-

 

‘ଯୋତା ଅଛି ଯୋତା ?’ ସେ ପଚାରିଲା ।

 

ବସନ୍ତର ଗୁଲଆବ୍‌ ବି ନୁହେଁ—ଫୁଲ ବାଗର ବୁଲ ବୁଲ ବି ନୁହେଁ—ଆଧିପିଆଲା ଢଲ ଢଲ ସରାବ ବି ନୁହେଁ—ଆଉ କ’ଣ ସେ ?

 

ଅସମାନ୍‌ର ଚାନ୍ଦ୍‌ ବି ନୁହେଁ, ମମତାଜ ବେଗମ ବି ନୁହେଁ—ଗୋଟିଏ ଦଶ ବର୍ଷ ବୟସର ଚପଳା ବାଳିକା ।

 

‘‘ଯୋତା ଅଛି ଯୋତା ? ମୋ ଗୋଡ଼କୁ ହବ ଏକା—ଠିକ୍‌ ନତି ଅପା ଯୋତା ଭଳି—ରଙ୍ଗିନ୍‌—ଜରିଦିଆ—ଅଛି ?’’

 

ବୁଢ଼ା ଚାହିଁ ରହିଥାଏ । ସେଇମିତି ଚାହିଁ ରହିଥାଏ—ସେ କହି ଯିବାରେ ଲାଗିଥାଏ ।

 

କେତେବେଳେ ବୁଢ଼ା କହିଲା,— ‘ହୈ’ ।

 

‘କାହିଁ ଦେଖେଁ’ କହି ସେ ଅଥୟ ହୋଇ ପଡ଼ିଲା । ଖୁସିରେ ସେ ଯେମିତି ତଳେ ଲୋଟି ହୋଇଯିବ ।

 

‘ଏଇଠି ଅଛି ? ସେଇଠି ଅଛି ? —ନା, ସେ କୋଣ ଆଲମାରୀରେ ଅଛି କି ?’ ପଚାରି ଚାଲିଗଲା ସେ ହଜାରେ ପ୍ରଶ୍ନ ମୁହୂର୍ତ୍ତକରେ ।

 

‘ବସ, ମୁଁ ଆଣି ଦେଉଛି ।’ ବୁଢ଼ା କହି ଉଠିଲା ।

 

‘‘ଆରେ ଆରେ ବୁଢ଼ାଟା ମୋ ଗୋଡ଼ ଧରୁଛି—ଆରେ ଆରେ ପାପ ହେବ । ନାଇଁ,—ନାଇଁ—ଥାଉ, ମୁଁ ନିଜେ କିଛି କରି ନେବି ।’’

 

ନାଇଁ ମା, ଛି, ଗୋଡ଼ ଦେଖାଅ, ମୁଁ ପିନ୍ଧାଇ ଦିଏଁ । ହେଲା କି ନ ହେଲା ଦେଖିନିଏଁ । ତା’ପରେ ଯାଇ—’

 

‘ନା—-ନା—ସେ କଥା ହବ ନାହିଁ-କେଭେଁ ହବ ନାହିଁ—–ମୋର ପାପ ହେବ—–ଠାକୁର ରାଗିବେ–—ମା ମାରିବ—ନାଇଁ, ତମେ ମୋ ଗୋଡ଼ ଛୁଅଁ ନାହିଁ ।’

 

‘ନା ମା, ଠାକୁରେ ରାଗିବେ ନାହିଁ । ମୁଁ ଠାକୁରଙ୍କୁ କହିବି—ତାଙ୍କ ପାଖରେ ତମର ହୋଇ ମାଫି ଚାହିଁବି । ଦେଖାଅ, ପାଦ ଦେଖାଅ, ମୁଁ ପିନ୍ଧାଇ ଦିଏଁ ।’

 

ହୁଁ, ଖାଲି କହିବ, ମିଛ କହୁଛ । ତମ ଠାକୁର ତ ଭିନେ । ଆମ ଠାକୁର ଆଗ ତମ ପଠାଣଙ୍କ କଥା ଶୁଣିବେ ନା ?’

 

ବୁଢ଼ା ବାଳିକାର ମୁହଁକୁ ଚାହିଁ ରହିଲା । ସରଳତା’ର ଏପରି ପବିତ୍ର ଆଭା ସେ ଆଉ କେବେ କେଉଁଠି ଦେଖିଥିଲା କି ନାହିଁ ମନେ କରି ପାରିଲା ନାହିଁ । ଏଇ ତ ଠାକୁର ହିନ୍ଦୁର, ମୁସଲମାନର ସମସ୍ତଙ୍କର ।

‘ମା, ଅଝଟ ହୁଅ ନାହିଁ । ପାଦ ଦେଖାଅ, ମୁଁ ପିନ୍ଧାଇ ଦିଏଁ ।’

‘ନା-ନା-ନା-’

‘ତା’ ହେଲେ ମୁଁ ଯୋଜା ଦେବି ନାହିଁ ।’

ସେ ଆଉ କିଛି କହିଲା ନାହିଁ । ବୁଢ଼ା ଧୀରେ ଧୀରେ ଟିକି ଟିକି ସେ ପାଦ ଯୋଡ଼ିକ ନେଇ ନିଜ ଛାତି ପାଖରେ ଧରିଲା । କହିଲା କି ସୁନ୍ଦର ପାଦ ! ଗୋଟି ଗୋଟି କରି ସେ ଦୁଇଟି ସୁକୁମାର ପାଦରେ ଯୋତା ପିନ୍ଧାଇ ଦେବାକୁ ତାକୁ କେତେ ସମୟ ଲାଗିଲା କେଜାଣି ।

ସେ ଯୋତା ତା’ ଗୋଡ଼କୁ ହେଲା ନାହିଁ । ବୁଢ଼ା ଆଉ ଯୋତା ଆଣିଲା । ଦୋକାନରେ ଯେତେ ଯୋତା ଥିଲା ତା’ ଗୋଡ଼ ମାପରେ ସବୁ ଆଣି ଗୋଟି ଗୋଟି କରି ତା ଗୋଡ଼ରେ ପିନ୍ଧାଇଲା । କେଉଁ ଯୋଜା ପିନ୍ଧିଲେ ତା’ ଗୋଡ଼କୁ କିମିତି ମାନୁଛି, ବୁଢ଼ା ଖୁବ୍‌ ନିରିଖି ଦେଖିଲା । ଯେଉଁ ଯୋତା ତା’ର ଗୋଡ଼କୁ ଠିକ୍‌ହୁଏ, ସେ ଯୋତା ପସନ୍ଦକୁ ଆସେ ନାହିଁ—ତା’ ନତିଅପାର ଯୋତା ଭଳି ହୁଏ ନାହିଁ । ଯେଉଁ ଯୋତା ପସନ୍ଦ ହୁଏ ସେ ଯୋତା ଗୋଡ଼କୁ ଟିକିଏ କସ୍‌ ହୁଏ—ତାକୁ କାଟେ—ବୁଢ଼ା ସଙ୍ଗେ ସଙ୍ଗେ କାଢ଼ି ପକାଏ । ଆସ୍ତେ ଆସ୍ତେ ବୁଢ଼ା ଯେ ତାର ଦୋକାନର ସବୁ ଯୋତା ତଳେ ବିଛୁଡ଼ି ଦେଇ ସାରିଲାଣି ସେ କଥା ତାର ମନେ ନାହିଁ ।

ବହୁ କଷ୍ଟରେ ହଳେ ଯୋତା ବାହାରିଲା, ବୁଢ଼ା ମନ ମାନିଲା । ବାଳିକାଟିର ବି ମନକୁ ପାଇଲା । ବୁଢ଼ା ତାକୁ ନିଜ ହାତରେ ପିନ୍ଧାଇ ଦେଲା ଖୁବ୍‌ ଯତନରେ । ବୁଢ଼ା ଆଗରେ ଚାଲିବା ପାଇଁ ବୁଢ଼ା ଢେର କହିଲା । ସେ ଚାଲିଲା । ବୁଢ଼ା ଡାହାଣାଙ୍କ ପରି ତା’ ଗୋଡ଼କୁ ସେମିତି ଚାହିଁଥାଏ ।

ଶେଷରେ ‘ବିଷ୍ଣୁ–ବିଷ୍ଣୁ–ବିଷ୍ଣୁ’ ବୋଲି ତିନିଥର କହି ସେ ବୁଢ଼ା ଦେହଛୁଇଁ ନିଜ ମୁଣ୍ତରେ ମାରି ଦେଇ ଝଟପଟ ଯାଇ ଗାଡ଼ିରେ ବସିଲା ।

କଚୁଆନ କହିଲା—‘‘ବାବୁସେ ପଇସା ଲେ ଲେନା–ବିଶ୍ୱେଶ୍ୱର ବାବୁ ଯେ ହାଲହିମେ ବରମପୁରସେ ଆୟେ ହେଁ—ଓକିଲ—ଓକିଲ—କ୍ୟା କହତେ ହେଁ–ଆଡ୍‍ଭୋକେଟ୍‌– ମାଲୁମ୍ ନାହିଁ ? ନଜଦିରା ମେହି ।’’

‘‘ସେଇ ଯେଉଁ ନାଲି କୋଠା ! ଦେଖିଛ ? ସେଇଠିକି ଯିବ ।’’ ବାଳିକା କହିଦେଲା । ‘‘ଆଛି ବାତ୍‌’’—ବୁଢ଼ା ମୁହଁରୁ ଏତକ ବାହାରିଛି, ଗାଡ଼ି ଚାଲିଗଲା ।

ଦିନ୍‌, ଦିନ୍‌, ପ୍ରତିଦିନ ସେଇ ବାଟ ଦେଇ କେତେ ଗାଡ଼ି ଯାଏ, କେତେ ଗାଡ଼ି ଆସେ, ବୁଢ଼ା ଚାହିଁ ରହିଥାଏ ସେ ଗାଡ଼ି କେବେ ଆସିବ । ସେ ଗାଡ଼ି ଆଉ ତା’ ଆଖିରେ ପଡ଼େ ନାହିଁ ।

ଗୋଟିଏ ନୁହେଁ, ଅଧେ ନୁହେଁ, କେତେ ଗାଡ଼ି ସେଇ ବାଟେ ଯାଏ । ଝଟକିନି ଆସି ତା’ ଦୋକାନ ଆଗରେ ଠିଆ ହୋଇଯାଏ । ବୁଢ଼ା ଝଟକିନି ଚମକି ପଡ଼ି ଚାହେଁ, କିନ୍ତୁ ତା’ ପରେ ଫଟ୍‌କିନି ଆଉ କେହି ସେ ଗାଡ଼ି ଭିତରୁ ବାହାରି ଆସି ଦୋକାନରେ ହାଜର ହେଇ ଯାଆନ୍ତି ନାହିଁ ।

 

ଜଣେ ନୁହେଁ ଦି ଜଣ ନୁହେଁ, ଶହ ଶହ ଲୋକ ତା’ରି ପରି କଅଁଳିଆ କଢ଼ି ଭଳି ନରମ ବାଳିକା—କୁମାରୀ ଆସି ଯୋତା ମାଗନ୍ତି, ଯୋତା କିଣନ୍ତି, କିନ୍ତୁ ତାକୁ ସେ ଆଉ ଦେଖେ ନାହିଁ—ତା’ପରି ଆଉ ‘ଏଠି ଅଛି, ସେଠି ଅଛି ?’ ଏମିତି ହଜାରେ ପ୍ରଶ୍ନ ପଚାରନ୍ତି ନାହିଁ !

 

ଥରେ ନୁହେଁ ଦିଥର ନୁହେଁ, ହଜାର ହଜାର ଥର ସେ ତାରି ଭଳି କେତେ ପିଲାଙ୍କ ଟିକି ଟିକି ପାଦରେ ଯୋତା ପିନ୍ଧାଇ ଥିବ—କିନ୍ତୁ ତା’ ପାଦ ଭଳି କୋମଳ, ତା’ ପାଦ ଭଳି ସୁନ୍ଦର, ତା’ ପାଦ ଭଳି ମୁଲାୟମ ଆଉ ସେ ପାଇଲା ନାହିଁ ।

 

ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା, ହପ୍ତାଏ ଗଲା, ପକ୍ଷେ ଗଲା, ମାସେ ବି ଗଲା—ଆଉ ସେ ଗାଡ଼ି ସେ ବାଟେ ଫେରିଲା ନାହିଁ ।

 

ବୁଢ଼ା ବିଚାରିଥିଲା—ସେ ଯୋତାର ଦାମ୍‌ ନେଇ ନ ଥାନ୍ତା । କ୍ଷଣକ ପାଇଁ ଆସି ସେ ବୁଢ଼ାକୁ ଯାହା ଦେଇ ଯାଇଛି ତା’ର କିମତ୍‌ସାରା ଦୋକାନ ବିକିଲେ ବି ହେବ କି ନା ସନ୍ଦେହ ।

 

କିନ୍ତୁ ଆଜି ବୁଢ଼ା ବାହାରିଲା—ସେଇ ଯୋତାର ଦାମ୍‌ ଆଦାୟ କରିବାକୁ । ପଇସା ପାଇଁ ନୁହେଁ, ତାକୁ ଖାଲି ଥରେ ଦେଖିବା ପାଇଁ । କିନ୍ତୁ ସେଦିନ ସେ ପାଇଲା ନାହିଁ ।

 

ତହିଁ ଆରଦିନ ଗଲା ଦୋକାନ ବନ୍ଦ କରି ବାହାରିଲା ସେ ଓକିଲ ଘର ଖୋଜିବାକୁ । ଓକିଲଙ୍କ ନାଁଟା ସେ କଚୁଆନ କଣ କହିଯାଇଥିଲା ତା’ର ମନେ ପଡ଼ିଲା ନାହିଁ । ଯଉଁଠିକି ଯାଇ ପଚାରେ—ସେ ଓକିଲବାବୁ ଘର କେଉଁଠି ? ଯଉଁଠିକି ବିରକ୍ତ ହୋଇ କହନ୍ତି—‘‘କଉଁ ଓକିଲବାବୁ ହୋ ?’’ ଓକିଲବାବୁ ତ ସହରରେ ଢେର ଅଛନ୍ତି—କଉଁ ଓକିଲବାବୁକୁ ତମେ ଖୋଜୁଛ ?’’

 

‘‘ସେଇ ଯଉଁ ଓକିଲବାବୁ, ଯାହାଙ୍କର ଏଡ଼ିକି ଝିଅଟିଏ ଅଛି–ଗୁଲାବ ଭଳି ଢୁଲ୍‌ ଢୁଲ୍‌–ବୁଲବୁଲ୍‌ ଭଳି ମିଠା କଥା–ସରାବଭଳି ଢଳ ଢଳ ଆଖି–ଚାନ୍ଦଭଳି ଉଜାଲା–ମମତାଜ ଭଳି ସୁନ୍ଦର-।’’

 

‘ବାଃ ବାଃ’ କହି କିଏ ହସି ଦେଇ ଚାଲିଯାଏ ।

 

‘ବୁଢ଼ା ତ କମ୍‌ରସିକ ନୁହେଁ ।’ କିଏ ବା ଏହା କହି ବୁଢ଼ାକୁ ହଇରାଣ କରିବା ପାଇଁ ଆହୁରି ଆଗକୁ ଯିବାପାଇଁ ବାଟ ବତା’ଇ ଦିଏ ।

 

‘ବୁଢ଼ାଟା ପାଗଲ’ ବୋଲି କହି କିଏ ବା ତା’ ନିଜ ବାଟରେ ସିଧା ଚାଲିଯାଏ ।

 

ସକାଳୁ ସଞ୍ଜ ହେଲା—ବୁଢ଼ା ଖାଇ ନାହିଁ—ପିଇ ନାହିଁ—ଟିକିଏ ଥକ୍‌କା ବି ନେଇ ନାହିଁ–ସେମିତି ଖୋଜିବାରେ ଲାଗିଛି—‘‘ସେ ଓକିଲବାବୁ ଘର କାହିଁ, ଯାର ଗୋଟିଏ ଝିଅ ଅଛି ? ଗୁଲାବ ଭଳି ଢୁଲ୍‌ ଢୁଲ୍‌, ବୁଲ୍‌ବୁଲ୍‌ ଭଳି ମିଠା କଥା, ସରାବ ଭଳି ଢଳ ଢଳ ଆଖି, ଚାନ୍ଦ ଭଳି ଉଜାଲା, ମମତାଜ ଭଳି ଖୁବ୍‌ ସୁରତ୍‌ ।’’

 

ସଞ୍ଜ ହୋଇଗଲା । ସୂର୍ଯ୍ୟ ଢେରବେଳୁ ବୁଡ଼ି ଯାଇଥିଲେ । ଅନ୍ଧାର ଖୁବ୍‌ ଜୋରରେ ଘେରି ଆସୁଥିଲା ଚାରିଆଡ଼ୁ । ସେଇ ଅନ୍ଧାର ଭିତରେ ସେଇ ଦିନର ସେ କଚୁଆନ ସେଇ ବାଟଦେଇ ଚାଲି ଯାଉଥିବା ବେଳେ, ହଠାତ୍‌ ତାକୁ ଚିହ୍ନି ପକାଇବାରେ ତା’ର ସେଇ କ୍ଷୀଣ ଆଖି ଟିକିଏ ବୋଲି ଅକ୍ଷମ ହେଲା ନାହିଁ । ସେ ରଡ଼ି ଛାଡ଼ିଲା— ‘ଆରେ ବାବୁ ! ଆ—ଆରେ ଶୁନୋତୋ ଭାଇ ଜରା ।’

 

‘କୋନ୍‌ ହୈ ?’ ସେ ଫେରି ପଡ଼ିଲା ।

 

‘ଆରେ ଠହ୍‌ରୋ ନା ।’

 

‘କ୍ୟା କହିଏ ।’

 

‘ଉ ଉକୀଲ ବାବୁକା—’

 

‘‘ଓ, ଓକିଲବାବୁ ? ଓ ୟେତ କବ୍‌ସେ ଘର ଚଲେ ଗୟେଁ ହୈ ।

 

‘ଘର?’

 

‘ହାଁ, ଘର ।’

 

‘କ୍ୟୋଁ ?’

 

‘ମାଲୁମ୍‌ ନହିଁ ଆପ୍‌କୋ ? ଆଃ—ଚୁଃ—ଉନ୍‌କି ଦଶ ବରଷକୀ ଉସ୍‌ ଲଡ଼କୀ ଠୋ ମରଗଇ ବାବୁ ।’

 

‘ମରଗଇ ?’

 

କୋଚମାନ୍‌ ଚାଲିଗଲା । ବୁଢ଼ା ସେଠି ଠିଆ ହୋଇ ରହିଲା । ହଜାର ହଜାର ମାଇଲ ଦୂରରେ ତାର ଘର ।

 

ତାରି ଭିତରୁ ଦୌଡ଼ି ଆସି ସେ ଯେମିତି ପଚାରୁଛି—‘ଯୋତା ଅଛି, ଯୋତା ?’

 

ବୁଢ଼ା ଆଖିରେ ଜଳ ଜଳ ହୋଇ ଦିଶିଗଲା । ତହିଁଆର ଦିନ ସମସ୍ତେ ଦେଖିଲେ, ବୁଢ଼ାର ଦୋକାନ ବନ୍ଦ ।

 

ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା, ହପ୍ତାଏ ଗଲା, ପକ୍ଷେ ଗଲା, ମାସ ମାସ ବି ଗଲା—ଦୋକାନ ବନ୍ଦ ।

Image

 

ସ୍ମୃତି

 

କେବଳ ଗୋଟାଏ ଛବି—ଫଟୋ । ଏଡ଼େ ବଡ଼ ଘରଟାରେ ସେଟା ଖାଲି ଭୀଷଣ ଦେଖାଯିବା ଛଡ଼ା ତା’ର ଅନ୍ୟ କିଛି ଉପଯୋଗିତା ଥିଲା ପରି କୌଣସି ଚିନ୍ତାଶୀଳ ବ୍ୟକ୍ତି ଭାବିବା ସମ୍ଭବ ନୁହେଁ ।

 

କିନ୍ତୁ ସଙ୍ଗୀମାନେ ଆସନ୍ତି, ହସନ୍ତି ଖେଳନ୍ତି—ମଧୁର ଥଟ୍ଟା କରି ଚାଲିଯାଆନ୍ତି ପ୍ରତି ଦିନ-

 

ସେ ମଧ୍ୟ କହେ, ଜୀବନରେ ସେତକ ତା’ର ସମ୍ବଳ । ସ୍ମୃତି ନୁହେଁ—ସମ୍ବଳ ।

 

ଶୀତ ଆସେ । ବାହାରର ବୃକ୍ଷଲତାରୁ ପତର ଝରିପଡ଼େ—ନୂଆ ପତ୍ର କଅଁଳେଇବା ପାଇଁ । କିନ୍ତୁ ସେ ଘରେ ସେ ଛବିଟା ସେମିତି ରହିଥାଏ । ଏମିତି କେତେ ଶୀତ ଗଲାଣି ।

 

ତମେ କହିବ, ବସନ୍ତରେ ନିଶ୍ଚୟ କିଛି ଗୋଟାଏ ପରିବର୍ତ୍ତନ ହୁଏ । କିନ୍ତୁ ସେ କହେ, କବାଟ ଫାଙ୍କରେ କିଏ ସେ ଆସି ଉଙ୍କି ମାରିଯାଏ, ଝରକା ଦେହରେ ହାତମାରି ଦେଇଯାଏ । ମଝିରେ ମଝିରେ କେବେ କେମିତି ସେ ଛବିଟା ମୁରୁକି ମୁରୁକି ହସିଦେଲା ପରି ଜଣାପଡ଼େ, କିନ୍ତୁ ସେ ଠୋ ଠୋ କରି ହସି ଉଠେ ।

 

ଘରଟାର ଅନ୍ଧି ସନ୍ଧି ତାକୁ ବିଦ୍ରୂପ କରି କହି ଉଠନ୍ତି—ସେଟା ପାଗଳ— ନିର୍ଧୁମ୍‌ପାଗଳ–ବଦ୍ଧ ପାଗଳ–ବାଇୟାଟାଏ ।

 

ହୁଏତ କାହାରି କାହାରି ମନେ ହେବ, ବୈଶାଖର ଡହ ଡହ ଖରାକୁ ସେ ପ୍ରାଣ ଭରି ଉପଭୋଗ କରୁଥିବ । ସେ ଯେମିତି ନିଷ୍ଠୁର, ସେ ଯେମିତି ଶୁଷ୍କ, ବୈଶାଖର ନୈଦାଘ ବାୟୁ ତାର ବଡ଼ ଆଦରର ବସ୍ତୁ ହୋଇଥିବ—ଉପଯୁକ୍ତ ସଙ୍ଗୀ ବୋଲି ସେ ତାକୁ ସ୍ୱାଗତ କରୁଥିବ ।

 

କିନ୍ତୁ ସେଟା ବି ଭୁଲ୍‍ । ମିଥ୍ୟା ବିଡ଼ମ୍ବନା ପ୍ରବଞ୍ଚନା, ଯାହା ପାର ତା’’ କହିପାର ।

 

ବର୍ଷାର ଛୋଟ ଛୋଟ କଣା ତା’ ଗାଲରେ, ତା’ ଭାଲରେ ପଡ଼ି ଚମଡ଼ାକୁ ତା’ର ଶୀତଳ କରିଦେଇ ପାରେ । କିନ୍ତୁ ଭିତରକୁ ଶୀତଳ କରିବ କିଏ ?

 

ଗୋଟାଏ ଅପରିବର୍ତ୍ତିତ ଜୀବନ ତାର—ଚିର ସମାନ—ଏକା ରକମର ।

 

ମଣିଷ କ’ଣ ଏମିତି ବଞ୍ଚିପାରେ ? ବଞ୍ଚିବା ସମ୍ଭବ ନୁହେଁ—କିନ୍ତୁ ସ ତ ବଞ୍ଚିଛି ।

 

ମଣିଷର ସବୁ ସ୍ମୃତି ବ୍ୟଥାରେ ହୋଇଥାଏ—ସେଥିପାଇଁ ସେ ପାଏ ପୂଜା । କିନ୍ତୁ ସେ ତା’ର କ’ଣ ଥିଲା କେଜାଣି ? ସମ୍ବଳ ନା ସ୍ମାରକ ?

 

ଦଉଡ଼ିଆ ଖଟିଆ ଖଣ୍ତକରେ ସେ ପଡ଼ିଥାଏ । ଦିନରେ ଯାଏ ଦାନା ପାଇଁ କେଉଁ କୋମ୍ପାନୀ ଅଫିସରେ କାମ କରିବାକୁ । ହାତରେ କରେ ରୋଷେଇ । ହାତରେ ବାଢ଼ି ଖାଏ । ଦେହ ପା’ ହେଲେ ଯାଏ ଡାକ୍ତରଖାନା ।

 

ତା’ର ଅବସ୍ଥା ଦେଖି କେତେ ବନ୍ଧୁ ତାକୁ ଥରେ ଥରେ କହନ୍ତି—ଗୋଟାଏ ବାହା ହେଇପଡ଼ ରାଜୁ ! ସେ ଏମିତି ଜୋରରେ ହସି ଉଠେ ଯେ ଲୋକେ ତେଣିକି ଆଉ କେବେ ସେଭଳି ପ୍ରସ୍ତାବ ତା’ ଆଗରେ କରିବାକୁ ସାହସ କରନ୍ତି ନାହିଁ—ଡରରେ ।

 

ସେଦିନ ତାକୁ ହଠାତ୍‌ ହେଲା ଜର । ବକିଲା ପାଗଳ ପରି । ଘରର କାନ୍ଥବାଡ଼ଗୁଡ଼ା ବି ଥରି ଉଠିଲେ—ସେ ଯେଉଁ ଚିତ୍କାର କଲା ତା’ରି ଆବାଜରେ ।

 

ବର୍ଷା, ଝଡ଼, ତୋଫାନ, ଅନ୍ଧାର ସେଦିନ ସବୁ ଏକଜୋଟ ହୋଇ ଯାଇଥିଲେ—ତା’ର ଯନ୍ତ୍ରଣାର ପଥରଫଟା ଡାକକୁ ଦୁନିଆ କାନରେ ପହଞ୍ଚିବାକୁ ନ ଦେବାଲାଗି ।

 

କିନ୍ତୁ ତା’ କାନରେ ଦୁନିଆର ଡାକ ବାଜିଲା ଯେତେବେଳେ, ସେତେବେଳକୁ ସମସ୍ତେ ଚାଲିଗଲେ କୁଆଡ଼େ ।

 

କବାଟରେ ଧକ୍‌କା ଉପରେ ଧକ୍‌କା ବାଜିଲା । ଚିତ୍କାର ଶୁଭିଲା— ‘ବଞ୍ଚାଅ ବାବୁ ବଞ୍ଚାଅ ।’

 

ସେ କବାଟ ଖୋଲି ଦେଖିଲା—ଗୋଟିଏ ନାରୀ ମୂର୍ତ୍ତି । ବିଜୁଳି ଆଲୁଅରେ ଦେଖାଗଲା, ସେ ଜୀର୍ଣ୍ଣପରିହିତା’—କ୍ଷୀଣା—ଅତିରିକ୍ତ ଦୀନା—ଆଲୁଳାୟିତକେଶା—ରୁକ୍ଷା—ପ୍ରକୃତରେ ଦୟାର ପାତ୍ରୀ ।

 

ପଛକୁ ସେ ଫେରିପଡ଼ି ଚାହିଁଲା—ସେଇ ଛବି, ସେମିତି ଠିଆ ହୋଇ ରହିଛି । ତା’ ହୃଦୟରେ ପରିବର୍ତ୍ତନ ନାହିଁ, ତା’ ପ୍ରାଣରେ ଆଘାତ ନାହିଁ । ସେ ଏବେ ବି ଆଖି ଠାରି କହୁଛି—ଦୁନିଆର ଦୈନ୍ୟ ପ୍ରତି ଭ୍ରୂକ୍ଷେପ ନ କରି ମୋ ପ୍ରେମର ଏ ଶୀତଳ ଛାୟା ତଳକୁ ଆସ । ଅନ୍ତରର ଯନ୍ତ୍ରଣା ଦୂର ହେବ, ଦ୍ୱିଧା ମେଣ୍ଟିଯିବ । ଆସ, ଆସ—ମୁଁ ଯେ ତମକୁ କେତେ ଭଲପାଏ ତା’ କ’ଣ ତମେ ବୁଝି ପାରିବ ?

 

ସେ ଠୋ ଠୋ କରି ହସି ପକାଇଲା—ଯେମିତି ସବୁ ଦିନେ ହସେ ।

 

ବୁଲିପଡ଼ି ସେ ସେହି ଦରିଦ୍ରା ସ୍ତ୍ରୀ ଲୋକଟିକି କହିଲା–—ଯାଅ, ଦୂ’ ର ହ’ ଏଠୁ । ଏଠି–ଏଠି କୌଣସି ସ୍ତ୍ରୀଲୋକ ପାଇଁ ସ୍ଥାନ ନାହିଁ ।

 

ସେ ଗଲା ନାହିଁ ।

 

‘‘ଯିବୁ ନାହିଁ? ଦେଖିବୁ ଏଇଲୋ ? —ମାରି ମାରି ହାଡ଼-ଗୋଡ଼ ଚୂନା କରିଦେବି । ଭଲ ଗତି ଅଛି ତ ଚାଲିଯା’ । ଏଠି କେହି ସ୍ତ୍ରୀଲୋକ ନାହାନ୍ତି—ମୁଁ ଏକା । ଏଠି ରହିବାର ଜାଗା ନାହିଁ । ନା—ନା, ମୁଁ ଏଠି କାହାରିକୁ ରହିବାକୁ ଦେବି ନାହିଁ । ସ୍ତ୍ରୀ ଲୋକଙ୍କ ପାଇଁ ଏଠି ଜାଗା ନାହିଁ-। ଯାଅ—ଦୂର ହୋଇଯାଅ ।’’

 

ସେ ତଥାପି ଗଲା ନାହିଁ ।

 

ଦେହରେ ଯନ୍ତ୍ରଣା ଥିଲା—ଜ୍ୱରର ଯନ୍ତ୍ରଣା—ଉଠିବାର ଶକ୍ତି ନଥିଲା—ବାଧ୍ୟ ହୋଇ ଉଠିକରି ଆସିଛି । ଜ୍ୱରର ପ୍ରକୋପରେ ପ୍ରଳାପ କରୁଥିଲା, ତଥାପି ବିଛଣାରୁ ଆସି ସେ ଦାଣ୍ତରେ ଠିଆ ହୋଇଛି । ସେ ବାଧ୍ୟ କରୁଛି ଅଥଚ ଲୋକଟା ଯାଉନାହିଁ । ସେ ଚାଲିଗଲେ, ଏ ଯାଇ ଟିକିଏ ଶୁଅନ୍ତା—ତ୍ରାହି ପାଆନ୍ତା—କିନ୍ତୁ କୌଣସିମତେ ସେ ଯିବାକୁ ନାହିଁ—ରାଗରେ, ଯନ୍ତ୍ରଣାରେ ଜର୍ଜରିତ ହୋଇ ସେ ତାକୁ ଧକ୍‌କାଟାଏ ମାଇଲା ।

 

ସେ ଧଡ଼ାସକିନି କଚାଡ଼ି ହୋଇ ପଡ଼ିଲା ତଳେ । ବରଷା ପାଣିରୁ ବଞ୍ଚେଇ ରଖିବାପାଇଁ ତାର ଚିରାପଣତରେ ସେ ଘୋଡ଼େଇ ରଖିଥିଲା, ଜୀବନରୁ ଅଧିକ କରି ଯେଉଁ ନିଧିଟିକୁ—ଏତେ ବେଳଯାଏ କଳରେ ଦୁଧ ଦେଇ ଘୁମେଇ ପଡ଼ିଥିଲା—ହଠାତ୍‌ ନିଦ ଭାଙ୍ଗିଯାଇ ସେ କାନ୍ଦି ଉଠିଲା ।

 

ସେତିକିବେଳେ ବିଜୁଳିଟାଏ ମାଇଲା । ବିଜୁଳି ମାରି ନ ମାରି ସମାନ । କାରଣ ରାଜୁ ସେ ଅନାଥ ଶିଶୁଟିକୁ ଦେଖିବାକୁ ପାଇ ନଥିଲେ ବି ତାର ଦୁଆର ସେଇମିତି ହୁଏତ ଆସ୍ତେ ଆସ୍ତେ ନ ହୋଇ ଧଡ଼ାସ୍‌କିନି ବନ୍ଦ ହୋଇ ଯାଇଥାନ୍ତା ।

 

ଆସି ସେ ଘରେ ଦେଖିଲା, ଛବିଟା ହସୁଛି—ତାକୁ ଥଟ୍ଟା କରୁଛି । ରାଗରେ ସେ କଁ କଁ ହେଲା । ମୁହଁ ମାଡ଼ି ଶୋଇ ପଡ଼ିବାକୁ ଚେଷ୍ଟା କଲା ।

 

କିନ୍ତୁ ନିଦ ହେଲା ନାହିଁ । ଭାବିଲା, ସତେ କଣ ସେ ନିଃସହାୟା ସ୍ତ୍ରୀଲୋକଟି ପାଇଁ ତାର ହୃଦୟ କାନ୍ଦୁଛି ? ପରକ୍ଷଣରେ ସେ ପ୍ରତିବାଦ କଲା । ନା,ନା, ଅସମ୍ଭବ—ଦୟା ନାହିଁ, ମାୟା ନାହିଁ, କିଛି ନାହିଁ, ସେ ଜାତି ପ୍ରତି ।

 

କିନ୍ତୁ ଶିଶୁଟି ? ତା’ର କି ଅପରାଧ ? ନା, ତାକୁ ବି ମାରିବାକୁ ହେବ । ଏ ଜଗତରେ ବଞ୍ଚି ରହିବାର ତାର ମଧ୍ୟ ଅଧିକାର ନାହିଁ । ଧୀରେ ଧୀରେ ସେ ବିଛଣାରେ ଶୋଇଲା । ଫଟୋଟା ସେହିପରି ତା’ ଆଗରେ ଝୁଲିଥାଏ । ସେଇପରି ତାକୁ ଚାହିଁ ହସୁଥାଏ ।

ବାହାରୁ ଡାକ ଶୁଭୁଥାଏ, ଖୁବ୍‌ ଅସ୍ପଷ୍ଟ ସ୍ୱରରେ—ବାବୁ ଟିକିଏ ଦୟା କର । ଏ ଛୁଆଟିକୁ ଟିକିଏ ଚାହିଁ । ସେ କ’ଣ ଆଉ ବଞ୍ଚିବ ଏ ବର୍ଷାରେ ?

ବର୍ଷା ଆହୁରି ଜୋରରେ ବର୍ଷିବାରେ ଲାଗିଥାଏ—ତୋଫାନ ପିଟୁଥାଏ ଦିଗୁଣ ହୋଇ ।

କିନ୍ତୁ ସେ ସେମିତି ପଥର । ଦୟା କ’ଣ ମାୟା କ’ଣ ସେ ଯେମିତି ସେସବୁ ଜାଣେ ନାହିଁ କିଛି ।

ନା, ନା, ଜାଣେ ନାହିଁ, ନୁହେଁ—ସେ ଜାଣେ, କିନ୍ତୁ ଭୁଲି ଯାଇଛି ।

ଭୁଲିଯାଇ ନାହିଁ—ଭୁଲିଛି ବାଧ୍ୟ ହୋଇ ।

ତା’ର ବି ଦୟା ଥିଲା, ମାୟା ଥିଲା । ପରପାଇଁ ସେ ବି ଦିନେ କାନ୍ଦୁଥିଲା । ସ୍ତ୍ରୀ ଜାତିପ୍ରତି ତା’ର ଅଶେଷ ଶ୍ରଦ୍ଧା ଥିଲା । କିନ୍ତୁ ସେ ସବୁ ଗଲା କୁଆଡ଼େ ?

 

ତାର ବି ମା ଥିଲା । ଦିନେ ତା’ର ମା ଠିକ୍‌ ଏଇମିତି ହୁଏତ ତାକୁ କୋଳରେ ଜାକି ବୁଲୁଥିଲା । ତାର ଭଉଣୀ, ତାର ଭାଉଜ ସବୁ ଥିଲେ—ସମସ୍ତେ ଅଛନ୍ତି—କିନ୍ତୁ ଗଲେ କୁଆଡ଼େ—ତା’ ପାଖରୁ ଦୂରରେ କାହିଁକି ? —ନା, ସେ ତାଙ୍କଠାରୁ ଦୂରରେ ରହିଛି ?

 

ଗାଁରେ ଲୋକେ କହିଲେ, ଟୋକାଟା ପାଗଳ ହୋଇଗଲା । ସେଠୁ ଆସି ଏଠି ରହିଲା–ନୂଆ ଜୀବନ ଗଢ଼ି—ସ୍ୱତନ୍ତ୍ର ସଂସାର କରି—ଏଠି ବି ସେଇ ଅପବାଦ ।

 

ସବୁ ତା’ର ଲାଗି—ସେଇ ଫଟୋଟାଲାଗି—ଅର୍ଥାତ୍‌ ସେଇ ଫଟୋଟା ଯାର, ତାରି ଲାଗି ।

 

ସେ ଫଟୋକୁ ପୁଣି ଥରେ ଭଲକରି ଚାହିଲା । ତା’ ଆଖିରେ ଲୁହ ଭରି ଉଠିଲା । କିନ୍ତୁ ସେ ଓଠଟାକୁ ଦାନ୍ତରେ କାମୁଡ଼ି ଗୋଟେ ନିଃଶ୍ୱାସ ନେଲା । ଆଖି ଦୁଇଟା ଜଳି ଉଠିଲା ।

 

ତାର ଜଣେ ସଙ୍ଗୀ କହେ, ତା’ର ପ୍ରେମିକାର କଥା । ତା’ର ଫଟୋକୁ ସେ ବଡ଼ ଯତ୍ନରେ ଗୋଟିଏ ସିଗାରେଟ୍‌ କେଶ୍‌ ଭିତରେ ସୁନ୍ଦର ଗୋଟିଏ ନିଭୃତ ସ୍ଥାନରେ ଲୁଚାଇ ରଖିଥାଏ । ସବୁବେଳେ ସେ ରହିଥାଏ ଛାତି ପାଖରେ । ସେ ପ୍ରେମିକା କୁଆଡ଼େ ଦେବୀ ଥିଲା । ମିଳନ ଅସମ୍ଭବ ଜାଣି ସେ କରିଥିଲା ଆତ୍ମହତ୍ୟା ।

 

ହାଃ—ହାଃ—ହାଃ—କରି ହସି ଉଠେ ସେକଥା ମନେ ପଡ଼ିଲେ ।

 

ମିଛ—ମିଛ—କଳ୍ପନା—ଫାଙ୍କି ।

 

ଟିକି ଟିକି ତା’ର ସବୁ କଥା ମନେ ପଡ଼ିଗଲା । ସେ ଯେତେବେଳେ ଗୀତ ଗାଏ, କୋଇଲିକି ଟେକା ମାରି ଘଉଡ଼ାଇ ଦେଉଥାଏ କିଏ ?

 

ସେ ଯେତେବେଳେ ଛାତି ଉପରେ ଛାତି ଥୋଇଦିଏ, ମଳୟର କଅଁଳ ଆଉଁଷାକୁ ଅନୁଭବ ମଧ୍ୟ କରିବାର କ୍ଷମତା’ ନ ଥାଏ କାର ?

 

ସେ ଯେତେବେଳେ ଚୂମ୍ବନ ଦିଏ, ଅମୃତର କଳ୍ପନା କରିବାକୁ ପାପ ମନେ ହେଉଥିଲା କାହାକୁ ? ଯାହାର ଯୌବନ ଥିଲା—ପୌରୁଷ ଥିଲା—ଧନ ଥିଲା—ରତ୍ନ ଥିଲା—ସବୁ ଥିଲା ।

 

ଉଦାର ପିତାମାତା ଶିକ୍ଷିତା କନ୍ୟାର ବିବାହ ନିମନ୍ତେ ଯେତେବେଳେ ତାର ମତ ପଚାରିଲେ, ସେତେବଳେ ସେ ମୁହଁ ଫେରାଇ ନେଲା କାହାଆଡ଼ୁ ?

 

ଗୋଟିଏ କେବଳ ପ୍ରଶ୍ନର ଉତ୍ତର ପାଇବା ପାଇଁ ଥରେ ମାତ୍ର ସାକ୍ଷାତର ସୁଯୋଗ ଦେବାକୁ ଶହ ଶହ ନିଷ୍ଫଳ କାତର ଅନୁରୋଧ କରାଯାଇଥିଲା କାହାଦ୍ୱାରା ?

 

ବହୁବାର ଲାଞ୍ଛନ ସହି ମଧ୍ୟ ଘୃଣା, ଅପ୍ରୀତିର ଛାୟାପାତ ହୋଇ ନଥିଲା କାହା ହୃଦୟରେ ?

 

ହୃଦୟ ସମସ୍ତ ପ୍ରୀତି ତିଳ ତିଳ ଦାନ କରିବାର ପ୍ରତିବଦଳରେ ପଦାଘାତ ପୁରସ୍କାର ମିଳିଥିଲା କାହାକୁ ?

 

ସେଇ—ଯେ ଦୁଃସ୍ଥ, ଦରିଦ୍ର, ରୁଗ୍‌ଣ ହୋଇ ପରିବାରର ପୋଷଣ ନିମନ୍ତେ ଦୁଆରେ ଦୁଆରେ ହାତ ପାତି ବୁଲୁଥିଲା, ସେଇ ।

 

ଦାରିଦ୍ର୍ୟର କଟାକ୍ଷ, ବ୍ୟାଧିର ଯନ୍ତ୍ରଣା, ଭାଗ୍ୟର କଷାଘାତ ତାକୁ ବିଚଳିତ କରି ନଥିଲା-। କିନ୍ତୁ ସେଦିନ ପୃଥିବୀର ସମସ୍ତ ପଦାର୍ଥ ମିଥ୍ୟା ପ୍ରବଞ୍ଚନା ବୋଲି ମନେ ହେଲା, ଯେଉଁ ଦିନ ତାକୁ ପରିଷ୍କାର କହିଲା—ମୁଁ ତୋତେ କେବେ ଭଲ ପାଇ ପାରେନା—ତୁ ମୋର ଯୋଗ୍ୟ ନୋହୁ-। ସେଦିନ ସେ ଘର ଛାଡ଼ିଲା, ଗ୍ରାମ ଛାଡ଼ିଲା—ମା ଛାଡ଼ିଲା, ଭଉଣୀ ଛାଡ଼ିଲା—ଆସି ରହିଲା ଶହ ଶହ ମାଇଲ ଦୂରରେ—ସମସ୍ତଙ୍କର ଅଜ୍ଞାତରେ ।

 

ସେଦିନ ମାର କାନ୍ଦଣା, ଭଉଣୀର ବିନତି, ଭାଉଜର ଗୁହାରି କେହି ତ ତରଳାଇ ପାରି ନଥିଲା ତାକୁ—ଆଜି ଏ ସାମାନ୍ୟ ସ୍ତ୍ରୀ ଲୋକଟାଏ, ଅଚିହ୍ନା ଅଜଣା—ତା’ ପ୍ରତି ତାର ଦୟା ଆସିବ କୁଆଡ଼ୁ ? ତାର ଦୟା ନାହିଁ, ମାୟା ନାହିଁ, ସ୍ନେହ ନାହିଁ, ପ୍ରୀତି ନାହିଁ, କିଛି ନାହିଁ ।

 

ମୂର୍ଖ ଲୋକେ ମନେ କରନ୍ତି ତାର ବିଗତ ପ୍ରେମିକାର କରୁଣ ସ୍ମୃତି ସେ ଫଟୋଟା—କିନ୍ତୁ କେହି ଥରେ ପଚାରି ବୁଝେ କି ପ୍ରକୃତରେ ଏ ଫଟୋ ରଖିବାର ଉଦ୍ଦେଶ୍ୟ କ’ଣ ?

 

ସେ ଫଟରୁ—ସେ ଛବିରୁ ସେ ପ୍ରେରଣା ପାଏ, ଉତ୍ସାହ ପାଏ ନିଷ୍ଠୁର ହେବା ପାଇଁ, ନିର୍ମମ ହେବା ପାଇଁ । ଦୁନିଆକୁ ମିଥ୍ୟା, ପ୍ରବଞ୍ଚନା ଜ୍ଞାନ କରିବାକୁ ଯେପରି ସେ ମୁହୂର୍ତ୍ତେ ବି ଭୁଲି ନ ଯାଏ, ଏ କଥା ମନେ ପକାଇ ଦେବା ପାଇଁ ସେ ଛବିକୁ ସେ ଏଡ଼େ ଯତ୍ନରେ ରଖିଥାଏ । ସେ କଥା କ’ଣ କେହି ବୁଝେ ?

 

ସାରା ରାତି ଗଲା । ବେଳେ ବେଳେ ବଡ଼ ଅସ୍ପଷ୍ଟ କରୁଣ ଚିତ୍କାର ଶୁଭେ । ସେ କିନ୍ତୁ ସେଇପରି ଅଟକ ଅଚଳ । ତା’ ପରେ କେତେବେଳେ ଯେ ସେ ଶବ୍ଦ ବନ୍ଦ ହୋଇଗଲା ତା’ର ଖିଆଲ ନାହିଁ । ନିଜ ଦେହ ଆଉ ମନର ଯନ୍ତ୍ରଣା ଘେନି ସେ ବାହାରକୁ ପାସୋରି ପକାଇଥିଲା ।

 

ସକାଳେ ସେ ବହୁ କଷ୍ଟରେ ଯାଇ ଦେଖିଲା ସ୍ତ୍ରୀ ଲୋକଟି ମରିଯାଇଛି । ତା’ର ସ୍ତନର ମୁହଁ ଦେଇ ଶୋଇଛି ସେଇ ଶିଶୁଟି ।

 

ପୁଣି ଥରେ ସେ ଫଟ ତା’ ଆଗରେ ଆସି ଠିଆ ହେଲା । କିନ୍ତୁ ଏଥର ଆଉ ସେ ତାକୁ ଭୁଲାଇ ପାରିଲା ନାହିଁ । ଆଉ ସେ ତାକୁ ପ୍ରେମ, ସ୍ନେହ, ଦୟାମାୟା ସଙ୍ଗରେ ସଂଗ୍ରାମ କରିବାପାଇଁ ଉଦ୍‌ବୁଦ୍ଧ କରି ପାରିଲା ନାହିଁ ।

 

ସେ ଧାଇଁ ଯାଇ ସେହି ଶିଶୁଟିକୁ କୋଡ଼କୁ ଘେନି ଆସିଲା । କିନ୍ତୁ ସେ ଛବିରର ହସ ଆଉ ବନ୍ଦ ହେଲା ନାହିଁ ।

 

ବିଶ୍ୱେଶ୍ୱର ଦଉଡ଼ି ଯାଇ ମାୟାର ଫଟଟାକୁ କାନ୍ଥରୁ ଓଟାରି ଆଣି ତଳେ କଚାଡ଼ି ଭାଙ୍ଗିଦେଲା ।

 

—ଛବିଟାକୁ ଟିକି ଟିକି କରି ଛିଣ୍ତାଇ ଫିଙ୍ଗି ଦେଲା ।

Image

 

ଉପହାର

 

ସ୍ନେହର ଊର,

 

ତୁ କହୁଥିଲୁ ଯେ ତୋର ସବୁ ଭାଇଙ୍କଠୁ ନିତାଇ ଭାଇ ଭଲ । ସେଥିପାଇଁ ତୁ ନିତାଇ ଭାଇଙ୍କି ବେଶି ଭଲ ପାଉ । ଅଥଚ ମୋ ବୁଝିବାରେ ମୋର ସବୁ ଭଉଣୀଙ୍କ ଭିତରୁ ସବୁଠୁଁ ମୁଁ ବେଶି ଅବହେଳା କରିଚି ତୋତେ । ତୋ ବାହାଘରକୁ ମୁଁ ଯାଇ ବି ନାହିଁ—ଉପହାର ଦେବା କଥା ଦୂରେ ଥାଉ ।

 

କାହିଁକି ? ଏଇଠି ପ୍ରଶ୍ନ ଉଠେ । କେହି କେହି କହିବାର ଶୁଣିଚି—ଭଉଣୀ ସବୁ ଭାଇଙ୍କି ଯେତେ ଶରଧା କରନ୍ତି, ଭାଇଗୁଡ଼ାକ ଭଉଣୀଙ୍କି ସେତେ ଶରଧା କରି ପାରନ୍ତି ନାହିଁ । ହେଇପାର, ସ୍ତ୍ରୀ ଜାତିଟା ଶରଧା ଦେବାପାଇଁ ଜନ୍ମ । ତଥାପି କଥାଟା ଏକପାଖିଆ ଲାଗୁଛି । ମୁଁ ଏ ବିଷୟରେ ଭାବି ଭାବି ଆଗରୁ ଠିକ୍‌ କରିପାରୁ ନଥିଲି । ଏବେ ଗୋଟାଏ ଘଟଣା ମୋ ଆଖି ଖୋଲି ଦେଇଛି । କଥାଟା କହେଁ—

 

ମୋର ଗୋଟିଏ ମାଉସୀ—ବହୁତ ଦୂର ସଂପର୍କର । ହଠାତ୍‌ ନିକଟର ହୋଇ ଆସିଲୁଁ-। ସେ ବଡ଼ଲୋକ, ମୁଁ ଗରିବ । ମା ପୁଅ ଭିତରେ ବଡ଼ଲୋକ ଗରିବର କି ବିଚାର ! ସେ ମୋର ମା ହେଇଗଲେ । ତୁ ତ ଜାଣୁ, ନୂଆ ଯୁଗରେ, ନୂଆ ଲେଖକ ହେଇ ବି କେତୁଟା ପୁରୁଣା କଥାକୁ ଛାଡ଼ି ପାରିନାହିଁ ମୁଁ । ସେଗୁଡ଼ାକ ଛାଡ଼ିବା ଅର୍ଥ ମୋ ଭିତରୁ ସ୍ନେହ ପ୍ରୀତି କରୁଣାକୁ ଛାଡ଼ିଦେବା, ପୁରୁଣା କଥା ବୋଲି । ମୁଁ ସକାଳୁ ଗାଧୋଇ ଆରାଧନା କରେ । ପ୍ରଥମେ ଚିନ୍ତା କରେ ଦୁର୍ଗାଙ୍କୁ-। ହଠାତ୍‌ ଦିନେ ଆରାଧନାରେ ଦେଖିଲି ଦୁର୍ଗାଙ୍କର ରୂପ ସ୍ଥାନରେ ସେଇ ମା—ବା ମାଉସୀଙ୍କର ମୂର୍ତ୍ତି-। ମୁଁ ଭୟ ପାଇଗଲି । ମଣିଷକୁ ନେଇ ଦେବତା ସ୍ଥାନର ବସାଇବାରେ ମୋର ପାପ ହେଲା ନାହିଁ ତ-? ତା’ ପରେ ମୁଁ ନିଜକୁ ନିଜେ ହସିଲି । ମଣିଷ କ’ଣ ଦେବତା’ଠାରୁ ଭିନେ-? କିନ୍ତୁ ସେଇଠି ହେଲା ମୋର ଭୁଲ୍‍ । ଆଉ ସେଇଠି ବି ହେଇଚି ତୋର ଭୁଲ୍‍ । ତୁ କେତେ ଥର କହିଚୁ-ନିତା’ଇ ଭାଇ ଦେବତା’ । ସେଇଠି ତୋର ଭୁଲ୍‍ । ଏ ଭଳି କଥାରେ ଦେବତା ମାଫ୍‌କରି ଦିଅନ୍ତି, କିନ୍ତୁ ନିତାଇ ଭାଇ ସବୁ ମାଫ୍‌ କରି ପାରନ୍ତି ନାହିଁ । ମାଉସୀଙ୍କୁ ନେଇ ମା ଦୁର୍ଗାଙ୍କ ଆସନରେ ବସାଇବାରେ ଦୁର୍ଗା କ୍ଷମା କଲେ—କ୍ଷମା ନୁହେଁ ବୋଧହଏ ଖୁସି ହେଲେ—କିନ୍ତୁ କ୍ଷମା କରି ପାରିଲେ ନାହିଁ ମାଉସୀ । ଠିକ୍‌ ତା’ପରେ ନିହାତି ସାମାନ୍ୟ ଅପରାଧରେ ଠାକୁରାଣୀ ନୈବେଦ୍ୟ ଗ୍ରହଣ ନକଲା ପରି ସେ ମୋର ନିବେଦନକୁ ବଡ଼ଲୋକି ଗୋଇଠାରେ ଫିଙ୍ଗିଦେଲେ-। ସେ ଆଘାତ ମୋତେ ସେତେବେଳେ କେନ୍ଦ୍ରଚ୍ୟୁତ କରିଦେଲା । ଯାହାଙ୍କ ମୁହଁରେ ଦିନରେ ଶହେ ବାର ମୋର ପ୍ରଶଂସା, ତାଙ୍କରି ମୁହଁରୁ ଉଠିଲା ମୋର ନିତାନ୍ତ ସରଳତା ଓ ସ୍ପଷ୍ଟବାଦିତାଜନିତ ନିନ୍ଦା–କୁତ୍ସା । ସେ ଆଘାତ ନେଇ ବଞ୍ଚିଚି–ଏଇ ଢେର । ମୁଁ ତୋତେ ହୁଏତ ସେମିତି ଆଘାତ ଦେଇ ନଥିବି । ଦେଇଥିଲେ ମୁଁ ନିଜେ ତା’ ବୁଝିପାରି ନାହିଁ । ଆଘାତ ଦେବା ଲୋକ କ’ଣ ବୁଝେ-? ହୁଏତ କେବେ ଆଘାତ ଦେଇଥିଲି—ତୋର ସେଇ ଅଭିଶାପ ଆଜି ଏ ଜୀବନରେ ଫଳୁଛି ।

 

ଯାହାର ଯେତିକି ପ୍ରାପ୍ୟ—ଯାହାଠୁଁ ଯେତିକି ପ୍ରାପ୍ୟ ତା’ଠୁଁ ଯିଏ ବଳିଯିବାକୁ ଚାହେଁ, ସେଇ କରେ ଭୁଲ୍‍ । ‘ଅତି’ ବୋଲି ଯୋଉଁ କଥାଟା, ସେଟା ବୋଧହୁଏ ଏଇ ସ୍ନେହ ଦୟା ପ୍ରୀତିର ଯେଉଁ ଗୋଟାଏ ଉତ୍ସ ବା ଆଦର୍ଶ ବୋଲି ମଣିଷ କଳ୍ପନା କରିଚି ତାକୁଇ କେବଳ ଅର୍ପଣ କଲେ ଦୋଷ ଲାଗେ ନାହିଁ । ସେ କଳ୍ପନାକୁ ଏ ବାସ୍ତବ ଦୁନିଆକୁ ଘେନି ଆସିଲେ ଆଘାତ ନ ପାଇ ଆଉ କ’ଣ ପାଇବ ?

 

ଏ ବହିରୁ ପହିଲି ଗପଟାର ଛାୟା ସେଇୟା । ମୋ ପ୍ରାଣରେ ଯେଉଁମାନେ ଦେଶପ୍ରାଣତାର ପ୍ରସ୍ରବଣ ଫିଟାଇ ଦେଇଥିଲେ, ସେମାନଙ୍କୁ ଦେବତା ବୋଲି ପୂଜା କରିବା ସେଦିନ ହେଇଥିଲା ମୋର ଭୁଲ୍‍ । ସେଥିପାଇଁ ତାଙ୍କର ଦୁର୍ବଳତାକୁ କ୍ଷମା କରି ନପାରି ମୁଁ କରିଛି ଅନ୍ୟାୟ । ସେମାନେ ବି କ୍ଷମା କରି ପାରି ନାହାନ୍ତି ମୋତେ ।

 

ଆଜି ଏଇ ସତ୍ୟକୁ ମୁଁ ତୋ’ ବିଭାଘରର ଉପହାର ଦେଉଚି—

 

ନିତାଇ ଭାଇ

Image